ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଫେଲ୍ ଦୁର୍ନୀତିରୁ ବର୍ତ୍ତିବା ପାଇଁ ରାତି ଅଧିଆ ସିବିଆଇ ନିର୍ଦ୍ଦେଶକଙ୍କୁ ହଟାଇଦେଲେ କେନ୍ଦ୍ର ସରକାର।

ସିବିଆଇ ନିର୍ଦ୍ଦେଶକଙ୍କୁ ହଠାତ୍ ହଟାଇ ଦିଆଯିବା ଉପରେ ମୋଦି ସରକାରଙ୍କୁ ସିଧା ଆଟାକ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସିବିଆଇ ନିର୍ଦ୍ଦେଶକଙ୍କୁ କାହିଁକି ଛୁଟି ଦେଲ ବୋଲି ମୋଦିଙ୍କୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି ରାହୁଲ। ରାଫେଲ୍ ଦୁର୍ନୀତିରୁ ବର୍ତ୍ତିବା ପାଇଁ ସିବିଆଇ ମୁଖ୍ୟଙ୍କୁ ହଟାଇ ଦିଆଯାଇଥିବା ରାହୁଲ କହିଛନ୍ତି।

“ସିବିଆଇ ମୁଖ୍ୟଙ୍କୁ ପଦବୀରୁ ହଟାଇବାର ନିଷ୍ପତ୍ତି କେବଳ ସରକାର ଚାହିଁଲେ କରିପାରିବେନି। ତିନି ଜଣିଆ କମିଟି ହିଁ ଏ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ହିଁ ଏହି ନିଷ୍ପତ୍ତି ନେବାର ଅଧିକାର ରହିଛି। ହେଲେ କେନ୍ଦ୍ର ସରକାର ବିରୋଧୀ ଦଳ ନେତା କିମ୍ବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ମତାମତ ନେଇ ନାହାନ୍ତି। ଏହା ସମ୍ବିଧାନର ଅପମାନ”, କହିଛନ୍ତି ରାହୁଲ ଗାନ୍ଧି।

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ଦୁଇ ଜଣଙ୍କୁ ଗତ ବୁଧବାର ଛୁଟିରେ ପଠାଇ ଦେଇଛନ୍ତି କେନ୍ଦ୍ର ସରକାର।  ଏନେଇ ଶ୍ରୀ ବର୍ମା ସୁପ୍ରିମକୋର୍ଟ ଯାଇଛନ୍ତି।

ରାହୁଲ ଆହୁରି କହିଛନ୍ତି ଯେ ସିବିଆଇ ରାଫେଲ ଦୁର୍ନୀତିର ତଦନ୍ତ କରିବାର ଥିଲା। ରାଫେଲ ଦୁର୍ନୀତିର ଯଦି ସିବିଆଇ ତଦନ୍ତ ହୋଇଥାନ୍ତା ତାହାଲେ ସତ ସାମ୍ନାକୁ ଆସିଥାନ୍ତା। ସାରା ଦେଶବାସୀ ଜାଣିଥାନ୍ତେ ରାଫେଲ ଡିଲ୍‌ରେ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ କ’ଣ ଥିଲା?

ରାତି ଅଧରେ କାହିଁକି ସିବିଆଇ ଅଫିସର କିଛି ରୁମ୍‌କୁ ସିଲ୍ କରାଗଲା? କାହିଁକି ରାତି ଅଧରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଗଲା? ଏହା ପଛରେ କିଛି ନା କିଛି ରାଜନୀତି ରହିଥିବା ରାହୁଲ କହିଛନ୍ତି। ଗୋଟିଏ ଅପରାଧ ଲୁଚାଇବା ପାଇଁ ମୋଦି ଶହେ ଅପରାଧ କରି ଚାଲିଛନ୍ତି ବୋଲି ରାହୁଲ ଆଜି ବାଣ ମାରିଛନ୍ତି।

ଦୁଇ ସିବିଆଇ ଅଧିକାରୀଙ୍କୁ ଛୁଟିରେ ପଠାଇବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସିଭିସି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ରାହୁଲ ମଧ୍ୟ ଜେଟଲୀଙ୍କୁ ଟାର୍ଗେଟ କରିଛନ୍ତି। ଜେଟଲୀ ପ୍ରଥମେ ତାଙ୍କ ଝିଅ ଏବଂ ମେହୁଲ ଚୋକ୍ସିଙ୍କ କାରବାର ସମ୍ପର୍କରେ ତଦନ୍ତ କରନ୍ତୁ ବୋଲି ରାହୁଲ କହିଛନ୍ତି।

Comment