ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯାତ୍ରା ମଞ୍ଚରୁ ଫିଲ୍ମ ପରଦା। ଦୈତାରୀ ପଣ୍ଡାଙ୍କୁ ଦର୍ଶକ ଦେଖିବେ ଫିଲ୍ମ ପଗ୍‌ଲୁରେ।

ଯାତ୍ରା ଜଗତର ନାମୀ ଚରିତ୍ର ଅଭିନେତାମାନଙ୍କ ମଧ୍ୟରୁ ଆଗଧାଡ଼ିର କଳାକାର ହେଲେ ଦୈତାରୀ ପଣ୍ଡା। ସେ ୩୦ ବର୍ଷରୁ ଅଧିକ ସମୟ ଧରି ଯଲିଉଡରେ ଅଭିନେତା ଭାବେ ସକ୍ରିୟ। ବୟସ ବଢ଼ିଯାଇଥିଲେ ବି ତାଙ୍କର ଲୋକପ୍ରିୟତା କମି ନାହିଁ କି ତାଙ୍କର ଗତି ଧିମା ପଡ଼ିନାହିଁ।

ଦୈତାରୀ ପଣ୍ଡାଙ୍କ ଅଧିକାଂଶ ଯାତ୍ରା ନାଟକ ସୁପରହିଟ୍ ହୋଇଛି। ଯାତ୍ରାର ସଫଳତାକୁ ହୃଦୟଙ୍ଗମ କରି ସିନେ ନିର୍ମାତାମାନେ ମଧ୍ୟ ଯଲିଉଡର ଏହି ନାମୀ ଭିଲେନଙ୍କୁ ଓଲିଉଡ ପରଦାକୁ ଆଣିଛନ୍ତି।

ଦୈତାରୀ ପଣ୍ଡାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ସପନର ନାୟିକା’। ରାଜ ପ୍ରଦୀପଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଫିଲ୍ମରେ ଦୀପକ, ପିଙ୍କି ପ୍ରିୟଦର୍ଶିନୀ ଓ ଶ୍ରୀତମ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏକ୍‌ସେଲ ମୁଭିଜ୍ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ଛବିର ପ୍ରଯୋଜନା କରିଥିଲେ ରବିନ୍ଦ୍ର କୁମାର ପଣ୍ଡା।

ଏବେ ଦୈତାରୀ ପଣ୍ଡାଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଦୁଇଟି ଓଡ଼ିଆ ସିନେମାରେ ଦେଖିବାକୁ ପାଇ

‘ପଗଲୁ’ର ନନା

ଜଗନ୍ନାଥ ପାଟ୍ଟଯୋଶୀ ମହାପାତ୍ରଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ‘ପଗ୍‌ଲୁ’ ଏବେ ମୁକ୍ତିଲାଭ ପ୍ରତୀକ୍ଷାରେ ରହିଛି। ରାମ ପ୍ରସାଦ ସାମଲ ଏହାର ନିର୍ଦ୍ଦେଶକ। ଏହି ସିନେମାରେ ଦୈତାରୀ ପଣ୍ଡା ମୁଖ୍ୟ ଖଳନାୟକ ଭୂମିକାରେ ଆସୁଛନ୍ତି। ‘ପଗ୍‌ଲୁ’ରେ ଦୈତାରୀଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ‘ନନା’

‘ନନା’ ଜଣେ ଶିବଭକ୍ତ। ସେ ଗଞ୍ଜେଇ ଟାଣନ୍ତି। ଶାସ୍ତ୍ର ଚର୍ଚ୍ଚା କରନ୍ତି ଏବଂ ମନ୍ତ୍ର ଉଚ୍ଚାରଣ କରି ପୂଜା କରନ୍ତି। ରୁଦ୍ରାକ୍ଷ ମାଳା ଧାରଣ କରନ୍ତି। ହେଲେ ଉପରକୁ ଧାର୍ମିକ ଦିଶୁଥିବା ‘ନନା’ ଯେ ଭଲ ଲୋକ, ସେଭଳି ଭାବିବା ଠିକ୍ ନୁହେଁ। ପ୍ରକୃତରେ ‘ନନା’ ଖଳପ୍ରକୃତିର ଲୋକ। ନାୟକ ପଗ୍‌ଲୁ ସହିତ ତାର ଶତ୍ରୁତା ଥାଏ। ତେବେ ‘ନନା’ ଓ ପଗ୍‌ଲୁ ଭିତରେ କିଭଳି ଶତ୍ରୁତା ରହିଛି ଓ ତା’ର ପରିସମାପ୍ତି କେଉଁଠି ଘଟେ, ତାହା ଜାଣିବାକୁ ହେଲେ ଆପଣଙ୍କୁ ‘ପଗ୍‌ଲୁ’ ସିନେମାର ରିଲିଜ୍ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

‘ପଗ୍‌ଲୁ’ର ମୁଖ୍ୟ କଳାକାରମାନେ ହେଲେ ମିହିର ଦାସ, ଅପରାଜିତା, ଅଭିଷେକ ଓ ପ୍ରକୃତି ମିଶ୍ର।

ବଲିଉଡର ଲୋକପ୍ରିୟ ଚରିତ୍ର ଅଭିନେତା ମୁକେଶ ତିୱାରି ପ୍ରଥମେ ‘ପଗ୍‌ଲୁ’ ଫିଲ୍ମର ‘ନନା’ ଭୂମିକା ନିଭାଇବା ଲାଗି ଫାଇନାଲ୍ ହୋଇଥିଲା। ମୁକେଶ ତିୱାରି ପ୍ରଖ୍ୟାତ ନିର୍ଦ୍ଦେଶକ ରାଜ କୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ‘ଚାଇନା ଗେଟ୍‌’ରେ ଜଗିରା ଭୂମିକା ନିଭାଇ ଲୋକପ୍ରିୟ ହୋଇଥିଲେ। ଏହା ପରେ ମୁକେଶଙ୍କ ରିଫ୍ୟୁଜ, ହସ ପନ୍‌ଛି ଏକ ଡାଲ୍‌କେ, ଆଘାଜ୍, ଫର୍ଜ, ଆପ୍ ମୁଝେ ଆଛେ ଲଗନେ ଲଗେ, ଜମିନ୍, ଗଙ୍ଗାଜଲ୍, ଦ ଲିଜେଣ୍ଡ ଅଫ୍ ଭଗତ୍ ସିଂହ, ପ୍ୟାସା, ପଥ୍, ଏଲ ଓ ସି କାରଗିଲ୍, ଅପହରଣ୍, ହଲ୍ଲା ବୋଲ୍, ଗୋଲମାଲ୍-ଥ୍ରି, ଥ୍ୟାଙ୍କ ୟୁ, ଦିଲୱାଲେ, ଗୋଲମାଲ୍‌ ଏଗେନ୍ ଭଳି ବହୁ ହିନ୍ଦୀ ସିନେମାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ମୁକେଶ ତିୱାରି ‘ପଗ୍‌ଲୁ’ର ଖଳନାୟକ ଭୂମିକା ନିଭାଇବା ପାଇଁ ସ୍ୱୀକୃତି ମଧ୍ୟ ଦେଇଥିଲେ। ହେଲେ ପରେ ଡେଟ୍‌ସ ସମସ୍ୟା ହେତୁ, ସେ ମନା କରିଥିଲେ। ଏହାପରେ ପ୍ରଯୋଜକ ଯଲିଉଡର ନାମୀ ଖଳନାୟକ ଦୈତାରୀ ପଣ୍ଡାଙ୍କୁ ସେହି ଭୂମିକା ପାଇଁ ଚୁକ୍ତିବଦ୍ଧ କରିଥିଲେ। ଆଉ ଦୈତାରୀଙ୍କ ଗେଟ୍ ଅପ୍ ଯେମିତି ଭୟାନକ, ତାଙ୍କର ଖଳନାୟିକୀ ବି ସେମିତି ଦମ୍‌ଦାର ବୋଲି କୁହାଯାଉଛି।

‘ତୁ ମୋ ସୁନା ଚଢ଼େଇ’ରେ ଦୈତାରୀ

ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ତଥା ରିଲିଜ ହେବାକୁ ଥିବା ‘ତୁ ମୋ ସୁନା ଚଢ଼େଇ’ ସିନେମାରେ ଦୈତାରି ପଣ୍ଡାଙ୍କୁ ଜଣେ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏଠାରେ ଅବଶ୍ୟ ରାଇମୋହନ ପରିଡ଼ା ବି ଅଛନ୍ତି ଖଳନାୟକ ଭୂମିକାରେ। ଜ୍ୟୋତି ଓ ଏଲ୍‌ସା ଏହାର ନାୟକ, ନାୟିକା।

Comment