ଓଡ଼ିଶାଲାଇଭ୍ ବ୍ୟୁରୋ

ତିତ୍‌ଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାର ହାତ ଖୋଲିଦେଲେ। ବାତ୍ୟା ଓ ବନ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲା ପାଇଁ ୧୦୨ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଥମିକ ପର୍ଯ୍ୟାୟରେ ଏହି ଘୋଷଣା କରାଯାଇଛି।

ଏହାସହ ସ୍ଥିତି ଉପରେ ନଜର ରଖିବା ପାଇଁ ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ। ପରବର୍ତ୍ତୀ ସମୟରେ ବନ୍ୟା ଦୁର୍ଗତଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଗଜପତି ଜିଲ୍ଲାର ୧ ଲକ୍ଷ ୪ ହଜାର ୬୮୧ ପରିବାର ପାଇଁ ୧୧ କୋଟି ଟଙ୍କା ଘୋଷଣା କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ୫ ଲକ୍ଷ ୯୭ ହଜାର ୨୧ ପରିବାର ପାଇଁ ୮୯.୬୦ କୋଟି ଟଙ୍କା ଦେଇଛନ୍ତି ସରକାର। ସେହିପରି ରାୟଗଡ଼ା ଜିଲ୍ଲାର ୧୪ ହଜାର ପରିବାର ପାଇଁ ୧.୪୦ କୋଟି ଟଙ୍କା ଦେଇଛନ୍ତି ସରକାର।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଭଞ୍ଜନଗର ଏବଂ ଗଜପତି ଜିଲ୍ଲାର ବାରଘର ଗାଁ ଗସ୍ତ କରିବେ। ସେଠାରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ।

ଅକ୍ଟୋବର ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ତିନି ଜିଲ୍ଲା ଗସ୍ତ କରି ଫେରିବା ପରେ ୧୫ ଦିନ ପାଇଁ ରିଲିଫ ଘୋଷଣା କରିଥିଲେ। ୪ ଜଣିଆ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୩ ହଜାର ଟଙ୍କାର ରିଲିଫ ଘୋଷଣା କରିଥିଲେ। ବୟସ୍କମାନଙ୍କ ପାଇଁ ଦୈନିକ ୬୦ ଟଙ୍କା ଏବଂ ଛୋଟ ପିଲାଙ୍କ ପାଇଁ ୪୫ ଟଙ୍କାର ରିଲିଫ ଘୋଷଣା କରିଥିଲେ।

Comment