ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ କେରଳ ସାବରିମାଲା ମନ୍ଦିର ଉପରେ ଐତିହାସିକ ରାୟ ଦେଇଛନ୍ତି।

କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା ଶ୍ରଦ୍ଧାଳୁ। ଏହି ଐତିହାସିକ ରାୟ ଆଜି ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ନରିମନ୍, ଜଷ୍ଟିସ୍ ଖାନୱିଲିକର, ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଫଳରେ ସାବରିମାଲା ମନ୍ଦିରରେ ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରା ଭାଙ୍ଗିଛି।

୧୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ସାବରିମାଲା ମନ୍ଦିରରେ ପ୍ରବେଶ ଉପରେ କଟକଣା ରହିଥିଲା। ଏହାକୁ ସୁପ୍ରିମକୋର୍ଟ ବେଞ୍ଚ୍ ବେଆଇନ ଏବଂ ଆସାମ୍ବିଧାନିକ କହିଛନ୍ତି। ଗତ ଅଗଷ୍ଟ ମାସରୁ ଏହି ମାମଲା ଉପରେ ବିଚାର ଚାଲିଥିଲା। ୮ ଦିନ ଧୀି ବିଚାର ଚାଲିବା ପରେ ରାୟ ସଂରକ୍ଷିତ ରହିଥିଲା।

ଏହି ମାମଲାରେ ଚାରି ଜଣ ବିଚାରପତି ଗୋଟିଏ ମତ ପ୍ରକାଶ କରିଥିବା ବେଳେ ମହିଳା ବିଚାରପତି ଇନ୍ଦୁ ମାଲହୋତ୍ରା ଭିନ୍ନ ମତ ଦେଇଥିଲେ। ଫଳରେ ମାମଲାଟି ୪:୧ ବହୁମତରେ ଗୃହୀତ ହୋଇଛି।

ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି, “ଆଇନ ଆଗରେ ସବୁ ଶ୍ରଦ୍ଧାଳୁ ସମାନ। ଧର୍ମ ନାଁରେ ଶ୍ରଦ୍ଧାଳୁମାନଙ୍କୁ ଭାଗ ଭାଗ କରିବା ଉଚିତ ନୁହେଁ। ମହିଳାମାନଙ୍କ ପାଇଁ ଭିନ୍ନ ମାପଦଣ୍ଡ ସେମାନଙ୍କ ସମ୍ମାନରେ ଆଞ୍ଚ ଆଣୁଥିଲା। ଭଗବାନ ଅୟପ୍ପାଙ୍କ ଭକ୍ତଙ୍କୁ ଭାଗ ଭାଗ କରିବା ଠିକ୍ ନୁହେଁ। ସୁପ୍ରିମକୋର୍ଟ ଅନୁଛେଦ ୨୫ ଅନୁସାରେ ସମସ୍ତେ ସମାନ। ଧର୍ମ ନାଁରେ ପୁରୁଷ ଓ ମହିଳାଙ୍କ ଭିତରେ ଭେଦଭାବ ସମ୍ପୂର୍ଣ୍ଣ ଭୁଲ୍।”

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରନି ଆୟାପ୍ପା ଧର୍ମ ସେନା। ଏହି ରାୟ ଉପରେ ଆସନ୍ତା ସପ୍ତାହରେ ଏକ ରିଭ୍ୟୁ ପିଟିସନ ଆଗତ କରିବା ପାଇଁ ସେନା ପ୍ରସ୍ତୁତ ହେଉଛି।

Comment