ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ। ଉତ୍ତର ଓଡ଼ିଶା ପ୍ରତି ସତର୍କ ସୂଚନା ଜାରି।

“ଦୁର୍ବଳ ହେଉଛି ସାମୁଦ୍ରିକ ଝଡ଼ ତିତ୍‌ଲି। ଦୁର୍ବଳ ହୋଇ ଏହା ଗୁରୁବାର ୧୧ଟା୩୦ରେ ଡିପ୍‌ ଡିପ୍ରେସନର ରୂପ ନେଇଛି। ଆଜି ରାତି ସୁଦ୍ଧା ଏହା ଡିପ୍ରେସନର ରୂପ ନେଇ ଦୁର୍ବଳ ହୋଇଯିବ। ହେଲେ ଏହାର ପ୍ରଭାବରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହୋଇଛି। ଘୂର୍ଣ୍ଣିଝଡ଼ ଉତ୍ତର-ପୂର୍ବ ଦେଇ ପଶ୍ଚିମବଙ୍ଗ ମୁହାଁ ହୋଇଥିବାରୁ ଉତ୍ତର ଓଡ଼ିଶା ପ୍ରତି ସତର୍କ ସୂଚନା ଜାରି କରାଯାଇଛି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ।

ବୁଧବାର ରାତି ସାଢ଼େ ୨ଟାରେ ସାମୁଦ୍ରିକ ଝଡ଼ ତିତ୍‌ଲି ଆନ୍ଧ୍ରର ପଲାସାରେ ହିଟ୍ କରିଥିଲା। ଏହାର ପ୍ରଭାବରେ ଓଡ଼ିଶାର ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ତିତ୍‌ଲି ଉତ୍ତର-ପୂର୍ବ ଦିଗ ଦେଇ ପଶ୍ଚିମବଙ୍ଗ ମୁହାଁଇଛି। ହେଲେ ଏହାର ପ୍ରଭାବରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହୋଇଛି। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଆଗାମୀ ୨୪ ଘଣ୍ଟା ଭିତରେ ଉତ୍ତର ଓଡ଼ିଶା, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ ବୋଲି ଏଚ୍‌ ଆର୍‌ ବିଶ୍ୱାସ କହିଛନ୍ତି।

“ବର୍ଷା କମିଯିବା ପରେ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ରହିବ। ଏହାସହ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୦ କିଲୋମିଟର ବେଗରେ ପବନ ବହିବ। ବର୍ଷା ମଧ୍ୟ ହେବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ୧୩ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି”, କହିଛନ୍ତି ଏଚ୍‌ ଆର୍‌ ବିଶ୍ୱାସ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ସେ ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳର ଜି ଉଦୟଗିରିରେ ୩୫୧ ମିଲିମିଟର, ରାଇକିଆରେ ୨୮୨ ମିଲିମିଟର, କଟକର କନ୍ତାପଡ଼ାରେ ୩୧୯ ମିଲିମିଟର, ବାଙ୍କିରେ ୨୮୧ ମିଲିମିଟର, ମୋହନାରେ ୨୩୮ ମିଲିମିଟର, ଗଞ୍ଜାମରେ ୨୩୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Comment