ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୯,୦୧୫ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି
  • ୨୭୨ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର
  • ପ୍ରଭାବିତ ଅଞ୍ଚଳରେ ୮୬ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମ୍

ତିତ୍‌ଲି ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କେମିତି ଚାଲିଛି ତାର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା। କ୍ଷତିଗ୍ରସ୍ତ ଅଞ୍ଚଳରେ ତତ୍କାଳ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସମ୍ପର୍କରେ ମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି।

କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫୪ଟି ସ୍ୱାସ୍ଥ୍ୟକେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ବୈଠକରେ ଜଣାପଡ଼ିଛି।

ପ୍ରଭାବିତ ଅଞ୍ଚଳରେ ବାହାର ଜିଲ୍ଲାରୁ ୫୪ ଜଣ ଡାକ୍ତରଙ୍କୁ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୯,୦୧୫ ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ବେଳେ ନିରାପଦ ପ୍ରସବ ଲାଗି ୨୭୨ ଜଣ ଗର୍ଭବତୀ ମହିଳାଙ୍କୁ ମା’ ଗୃହ ଏବଂ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ୮୬ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମକୁ ୧୯୩ଟି ଏମ୍‌ଆର୍‌ସିରେ ମୁତୟନ କରାଯାଇଥିବା ବୈଠକରୁ ଜଣାପଡ଼ିଛି।

ବର୍ତ୍ତମାନ ସୁଦ୍ଧା ୨୫ କିଲୋ ଓଜନର ୫୪୫୦ ବ୍ଲିଚିଙ୍ଗ ପାଉଡର ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ୧୨ ଲକ୍ଷ ୩୦ ହଜାର ପ୍ୟାକେଟ ଓଆର୍‌ଏସ୍, ୮ ଲକ୍ଷ ୫୮ ହଜାର ୩୨ ହାଲୋଜେନ ବଟିକା, ୨୫୦୦ ସାପକାମୁଡ଼ା ଇଞ୍ଜେକ୍ସନ୍, ୮୦ ହଜାର ସାଲାଇନ ପ୍ରଭାବିତ ଜିଲ୍ଲାଙ୍କୁ ପଠା ଯାଇଥିବା ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ।

ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳଗୁଡ଼ିକୁ ବିଶୋଧନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୮୯, ୨୮୨ ଖୋଲା ପାନୀୟ ଜଳ ଉତ୍ସ ବିଶୋଧନ କରାଯାଇଥିବା ବେଳେ ୪ ହଜାର ୩୫ରୁ ଅଧିକ ଗାଁରେ ସଫେଇ କାର୍ଯ୍ୟ ହୋଇଛି। ଗାଁଗୁଡ଼ିକୁ ସଫା ସୁତରା ରଖିବା ଲାଗି ଗାଁ କଲ୍ୟାଣ ସମିତିକୁ ସହଯୋଗ କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରଭାବିତ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କାର୍ଯ୍ୟର ନିୟମିତ ଅନୁଧ୍ୟାନ ଲାଗି ରାଜ୍ୟ ସ୍ତରର ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।

ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ଏମ୍‌ଡି ଅର୍ଚ୍ଚନା ପଟ୍ଟନାୟକ, ସ୍ୱତନ୍ତ୍ର ସଚିବ ଡକ୍ଟର ବି କେ ବ୍ରହ୍ମା, ଡକ୍ଟର ମିର୍ଜା ନଇମ୍ ବେଗ୍, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡକ୍ଟର ହରପ୍ରସାଦ ପଟ୍ଟନାୟକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ସ୍ୱପ୍ନେଶ୍ୱର ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment