ଓଡ଼ିଶାଲାଇଭ୍ ବ୍ୟୁରୋ

  •  ସ୍ୱତନ୍ତ୍ର ହେଲିକପ୍ଟରରେ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲା ପରିଦର୍ଶନ କଲେ
  • ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ଦିଆଗଲା ରିଲିଫ୍
  • ଆକାଶମାର୍ଗରୁ ରିଲିଫ୍ ସାମଗ୍ରୀ ପକାଇଲା ପ୍ରଶାସନ
  • ରିଲିଫ୍ କାର୍ଯ୍ୟରେ ନିୟୋଜିତ ଦୁଇଟି ହେଲିକପ୍ଟର

ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏୟାରପୋର୍ଟରୁ ସ୍ୱତନ୍ତ୍ର ହେଲିକପ୍ଟରରେ ନବୀନ ଆଜି ବନ୍ୟାଞ୍ଚଳ ଗସ୍ତ କରିଥିଲେ।

ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲେ। ଭୁବନେଶ୍ୱର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ।

ବନ୍ୟା ପ୍ରଭାବିତ ଅଞ୍ଚଳ ଗଞ୍ଜାମ ଜିଲ୍ଲାର ଅସ୍କା, ପୁରୁଷୋତ୍ତମପୁର ଏବଂ ସେରଗଡ଼ ଅଞ୍ଚଳଳରେ ଆଜି ଦୁଇଟି ହେଲିକପ୍ଟର ସହାୟତାରେ ଆକାଶ ମାର୍ଗରୁ ରିଲିଫ୍ ସାମଗ୍ରୀ ଦିଆଯାଇଛି। ରିଲିଫ୍ ପୁଡ଼ିଆରେ ଚୁଡ଼ା, ଗୁଡ଼, କ୍ୟାଣ୍ଡେଲ୍, ଦିଆସିଲ୍ ଅଛି।

ବିଶାଖାପାଟଣାରୁ ଦୁଇଟି ହେଲିକପ୍ଟର ଶୁକ୍ରବାର ସନ୍ଧ୍ୟାରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲା। ଗଞ୍ଜାମ ଜିଲ୍ଲାର ଆସ୍କା, ପୁରୁଷୋତ୍ତମପୁର ବିଶେଷଭାବେ କ୍ଷତି ହୋଇଛି।

ତିତ୍‌ଲି ପ୍ରଭାବରେ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଗତ ଦୁଇ ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ପ୍ରମୁଖ ନଦୀରେ ଜଳ ସ୍ତର ବଢ଼ିଥିଲା। ଋଷିକୂଲ୍ୟା ଏବଂ ବଂଶଧାରା ନଦୀରେ ବନ୍ୟା ଆସିବାରୁ ଚାରିଆଡ଼େ ଜଳମଗ୍ନ ହୋଇଯାଇଥିଲା। ଗଜପତି, ଗଞ୍ଜାମ, ଆସ୍କା, ଧରାକୋଟ, ପୁରୁଷୋତ୍ତମପୁର, ସୋରଡ଼ା ଅଞ୍ଚଳର ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି।

ବର୍ଷା କମିଥିବାରୁ ବନ୍ୟାଞ୍ଚଳରେ ସ୍ଥିତି ସୁଧୁରୁଛି। ହେଲେ ଅନେକ ସ୍ଥାନରେ ଲୋକ ଏବେ ବି ଜଳବନ୍ଦୀ ଅଛନ୍ତି।

ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଓ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ କନ୍ଧମାଳର ବନ୍ୟା ପରିସ୍ଥିତି ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ରିଲିଫ ବଣ୍ଟନ କାର୍ଯ୍ୟକୁ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ବନ୍ୟାଞ୍ଚଳରେ ସ୍ଥିତି ତଦାରଖ କରିବା ପାଇଁ ତିନି ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରାଯାଇଛି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନେଇ କମିଟି ଗଠନ କରାଯାଇଛି।

Comment