ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୋଟ ୧୪ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

କଟକର ନରାଜଠାରେ ବିଶ୍ଵର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲ୍ୟୁ। ଓଡ଼ିଶାରେ ଜେଏସଡବ୍ଲ୍ୟୁ ଉଭୟ ବିଦ୍ୟୁତ ଯାନ ଏବଂ ବ୍ୟାଟେରୀ ପ୍ରସ୍ତୁତ କରିବ। ୫୦ ହଜାର ମେଗାଓ୍ଵାଟର ବ୍ୟାଟେରି ମାନୁଫାକ୍‌ଚରିଂ ୟୁନିଟ ପ୍ରସ୍ତୁତ ହେବ। ଏହି ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ସୃଷ୍ଟି ହେବ ପ୍ରାୟ ୧୨ ହଜାର ନିଯୁକ୍ତି ସୁଯୋଗ। ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଥିବାରୁ ଏହା ଉପରେ ଗୁରୁତ୍ଵ ଦିଆଯାଉଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସେହିପରି ରାଜ୍ୟରେ କଫି ଚାଷ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଏବଂ ଗଜପତି ଜିଲ୍ଲାରେ ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା କାର୍ଯ୍ୟକାରୀ ହେବ। ଆଗାମୀ ୧୦ ବର୍ଷ ମଧ୍ୟରେ ଏକ ଲକ୍ଷ ଏକରରେ କଫିଚାଷ କରାଯିବାକୁ ଲକ୍ଷ୍ୟ ରହିଛି। ଏହା ଦ୍ଵାରା ଉପକୃତ ହେବେ ୫୦ ହଜାର ଚାଷୀ ପରିବାର।

ବୈଠକରେ ପିଡିଏସ ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ଏହା ବ୍ୟତୀତ କଳାହାଣ୍ଡିର କୋକସରାରେ ଏକ୍ସାଇଜ ଷ୍ଟେସନ କରିବା ପାଇଁ ମଧ୍ୟ ସବୁଜ ସଙ୍କେତ ମିଳିଛି। ସେହିପରି ଓଡ଼ିଶା ଅଗ୍ନିଶମ ବାହିନୀରେ ନିଯୁକ୍ତି ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। 

ସେହିପରି ଖୋର୍ଦ୍ଧା ଜିଲ୍ଲା ଡେରାସ ଅଞ୍ଚଳରେ କର୍ମଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ୩୬୧.୪୪ କୋଟି ଟଙ୍କା ବ୍ୟୟରେ ୬,୯୫୨ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ।

ପଞ୍ଚାୟତ ସେକ୍ରେଟାରିରୁ ଭିଏଲଡବ୍ଲୁ ହେଲେ ଅଧିକାରୀଙ୍କୁ ସରକାର ପେନସନ ପ୍ରଦାନ କରିବା ପ୍ରସ୍ତାବ ଉପରେ ମୋହର ବାଜିଛି। ବିଡିଏ, ସିଡିଏ ଏବଂ ହାଉସିଂବୋର୍ଡ ଲିଜ ଜମିକୁ ସ୍ଥିତିବାନ କରିବା ପାଇଁ ଦେୟ କମିବ। ପୂର୍ବରୁ ସ୍ଥିତିବାନ କରିବା ପାଇଁ ଜମି ମୂଲ୍ୟର ୧୦ ପ୍ରତିଶତ ଦେୟ ଦେବାକୁ ପଡ଼ୁଥିଲା। ବର୍ତ୍ତମାନ ଦେୟ ମୂଲ୍ୟ ୩ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ବ୍ୟତୀତ ବାୟୋଟେକ୍ନୋଲୋଜି ପଲିସି-୨୦୨୪ ପ୍ରସ୍ତାବ ଉପରେ ମୋହର ବାଜିଛି। ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍‌କୁ ଆର୍ଥିକ ସୁବିଧା ମିଳିବ। ଓଡ଼ିଶା ବାୟୋଟେକ୍ନୋଲୋଜି ଭିଜନ ଗ୍ରୁପ ଗଠନ ହେବ।

Tags: #odishacabinet #cabinetmeeting #cmodisha #naveenpatnaik #Proposalapproved #odisha

LEAVE A REPLY

Please enter your comment!
Please enter your name here