ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ପ୍ରଦର୍ଶନୀ ମ୍ୟାଚ
  • ଦିଲ୍ଲୀପ ତିର୍କୀ ଏବଂ ଧନରାଜ ପିଲ୍ଲେଙ୍କ ନେତୃତ୍ୱରେ ମ୍ୟାଚ
  • ୨-୦ ଗୋଲରେ ବିଜୟୀ ହେଲା ଦିଲ୍ଲୀପଙ୍କ ‘ଦିଲ୍ ଏକାଦଶ’ ଟିମ୍
  • ୨ ନମ୍ବର ଜର୍ସି ପିନ୍ଧିଲେ ଦିଲ୍ଲୀପ
  • ୧୪ ବର୍ଷ ପରେ ୯ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ଆସିଲେ ଧନରାଜ

ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହବାକୁ ଥିବା ହକି ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଟାଡିୟମ୍ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ।  ପୁରୁଷ ହକି ବିଶ୍ୱକପ୍ ଆୟୋଜନ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଷ୍ଟାଡିୟମ ଉଦଘାଟନ କରିଛନ୍ତି।

ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଛି ପ୍ରଦର୍ଶନୀ ମ୍ୟାଚ। ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦେଶର ଦୁଇ ପ୍ରସିଦ୍ଧ ହକି ଖେଳାଳି ଦିଲ୍ଲୀପ ତିର୍କୀ ଏବଂ ଧନରାଜ ପିଲ୍ଲେଙ୍କ ଟିମ୍। ୨-୦ ଗୋଲରେ ଦିଲ୍ଲୀପଙ୍କ ଟିମ୍ ବିଜୟୀ ହୋଇଛନ୍ତି।

ପ୍ରଦର୍ଶନୀ ମ୍ୟାଚ ପାଇଁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଓ ଦେଶର ଜଣାଶୁଣା ହକି ତାରକା ଧନରାଜ ପିଲ୍ଲେଙ୍କ ନେତୃତ୍ୱର ବର୍ତ୍ତମାନର ଭାରତୀୟ ଯୁବ ଖେଳାଳିଙ୍କୁ ନେଇ ଦୁଇଟି ଟିମ୍ ଗଠିତ ହୋଇଥିଲା। ଏହି ଦୁଇଟି ଟିମ୍ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ମଧ୍ୟ ଆୟୋଜନ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ତିତ୍‌ଲି ପ୍ରଭାବରେ ବର୍ଷା ହୋଇଥିଲେ ମଧ୍ୟ ମ୍ୟାଚରେ ପ୍ରତିବନ୍ଧକ ସାଜି ନଥିଲା।

ପ୍ରଦର୍ଶନୀ ମ୍ୟାଚରେ ଦିଲ୍ଲୀପ   ତିର୍କୀଙ୍କ  ‘ଦିଲ୍‌ ଏକାଦଶ’ ଟିମ୍ ୨/୧ ଗୋଲରେ ଧନରାଜ୍ ପିଲ୍ଲେଙ୍କ ‘ଧନ ଏକାଦଶ’ ଟିମକୁ ପରାଜିତ କରିଛି।

ଦିଲ୍ ଏକାଦଶ ଟିମ୍ ପକ୍ଷରୁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦୀପକ ଠାକୁର ଦୁଇଟି ଗୋଲ ଦେଇଥିଲେ। ଅପରପକ୍ଷରେ ଧନ ଏକାଦଶର ଖେଳାଳି ଗୁରୁଜାତ୍ ସିଂହ ଗୋଟିଏ ଗୋଲ୍ ଦେଇଥିଲେ। ଏହି ଦୁଇ ଦଳରେ ଦେଶର ବଛା ବଛା ହକି ତାରକାମାନେ ସାମିଲ ହୋଇଥିଲେ। ବିରେନ୍ଦ୍ର ରସ୍କିନା, ସର୍ଦ୍ଦାର୍ ଯୁବରାଜ ସିଂହ, ଦୀପକ ଠାକୁର, ସର୍ଦ୍ଦାର୍ ସିଂହ ପ୍ରମୁଖ ଖେଳାଳିମାନେ ଥିଲେ ।

ଦିଲ୍ଲୀପ ତିର୍କୀ ଏବଂ ଧନରାଜ ପିଲ୍ଲେଙ୍କ ମଧ୍ୟରେ ହୋଇଥିବା ଏହି ପଦର୍ଶନୀ ମ୍ୟାଚ୍ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଲାଗିଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଦୁଇ ଦଳର ଖେଳାଳିମାନେ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ। ଦିଲ୍ଲୀପ ତାଙ୍କର ପ୍ରିୟ ୨ ନମ୍ବର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇ ଥିବା ବେଳେ ଧନରାଜ୍ ପିଲ୍ଲେ ୧୪ ବର୍ଷ ପରେ ତାଙ୍କ ପ୍ରିୟ ୯ ନମ୍ବର ଜର୍ସି ପିନ୍ଧି ମ୍ୟାଚ ଖେଳିଥିଲେ।

ମ୍ୟାଚ୍ ପରେ ସମସ୍ତ ଖେଳାଳିଙ୍କୁ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଟ୍ରଫି ପ୍ରଦାନ କରିଥିଲେ।

ହକି ତାରକା ଧନରାଜ ପିଲ୍ଲେ କହିଛନ୍ତି, “ବର୍ତ୍ତମାନ ହକିର ପରିଭାଷା ବଦଳି ଯାଇଛି। ବର୍ତ୍ତମାନ ହକି ଅଧିକ ଆଦୃତ ହୋଇଛି। ଖେଳାଳିମାନେ ମଧ୍ୟ ଅଧିକ ସ୍ମାର୍ଟ ହୋଇଛନ୍ତି। ଅନେକ ବର୍ଷ ପରେ ମୁଁ କଳିଙ୍ଗ ଷ୍ଟାଡିୟମରେ ଖେଳିଥିବାରୁ ବହୁତ ଖୁସି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ୍ ନିଶ୍ଚିତ ଭାବେ ରୋମାଞ୍ଚ ସୃଷ୍ଟି କରିବ।”

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀ ତିର୍କୀ କହିଛନ୍ତି, “ପ୍ରଦର୍ଶନୀ ମ୍ୟାଚ୍ ଖୁବ୍ ସୁନ୍ଦର ହୋଇଥିଲା। ସମସ୍ତ ଖେଳାଳି ଭଲ ଖେଳିଲେ। ମୁଁ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛି। ହେଲେ ହୋମ୍ ଗ୍ରାଉଣ୍ଡରେ ଖେଳିବାର ସୁଯୋଗ କେବେ ପାଇନଥିଲି। କଳିଙ୍ଗ ଷ୍ଟାଡିୟମରେ ପ୍ରଦର୍ଶନୀ ମ୍ୟାଚ ଖେଳିବା ମୋ ପାଇଁ ବେଶ୍ ନିଆରା। ଏହି ମ୍ୟାଚ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।”

ହକି ଷ୍ଟାଡିୟମ ଉଦଘାଟିତ

କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ହକି ଷ୍ଟାଡିୟମକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏଠାରେ ଉଭୟ ଅଭ୍ୟାସ ଏବଂ ମୁଖ୍ୟ ମ୍ୟାଚ ପାଇଁ ଏଠାରେ ନୂଆ ବ୍ଲୁ ଟର୍ଫ ବିଛା ଯାଇଛି। ଫେଡେରେସନ ଅଫ୍ ଇଣ୍ଟରନ୍ୟାସନାଲ ହକି (ଏଫ୍‌ଆଇଏଚ୍‌) ନିୟମ ଅନୁସାରେ ଏହି କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି। ଷ୍ଟାଡିୟମର କ୍ଷମତା ୭ ହଜାରରୁ ୧୫ ହଜାରକୁ ବୃଦ୍ଧି କରାଯାଇଛି।

ଏହି ଅବସରରେ ହକି ଇଣ୍ଡିଆ ସଭାପତି ମୁସ୍ତାକ ଅହମ୍ମଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପହାର ସ୍ୱରୂପ ହକି ଷ୍ଟିକ୍ ଏବଂ ବଲ୍ ଥିବା ଏକ ସ୍ମାରକୀ ପ୍ରଦାନ କରିଥିଲେ। ହକି ଇଣ୍ଡିଆ ମହାସଚିବ ରାଜିନ୍ଦର ସିଂ ଓ ସିଇଓ ଏଲିନା ନର୍ମାନ ଗୋଟିଏ ଲେଖାଏଁ ଭାରତୀୟ ଦଳର ଜର୍ସି ଦେଇଥିଲେ। ମୁଖ୍ୟମନ୍ତ୍ରୀ ପଡ଼ିଆକୁ ଯାଇ ଉଭୟ ଟିମ୍‌ର ଅଧିନାୟକଙ୍କ ସହ ହାତ ମିଳାଇଥିଲେ। ସମସ୍ତ ଖେଳାଳିଙ୍କୁ ନେଇ ଏକ ଫଟୋ ସେସନ ଅନୁଷ୍ଠିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ ସାରଥୀ ବେହେରା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, କ୍ରୀଡ଼ା ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ।

Comment