ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶ୍ରୀମାନ୍ ସୁରଦାସ’ ଓ ‘ଫୋର୍ ଇଡିଅଟ୍ସ’ ଫିଲ୍ମରୁ ନିଜର ଅସୁସ୍ଥତା ପାଇଁ ଛାଡିଥିଲେ ପପୁ ପମ୍‌ପମ୍‌।

ଦଶହରାରେ ରିଲିଜ୍‌ ହୋଇଛି ଏକ ଓଡ଼ିଆ ସିନେମା ଯାହାର ଟାଇଟଲ୍ ହେଲା ‘ଶ୍ରୀମାନ୍ ସୁରଦାସ’। ଏହି ଫିଲ୍ମରେ ବାବୁସାନ୍‌ ଓ ଭୂମିକାଙ୍କ ବ୍ୟତୀତ ବୁଦ୍ଧାଦିତ୍ୟ ମହାନ୍ତି ବି ନଜର ଆସିଛନ୍ତି। ହେଲେ ଏବେ ଶୁଣିବାକୁ ମିଳୁଛି ଯେ ଏହି ସିନେମାରେ ବୁଦ୍ଧାଦିତ୍ୟଙ୍କ ଭୂମିକା ଲାଗି ପ୍ରଥମେ ପପୁ ପମ୍‌ପମ୍‌ଙ୍କୁ ଚୟନ କରାଯାଇଥିଲା।

‘ଶ୍ରୀମାନ ସୁରଦାସ’ର ପ୍ରଯୋଜନା କରିଥିବା ସଂସ୍ଥା ତରଙ୍ଗ ସିନେ ପ୍ରଡକ୍ସନ୍ସ ଏକ ବ୍ଲକବଷ୍ଟର ସିନେମା ଥିଲା ‘ଲଭଷ୍ଟେସନ’। ଏଥିରେ ବାବୁସାନ୍‌ ଓ ପପୁଙ୍କ ଯୋଡ଼ି ଧମାଲ୍ କରିଥିଲା। କିନ୍ତୁ ପପୁ ପମ୍‌ପମ୍‌ ହଠାତ୍ ଅସୁସ୍ଥ ହେବା ପରେ ଉକ୍ତ ଚରିତ୍ରରେ ପରିବର୍ତ୍ତନ କରାଗଲା ଓ ପପୁଙ୍କ ଜାଗାରେ ବୁଦ୍ଧାଦିତ୍ୟଙ୍କୁ ନିଆଗଲା ବୋଲି ଶୁଣିବାକୁ ମିଳୁଛି।

ଚଳିତବର୍ଷ ରଜରେ ମୁକ୍ତିଲାଭ କରିଥିଲା ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ଫୋର ଇଡିଅଟ୍ସ’। ଏହି ଫିଲ୍ମରେ ଚାରି ଜଣ ଇଡିଅଟ୍‌ଙ୍କ ଭିତରୁ ଜଣେ ଥିଲେ ପପୁ ପମ୍‌ପମ୍‌। ଏଥିରେ ପ୍ରଥମେ ସବ୍ୟସାଚୀ, ଆକାଶ ଓ କୁନା ତ୍ରିପାଠୀଙ୍କ ସହ ପପୁ ପମ୍‌ପମ୍‌ଙ୍କୁ ନିଆଯାଇଥିଲା। ଫିଲ୍ମର ସୁଟିଂ ବି ଆରମ୍ଭ ହୋଇଥିଲା। କିନ୍ତୁ ସୁଟିଂ ସମୟରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ ଷ୍ଟାର୍ କମେଡିଆନ୍‌ ପପୁ ପମ୍‌ପମ୍‌। ତା’ ପରେ ପପୁଙ୍କୁ ବାଧ୍ୟ ହୋଇ ପ୍ରଯୋଜକ ‘ଫୋର୍ ଇଡିଅଟ୍ସ’ରୁ ବାହାର କରିଥିଲେ। ପପୁ ପମ୍‌ପମ୍‌ଙ୍କ ଜାଗାରେ ପ୍ରଯୋଜକ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ନିଆଯାଇଥିଲା।

ଲୋକପ୍ରିୟ ହାସ୍ୟାଭିନେତା ପପୁ ପମ୍‌ପମ୍‌ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଜୋକର୍’ ଫିଲ୍ମ ପାଇଁ ବି ଖୁବ୍ ସମୟ ଦେଇଥିଲେ। ଏଥିରେ ତମନ୍ନା, ଲିପ୍‌ସା ଓ ଦୁଷ୍ମନ୍ତ ପ୍ରମୁଖ  ଭୂମିକାରେ ଥିଲେ। ‘ଜୋକର’ର ନବେ ପ୍ରତିଶତ ସୁଟିଂ ସରିଥିଲା। ହେଲେ ପ୍ରଯୋଜକ ଯେଉଁ ସମୟରେ ପୁଣି ସୁଟିଂ କରିବାକୁ ସ୍ଥିର କରିଥିଲେ, ସେହି ସମୟରେ ପପୁ ପମ୍‌ପମ୍‌ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ପରିଶେଷରେ ତାଙ୍କ ପକ୍ଷେ ସୁଟିଂ କରିବା ସମ୍ଭବପର ହୋଇନଥିଲା। ଏଯାବତ୍ ‘ଜୋକର୍‌’ର କାମ ସରିପାରିନାହିଁ।

 

Comment