କପିଳାସ ଭୂୟାଁ

କାଳକ୍ରମେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକାଧିକ ସଂସ୍କାରମୂଳକ ପଦକ୍ଷେପ ନିଆ ଯାଇଥିଲେ ବି ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥାକୁ ସ୍ଥାନୀୟ ଜନସାଧାରଣ ଯେଉଁ ଭଳି ବିରୋଧ କଲେ ତାହା ଅଭୂତପୂର୍ବ। ଜନ ଆକ୍ରୋଶ କାହିଁକି ଏପରି ଭୀଷଣ ରୂପ ନେଲା?

ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ସବୁ ପଦକ୍ଷେପ ନେଇଥିଲେ ତାହା ସାର୍ବଜନୀନ ସୁବିଧାକୁ ଦୃଷ୍ଟିରେ ରଖି ହୋଇଥିଲା। ଅବଶ୍ୟ ତାହା ଦ୍ଵାରା ଯେଉଁ ଅଳ୍ପ କିଛି ଲୋକଙ୍କ ସ୍ଵାର୍ଥହାନୀ ହେବାର ସମ୍ଭାବନା ଥିଲା, ସେମାନେ ତାହାର ବିରୋଧ କରିଥିଲେ। ତେବେ  ତାହାର ବିଶେଷ କିଛି ପ୍ରଭାବ ପଡ଼ିଲା ନାହିଁ, ଓ ଜନ ସମର୍ଥନ ଦ୍ଵାରା ସେହି ସବୁ ସଂସ୍କାର ଚାଲୁ ରହିଲା।

କିନ୍ତୁ ଧାଡି ଦର୍ଶନ ବ୍ୟବସ୍ଥା ବିରୋଧରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆ ଯାଇଥିବା ପୁରୀ ବନ୍ଦ ଡାକରାକୁ ଏତେ ବେଶୀ ଜନ ସମର୍ଥନ ମିଳିଲା କେମିତି? କାହିଁକି ଜନ ଆକ୍ରୋଶ ଏତେ ଭୟାନକ ରୂପ ନେଲା ଯେ ପୁରୀରେ ସାତ ଘଣ୍ଟା ଧରି ଜୀବନ ଯାତ୍ରା ଠପ୍ ହୋଇଗଲା?

ଆମେ ସମସ୍ତେ ଜାଣନ୍ତି ଯେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ଦେଶର ଏକ ମାତ୍ର ନିଆରା ଠାକୁର। ଭକ୍ତମାନଙ୍କ ସହ ତାଙ୍କର ସିଧା ସଳଖ ସମ୍ପର୍କ। ତାଙ୍କର ଏଭଳି ଭାବ ଯୋଗୁଁ ପ୍ରତି ଦିନ ଦେଶ ଦୁନିଆର କୋଣ କୋଣରୁ ଭକ୍ତମାନେ ଧାଇଁ ଆସନ୍ତି ତାଙ୍କ ଶ୍ରୀମୁଖକୁ ଟିକେ ପାଖରୁ ଦେଖିବା ପାଇଁ। କିନ୍ତୁ ଏହି ଦେଖିବା କାମଟି କରିବା ପୂର୍ବରୁ ଭକ୍ତ ବଡ଼ ଦାଣ୍ଡରୁ ହିଁ ଭାବ ବିହ୍ଵଳ ହୋଇ ସାରିଥାଏ। ସେଇଠୁ ହାତ ଟେକି ଦେଇ ଅରୁଣ ସ୍ତମ୍ଭକୁ କୁଣ୍ଢେଇ ସାରି ସିଂହଦ୍ଵାର ଦେଇ ଭକ୍ତ ଜଣେ ଶ୍ରୀମନ୍ଦିର ଭିତରକୁ ପଶେ। ପ୍ରତ୍ୟେକ ଭକ୍ତଙ୍କ ମନ୍ଦିର ପ୍ରବେଶ ପୁଣି ପ୍ରକାରେ ପ୍ରକାରେ – କିଏ ଧାଇଁ ଧାଇଁ ଯାଏ ତ ଆଉ କିଏ ଧୀର ଗତିରେ, ପୁଣି ଅନ୍ୟ କିଏ ଆଣ୍ଠେଇ ଆଣ୍ଠେଇ ଯାଏ ତ ଆଉ କିଏ ବାଇଶି ପାହାଚ ଉପରେ ବହେ ଗଡ଼ି ଯାଏ। ଆଉ କିଏ କିଏ ତ ଜଗାକୁ ଭେଟିବା ପୂର୍ବରୁ ବାଇଶି ପାହାଚ ଉପରେ ମନ ଭରି ବହେ ଶୋଧା ବକା କରେ। ଏ ଭକ୍ତି ରସର ମାହାତ୍ମ୍ୟ ନିଗୂଢ଼ ଓ ଆବେଦନ ସ୍ଵତନ୍ତ୍ର, ଭକ୍ତର ଭାବକୁ ଘେନି।

ଖାଲି ସେତିକି ନୁହେଁ, ଭକ୍ତ ଶ୍ରୀମନ୍ଦିରକୁ ଗଲେ ଶ୍ରୀଜୀଉମାନଙ୍କ ଦର୍ଶନ ପୂର୍ବରୁ ଏଠି ସେଠି କରି ପଚାଶ ଅନ୍ୟ ଠାକୁର ଠାକୁରାଣୀଙ୍କୁ ଦର୍ଶନ କରେ। କୋଉଠି ଫୁଲ ଟିକିଏ ଚଢ଼ାଏ ତ ଆଉ କୋଉଠି ଦୀପଟିଏ ବସେଇ ଦିଏ। କଳ୍ପବଟ ଚାରି ପଟେ ଘେରା ମାରେ ମନ ବାଞ୍ଛା ପୂରଣ କରିବାକୁ। ମା’ ବିମଳାଙ୍କ ପାତାଳୀ ଦର୍ଶନ କରେ। ମା’ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରି ସାରିଲା ପରେ ତାଙ୍କ ପାଦ ତଳେ ଘଡ଼ିଏ ବସେ, କୋଉଠୁ କେଜାଣି ବୋହି ଆସୁଥିବା ଥଣ୍ଡା ପବନରେ ଦେହମନକୁ ଶାନ୍ତ କରେ। ସେଠୁ ଉଠି ଆଉ ଟିକିଏ ଆଗକୁ ଯାଇ ଦୁଇ ହାତକୁ ଶୂନ୍ୟକୁ ପ୍ରସାରି ନିଜକୁ ରିକ୍ତ ମନେ କରି ନୀଳ ଚକ୍ର ଓ ପତିତପାବନ ବାନା ଦର୍ଶନ କରି ସାରିଲା ପରେ ଯାଇ ଶ୍ରୀ ଜୀଉମାନଙ୍କ ଦର୍ଶନ ପାଇଁ ଯାଏ। ପ୍ରକୃତରେ କହିବାକୁ ଗଲେ ଜଣେ ପର୍ଯ୍ୟଟକ ଯେଉଁଭଳି କୌଣସି ପର୍ଯ୍ୟଟନସ୍ଥଳୀର ବିଭିନ୍ନ ସ୍ଥାନକୁ ବୁଲି ବୁଲି ଦେଖିଥାଏ, ଠିକ ସେହି ଭଳି ଜଣେ ଭକ୍ତ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିଥାଏ।

ତେଣୁ ପ୍ରଶ୍ନ ହେଉଛି ଶ୍ରୀମନ୍ଦିରରେ ଦର୍ଶନ ପାଇଁ ସିଂହଦ୍ଵାରଠାରୁ ଧାଡ଼ି ବ୍ୟବସ୍ଥା କଲେ ଜଣେ ଭକ୍ତ ଯେଉଁ ପ୍ରକାରେ ବେଢ଼ା ବୁଲେ ଓ ଦେବାଦେବୀଙ୍କ ଦର୍ଶନ କରେ, ତାହା କଣ ସମ୍ଭବ?

 

ଆମ ଦେଶରେ ତିରୁପତିଙ୍କଠାରୁ ଅନ୍ୟତ୍ର ଯେତେ ସବୁ ମନ୍ଦିର ରହିଛି, ସେହି ସବୁ ମନ୍ଦିରରେ ମାତ୍ର ଜଣେ ଜଣେ ଆରାଧ୍ୟ ଦେବତା ବା ଦେବୀ ମା’ ପୂଜା ପାଆନ୍ତି। ତେଣୁ ସେହି ସବୁ ମନ୍ଦିରଗୁଡ଼ିକରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସଫଳତାର ସହ ଲାଗୁ କରାଯାଇ ପାରିଛି। କିନ୍ତୁ ଶ୍ରୀ ଜଗନ୍ନାଥ ମନ୍ଦିର ସେହିଭଳି ମନ୍ଦିର ନୁହେଁ। ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ଵର ସହ ବିଚାର କରିବା ଦରକାର।

ଅବଶ୍ୟ ଗର୍ଭଗୃହ ମଧ୍ୟରେ ପ୍ରବେଶ କରି ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ବାହାର ବେଢ଼ାଠାରୁ ଧାଡ଼ି ବ୍ୟବସ୍ଥା କରାଗଲେ ଭକ୍ତମାନେ ଯେ ବହୁ ମାତ୍ରାରେ ଉପକୃତ ହେବେ ସେଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ସିଂହଦ୍ଵାରଠାରୁ ଧାଡ଼ି ବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ ।

ଅକ୍ଟୋବର ୩ ତାରିଖ ଦିନର ଭୀଷଣ ଜନ ଆକ୍ରୋଶକୁ ଦେଖି ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେହିଦିନ ହିଁ ବୈଠକ ବସି ପୁରୀ ବାସିନ୍ଦାଙ୍କୁ ସ୍ଵତନ୍ତ୍ର ପରିଚୟପତ୍ର ପ୍ରଦାନ ପୂର୍ବକ ସିଂହଦ୍ଵାର ବ୍ୟେତିରେକ ଅନ୍ୟ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ତିନି ଦ୍ଵାର ଦେଇ ପ୍ରବେଶ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି ।

ଏହା କଣ ଯଥାର୍ଥ?

ଭକ୍ତ ଭକ୍ତ ମଧ୍ୟରେ ଏଭଳି ପାର୍ଥକ୍ୟ ସୃଷ୍ଟି କରିବା କେତେଦୂର ଗ୍ରହଣୀୟ?

ଏହାଛଡ଼ା, କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ଏତେ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ସମର୍ଥ ହେବେ ତ? ନା ସେମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ପ୍ରତି ବର୍ଷ ସ୍ଵତନ୍ତ୍ର ପରିଚୟପତ୍ର ବ୍ୟବସ୍ଥା କରି ସେମାନଙ୍କୁ ଶୀଘ୍ର ଦର୍ଶନର ସୁବିଧା ଯୋଗାଇ ଦେବେ?

ଆଚ୍ଛା, ପ୍ରତି ବର୍ଷ ରଥ ଯାତ୍ରା ବେଳକୁ ମହାପ୍ରଭୁମାନେ ଯେଉଁ ଭଳି ମହା ପଟୁଆରରେ ବଡ଼ ଦାଣ୍ଡ ଉପରକୁ ପହଣ୍ଡି ବିଜେ କରନ୍ତି, ସିଂହଦ୍ଵାରରେ ଧାଡ଼ି ବ୍ୟବସ୍ଥା ଲାଗୁ କରିବାକୁ ବାରିକେଡ଼ କରାଗଲେ ତହିଁରେ ବ୍ୟାଘାତ ସୃଷ୍ଟି ହେବ ନାହିଁ କି?

ଭକ୍ତ ପୁରୀରୁ ହୁଅନ୍ତୁ ବା ଦେଶର ଅନ୍ୟ ଯେଉଁଠାରୁ ହୋଇ ଥାଆନ୍ତୁ ନା କାହିଁକି, ଶ୍ରୀ ଜଗନ୍ନାଥଙ୍କ ସମସ୍ତ ଭକ୍ତ ମନ୍ଦିର ଭିତରକୁ ସିଂହଦ୍ଵାର ଦେଇ ପ୍ରବେଶ କରିବାକୁ ଚାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ଏ କଥାଟିକୁ ଭୁଲିଗଲେ ଚଳିବ ନାହିଁ।

ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସିନ୍ଦାଙ୍କୁ ପରିଚୟପତ୍ର ଦେବା ସହ ଅନ୍ୟ ତିନି ଦ୍ଵାର ଦେଇ  ମନ୍ଦିର ପ୍ରବେଶ ପାଇଁ  ଯେଉଁ ନିଷ୍ପତ୍ତି ହୋଇଛି, ତାହା ପୁରୀ ବାସିନ୍ଦାମାନଙ୍କ ଦ୍ଵାରା କେତେଦୂର ଗ୍ରହଣୀୟ ହେଉଛି ତାହା ଦେଖିବାକୁ ବାକି ରହିଲା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment