ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ତିତ୍‌ଲି ପାଇଁ ୪ଟି ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ୧୦ ତାରିଖରୁ ବାତ୍ୟାର ପ୍ରକୋପ ଜୋର୍ ହେବାର ସମ୍ଭାବନା ରହିଥିବାରୁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

ଗଞ୍ଜାମ, ଗଜପତି, ପୁରୀ, ଜଗତ୍‌ସିଂହପୁର ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବୁଧବାରଠାରୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉନ୍ନୟନ କମିଶନର ଆର୍‌ ବାଲାକ୍ରିଷ୍ଣନ, ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ଏବଂ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ୪ଟି ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିବାର ଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

“ବାତ୍ୟାର ତୀବ୍ରତା ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ। ପରିସ୍ଥିତିକୁ ଦେଖିବା ପରେ ଅନ୍ୟ ଜିଲ୍ଲା ପାଇଁ ପଦକ୍ଷେପ ନିଆଯିବ”, କହିଛନ୍ତି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ।

Comment