ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ।

ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ ବାଜିଛି। କେବେ ଲୋକାୟୁକ୍ତ ନିଯୁକ୍ତି କରିବ ନିର୍ଦ୍ଦିଷ୍ଟ ତାରିଖ ଜଣାଅ ବୋଲି ସୁପ୍ରିମକୋର୍ଟ ଆଜି ଓଡ଼ିଶା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହାସହ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିବା ପିଟିସନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅଧିକ ୩ ମାସ ସମୟ ମାଗିଥିଲେ ଓଡ଼ିଶା ସରକାର। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ହେଲେ ଏହାକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ।

ଲୋକାୟୁକ୍ତ ନିଯୁକ୍ତିକୁ ନେଇ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ଜୁଲାଇ ୧୦ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ଦେବା ସହ ସ୍ଥିତାବସ୍ଥା ରିପୋର୍ଟ ଦାଖଲ ପାଇଁ ଓଡ଼ିଶା ସରକାରଙ୍କୁ ଏପ୍ରିଲ ୧୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ।

ଜୁଲାଇ ୧୦ ତାରିଖ ଭିତରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ଦେଇ ନଥିଲେ। ଲୋକପାଳ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ଚୟନ କମିଟି ପାଇଁ ବିଜ୍ଞପ୍ତି ଜାରି କରି ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ। ଅକ୍ଟୋବର ୧୦ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି କରିବାକୁ ପୁଣି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଧାରିତ ସମୟ ଭିତରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି କରି ନଥିବାରୁ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି।

୨୦୧୪ ଫେବ୍ରୁଆରି ୧୪ ତାରିଖରେ ଓଡ଼ିଶା ବିଧାନସଭାରେ ଲୋକାୟୁକ୍ତ ବିଲ୍ ପାସ୍ ହୋଇଥିଲା।

Comment