ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ସ୍ଥିତି ସୁଧୁରୁଛି। ବନ୍ୟା ପୀଡ଼ିତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ମରାମତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏସବୁ ତଦାରଖ କରିବା ପାଇଁ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନଙ୍କୁ ନିୟୋଜିତ କରାଯିବ”, କହିଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ଯୋଗ ଦେଇଥିଲେ।

ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ପ୍ରାଣୀ ଓ ପଶୁ ସମ୍ପଦ ବିଭାଗ, କୃଷି, ଉଦ୍ୟାନ କୃଷି, ଶକ୍ତି ବିଭାଗର ବିଭାଗୀୟ ମୁଖ୍ୟମାନେ ଗଜପତି ଜିଲ୍ଲା ଯିବେ। ରିଲିଫ୍ ଏବଂ ମରାମତି କାର୍ଯ୍ୟରେ ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ଶ୍ରୀ ସେଠୀ।

ତିତ୍‌ଲି ବାତ୍ୟା ଏବଂ ବନ୍ୟାରେ ଗଜପତି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଣୁ ଗଜପତି ଜିଲ୍ଲା ଉପରେ ସରକାର ଅଧିକ ଫୋକସ୍ କରିଛନ୍ତି।

ଗଜପତି ଜିଲ୍ଲାକୁ ୪ ହଜାର ପଲିଥିନ ପଠାଯାଇଥିବା ବେଳେ ରାୟଗଡ଼ ବ୍ଲକର ବଡ଼ଗଡ଼, ଗଙ୍ଗବାଡ଼ ପଞ୍ଚାୟତକୁ ୫୦୦ ପ୍ୟାକେଟ ଚୁଡ଼ା ଏବଂ ଗୁଡ଼ ପଠାଯାଇଛି। ୨୯ଟି ମେଡିକାଲ ରିଲିଫ ସେଣ୍ଟର ଏହି ଜିଲ୍ଲାରେ ଖୋଲାଯାଇଥିବା ବେଳେ ୧୪ଟି ଭ୍ରାମ୍ୟମାଣ ମେଡିକାଲ ଟିମକୁ ନିୟୋଜିତ କରାଯାଇଛି।

ମା’ ଗୃହକୁ ୬୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି। ଗୃହ ପାଳିତ ପଶୁଙ୍କ ପାଇଁ ୧୬ଟି କ୍ୟାମ୍ପ ଖୋଲାଯାଇଛି। ଭାଙ୍ଗିଯାଇଥିବା ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଚାଲୁ ରହିଛି।

Comment