ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଯଶ୍ୱସୀ ଅଭିନେତା ଦେବୁ ବୋଷ ଶତାଧିକ ସିନେମାରେ ଅଭିନୟ କରିଥିଲେ ସେଥିମଧ୍ୟରୁ ତାଙ୍କ କ୍ୟାରିଅରର ମାଇଲ୍ ଖୁଣ୍ଟ ବୋଲି କୁହାଯାଉଥିବା କେତୋଟି ଓଡ଼ିଆ ଛବି ସେଥିରେ ଥିବା ତାଙ୍କ ଚରିତ୍ର ସମ୍ପର୍କରେ ଜାଣନ୍ତୁ, ଯାହାକୁ ଓଡ଼ିଆ ସିନେପ୍ରେମୀ କେବେ ବି ଭୁଲିପାରିବେ ନାହିଁ

 

ତପସ୍ୟା

ବିଶ୍ୱନାଥ ମିଶ୍ରଙ୍କ ପ୍ରଯୋଜିତ ତଥା ନଗେନ୍‌ ରାୟଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ସିନେମା ‘ତପସ୍ୟା’ରୁ ଅଭିନେତା ଭାବେ ସିନେମାରେ ପ୍ରବେଶ କରିଥିଲେ। ପ୍ରଥମ ସିନେମାରେ ଦେବୁ ବୋଷଙ୍କୁ ଖଳନାୟକ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଭୂମିକାଟି ଥିଲା ଜଣେ ଡ୍ରାଇଭରର ଯିଏ ନାୟିକା (ଅନୀତା ଦାସ)ଙ୍କ ସହ ଦୁଷ୍କର୍ମର ପ୍ରୟାସ କରିଥିଲା।

‘ତପସ୍ୟା’ରେ ଦେବୁ ବୋଷଙ୍କ ଅଭିନୀତ ଚରିତ୍ରଟି ସଂକ୍ଷିପ୍ତ ହେଲେ ହେଁ ସେ ପ୍ରଭାବଶାଳୀ ଅଭିନୟ କରି ନିର୍ମାତା – ନିର୍ଦ୍ଦେଶକ ଓ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଫୁଲଚନ୍ଦନ

ବଟକୃଷ୍ଣ ନାୟକଙ୍କ ପ୍ରଯୋଜିତ ତଥା ମହପଦ୍‌ ମହସୀନଙ୍କ ନିର୍ଦ୍ଦେଶିତ ‘ଫୁଲଚନ୍ଦନ’ରେ ଦେବୁ ବୋଷଙ୍କୁ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଭୂମିକାରେ ଦେଖିବାକୁ ମିଳିଥିଲା।

ଏଇ ତ ଦୁନିଆ

ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ତଥା ସ୍ୱର୍ଗତ ମହମ୍ମଦ୍‌ ସହସୀନଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ସିନେମା ‘ଏଇତ ଦୁନିଆ’ରେ ଦେବୁ ବୋଷଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା।

ଏହି ସିନେମାରେ ଦେବୁ ବୋଷ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୂମିକାରେ ନଜର ଆସିଥିଲେ, ଯାହାଙ୍କ ଚକ୍ରାନ୍ତର ଶିକାର ହୋଇ ଜଣେ ଛାତ୍ରବତ୍ସଳ ଶିକ୍ଷକ (ମହମ୍ମଦ ମହସୀନ) ଆତ୍ମହତ୍ୟା କରିଥିଲେ। ଏହି ଫିଲ୍ମରେ ବି ଦେବୁ ଦା’ଙ୍କ ଅଭିନୟ ଚିତ୍ତାକର୍ଷକ ଥିଲା।

ଯେ ପାଞ୍ଚେ ପରମନ୍ଦ

ସାଧାରଣତଃ ସ୍ନେହୀ ଓ ଶୃଙ୍ଖଳିତ ପିତା ଭୂମିକା ନିଭାଇ ଦର୍ଶକଙ୍କ ଦ୍ୱାରା ଆଦୃତି ଲାଭ କରିଥିବା ଅଭିନେତା ଦେବୁ ବୋଷ ଶେଷଥର ପାଇଁ ଯେଉଁ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଭୂମିକା ନିଭାଇଥିଲେ, ତାହା ହେଲା ‘ଯେ ପାଞ୍ଚେ ପରମନ୍ଦ’। ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଦେବଙ୍କ ଭୂମିକା ଥିଲା ଜଣେ ଚକ୍ରାନ୍ତକାରୀ ଦିଅର।

ସୁନା ଚଢ଼େଇ

ଦେବୁ ବୋଷଙ୍କ ଅଭିନୟ ଜୀବନର ଏକ ମାଇଲଖୁଣ୍ଟ ସିନେମା ହେଲା ‘ସୁନା ଚଢ଼େଇ’। କେଶବ ରାଉତଙ୍କ ପ୍ରଯୋଜିତ ତଥା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ଏହି ବ୍ଲକବଷ୍ଟର ସିନେମାରେ ଦେବୁ ବୋଷଙ୍କ ଅଭିନୀତ ଚରିତ୍ରଟି ଥିଲା ଜଣେ ସମ୍ଭ୍ରାନ୍ତ ଅଥଚ ଅହଙ୍କାରୀ ବ୍ୟକ୍ତି, ଯିଏ ପରେ ନିଜର ଭୁଲ୍ ବୁଝିପାରି ପ୍ରାୟଶ୍ଚିତ କରିଥିଲେ।

‘ସୁନା ଚଢ଼େଇ’ରେ ଦେବୁ ବୋଷ ନାୟକ (ଉତ୍ତମ ମହାନ୍ତି)ଙ୍କର ବାପା ଭୂମିକା ନିଭାଇଥିଲେ। ପୁଅ ଜଣେ ମଧ୍ୟବିତ୍ତ ପରିବାରର ଝିଅକୁ ପ୍ରେମ ବିବାହ କରିବା ପରେ ବାପାଘରୁ ବିଦା କରି ଦେଇଥିଲେ। ପରେ ଘଟଣାକ୍ରମେ ଦେବୁ ବୋଷ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସିତ ହେବା ସମୟରେ ବୋହୂ (ଅର୍ଚ୍ଚନା ଜୋଗଲେକର) ତାଙ୍କୁ ଭଲ କରିଥିଲେ।

ଏହା ପରେ ଦେବୁ ବୋଷ ନିଜର ଭୁଲ ବୁଝିପାରିଥିଲେ। ଏଣେ ବୋହୂ ରକ୍ତ କର୍କଟରେ ପୀଡ଼ିତ ହେବା ପରେ ତା’ର ଚିକିତ୍ସା କରାନ୍ତି। ଖାଲି ପାଦରେ ସେ ଭଗବାନ ଶ୍ରୀଜଗନ୍ନାଥଙ୍କ ପାଖକୁ କଟକରୁପୁରୀ ଯାଉଥିବାର ଦୃଶ୍ୟ ଥିଲା ଅତ୍ୟନ୍ତ ଭାବୋଦ୍ଦୀପି। ଦେବୁ ବୋଷଙ୍କ ଉପରେ ଏହି ସମୟରେ ପିକ୍ଚରାଇଜ୍‌ ହୋଇଥିଲା ଗୀତ- ‘କାଳିଆ କାଳିଆ… ଅଛି କିଏ କହ ଆଉ ତୋହରି ଭଳିଆ…।’

ଦେବୁ ବୋଷ ‘ସୁନାଚଢ଼େଇ’ରେ ଚମକପ୍ରଦ ଅଭିନୟ କରିଥିଲେ, ଯେଉଁଥିପାଇଁ କୁହାଯାଏ ଏହା ହେଉଛି, ତାଙ୍କ କ୍ୟାରିଅରର ଲାଇଫ୍‌ ବେଷ୍ଟ୍ ଲାଇଫ୍ ବେଷ୍ଟ୍ ପରଫରମାନ୍ସ।

ପୁଅ ମୋର କଳାଠାକୁର

ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ବିଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ ‘ପୁଅ ମୋର କଳାଠାକୁର’ ସିନେମାରେ ବି ଦେବୁ ବୋଷଙ୍କ ଅଭିନୟ ଦର୍ଶକଙ୍କ ମାନସପଟରୁ ସହଜରେ ଲିଭିବନି।

ସେ ଏହି ଫିଲ୍ମରେ ଉଭୟ ଯୁବକ ଓ ବୟସ୍କ ଭୂମିକାରେ ନଜର ଆସିଥିଲେ। ସିନେମାର ପ୍ରାରମ୍ଭରେ ଜଣେ ଯୁବକ ଅଫିସର୍‌ ଭୂମିକାରେ ଅଭିନୟ କରିଥିଲେ। ଯିଏ କି ଅନୀତା ଦାସଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ସହରକୁ ଚାଲିଯାଇଥିଲେ।

ହେଲେ ସହରରୁ ଫେରିବା ପରେ ଆଉ ତାଙ୍କୁ ପାଇଲେନି। ସିନେମାର ଦ୍ୱିତୀୟ ଭାଗରେ ଦେବୁ ବୋଷ ବୟସ୍କ ଭୂମିକାରେ ପରଦାକୁ ଆସିଥିଲେ।

Comment