ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିରର ତିନି ଦ୍ୱାର ଦେଇ ପୁରୀ ବାସିନ୍ଦା ପ୍ରବେଶ କରିପାରିବେ। ପ୍ରବେଶ କରିବା ବେଳେ ପରିଚୟପତ୍ର ଦେଖାଇବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ କହିଛନ୍ତି, “ପୁରୀରେ ଘଟିଥିବା ହିଂସାକାଣ୍ଡର ଭିଡିଓ ଫୁଟେଜ ଯାଞ୍ଚ କରୁଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଫୁଟେଜ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିଂହଦ୍ୱାରକୁ ଛାଡ଼ି ପୁରୀ ବାସିନ୍ଦା ଅନ୍ୟ ତିନି ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ।”

ଶାନ୍ତି କମିଟି ବୈଠକରେ ଜିଲ୍ଲାପାଳ, ଏସ୍‌ପି, ଆଇଜି ଏବଂ କିଛି ସେବାୟତମାନେ ଉପସ୍ଥିତ ଥିଲେ। ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ଶାନ୍ତି କମିଟି ବୈଠକ।

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଏବଂ ୮ ଦଫା ଦାବି ନେଇ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦ ବେଳେ ପୁରୀ ବଡ଼ଦାଣ୍ଡରେ ହିଂସାକାଣ୍ଡ ଦେଖାଦେଇଥିଲା। ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ଲାଗିଥିଲା।

ବିକ୍ଷୋଭକାରୀମାନେ ଟାୟାର ଜାଳି ରାସ୍ତାରୋକ କରିବା ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସିଂହଦ୍ୱାର ସମ୍ମୁଖରେ ଥିବା ଟେଣ୍ଟରେ ନିଆଁ ଲଗାଇ ଦେଇଥିଲେ।

ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠି ମାଡ଼ ଓ ରବର ବୁଲେଟ ମାଡ଼ କରିଥିଲା। ଫଳରେ ପରିସ୍ଥିତି ଅଣାୟତ ହୋଇଥିଲା। ଟାଉନ ଥାନା ନିକଟରୁ ସିଂହଦ୍ୱାର ଯାଏଁ ପ୍ରଶାସନ ୧୪୪ ଧାରା ଲାଗୁ କରିଥିଲା।

Comment