ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାର ଦେଲେ ତାଜା ସୂଚନା। ୫୭ରୁ ୬୧କୁ ବୃଦ୍ଧି ପାଇଲା ତିତ୍ଲି ମୃତ୍ୟୁ ସଂଖ୍ୟା।
ବାତ୍ୟା ତିତ୍ଲି ପ୍ରଭାବରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଗତ ଦୁଇ ଦିନ ତଳେ ମୃତ୍ୟୁ ସଂଖ୍ୟା ୫୭ ଥିବା ବେଳେ ଏହା ୬୧କୁ ଛୁଇଁଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସଚିବାଳୟରେ ତିତ୍ଲି ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବା ବେଳେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଆନ୍ଧ୍ରର ୩ ଜଣ ମତ୍ସ୍ୟଜୀବୀ ଅଛନ୍ତି।
ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, “ବାତ୍ୟା ଏବଂ ବନ୍ୟାରେ ୫୭ ହଜାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ୨.୭ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହୋଇଛି। ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି। ୨୭୭୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପୁନରୁଦ୍ଧାର କାମ ଜୋରଦାର ଚାଲିଛି। କିଛି ସ୍ଥାନରେ କାମ ମଧ୍ୟ ଶେଷ ହୋଇଛି।”
ରାୟପୁର-ଗୋପାଳପୁର ଜାତୀୟ ରାଜପଥ, ସୋରଡା-ଦାରିଙ୍ଗବାଡ଼ି ରାସ୍ତା ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଗତ ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କ୍ଷତିପୂରଣ ଦାବି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ହଜାରେ କୋଟି ଟଙ୍କା ଦେବାକୁ ନବୀନ ମୋଦିଙ୍କୁ ଚିଠିରେ ଦର୍ଶାଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୭୭୦.୨୮ କୋଟି ଟଙ୍କାର କ୍ଷତି ହୋଇଥିବା ସରକାର ଆକଳନ କରିଥିଲେ। ଏନ୍ଡିଆର୍ଏଫ୍ ଫଣ୍ଡରୁ ୨୦୧୪.୦୯ କୋଟି ଟଙ୍କା ଦାବି କରିଛନ୍ତି ନବୀନ।








ସରକାର ଦେଲେ ତାଜା ସୂଚନା। ୫୭ରୁ ୬୧କୁ ବୃଦ୍ଧି ପାଇଲା ତିତ୍ଲି ମୃତ୍ୟୁ ସଂଖ୍ୟା।









