ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମାଧୁରୀ ଦୀକ୍ଷିତ, ଐଶ୍ୱର୍ଯ୍ୟା ରାୟ, ମହିମା ଚୌଧୁରୀ ଓ ମିନାକ୍ଷୀ ଶେଷାଦ୍ରୀଙ୍କୁ ଷ୍ଟାର ବନେଇଥିବା ନିର୍ଦ୍ଦେଶକ ସୁଭାଷ ଘାଇ କିପରି ବିଭିନ୍ନ ସମୟରେ ଯୌନ ଶୋଷଣ କରିଛନ୍ତି, ତା’ର ଖୁଲାସା ହୋଇଛି ଏବେ…

‘ମି ଠୁ’ ଅଭିଯାନ ଏବେ ଅଧିକ ସକ୍ରିୟ ହୋଇଛି। ଏବେ ବଲିଉଡର ଦ୍ୱିତୀୟ ଶୋ’ ମ୍ୟାନ୍‌ କୁହାଯାଉଥିବା ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ଉପରେ ବି ଆସିଛି ଯୌନ ଶୋଷଣର ଅଭିଯୋଗ। କାଲିଚରଣ, ବିଶ୍ୱନାଥ୍, କର୍ଜ୍, ଗୌତମ ଗୋବିନ୍ଦା, ହିରୋ, କର୍ମା, ମେରି ଜଙ୍ଗ୍, ରାମ ଲଖନ୍, ସୌଦାଗର୍‌, ଖଳନାୟକ, ପରଦେଶ୍‌, ତାଲ୍, ୟାଦେଁ ଏବଂ ଯୁବରାଜ୍ ଭଳି ଲୋକପ୍ରିୟ ଫିଲ୍ମର ନିର୍ଦ୍ଦୋକ ସୁଭାଷ ଘାଇ ବି ଏହି କଳଙ୍କର ଟିକା ପିନ୍ଧିଛନ୍ତି।

ପୂର୍ବତନ କର୍ମଚାରୀଙ୍କୁ ବଳାତ୍କାର ଅଭିଯୋଗ

ଶୋ’ ମ୍ୟାନ୍ ସୁଭାଷ ଘାଇଙ୍କ ନାଁରେ ତାଙ୍କର ଜଣେ ପୂର୍ବତନ ମହିଳା କର୍ମଚାରୀ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ସୁଭାଷ ବଳାତ୍କାର କରିଥିଲେ। ମହିଳାଙ୍କ କହିବା ଅନୁଯାୟୀ, ସୁଭାଷ ଘାଇ ତାଙ୍କୁ ଏକ ନିଶା ଦ୍ରବ୍ୟ ସେବନ କରିବାକୁ ଦେଇଥିଲେ। ତା’ପରେ ହୋଟେଲରେ ନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।

ପୀଡ଼ିତାଜଣକ ଏ କଥା ଜଣେ ଲେଖିକା ମହିମା କୁକରେଜାଙ୍କୁ କହିଥିଲେ। ମହିମା ଏହି ଟୁଇଟର ଜରିଆରେ ସମସ୍ତଙ୍କୁ ଜଣାଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସୁଭାଷ ଘାଇ ତାଙ୍କୁ ବିଳମ୍ବିତ ରାତି ଯାଏଁ କାମ କରିବାକୁ କହିଥିଲେ ଓ ତାଙ୍କର ବିଭିନ୍ନ ଅଙ୍ଗକୁ ଛୁଉଁଥିଲେ। ଖାଲି ସେତିକି ନୁହେଁ ତାଙ୍କୁ ଅନେକ ସମୟରେ କୁଣ୍ଢାଇ ଧରି ରଖୁଥିଲେ।

ଥରେ ସୁଭାଷ ଘାଇ ଏକ ଫ୍ଲାଟକୁ ଡାକି ହଠାତ୍‌ ପୀଡ଼ିତାଙ୍କ କୋଳରେ ମୁଣ୍ଡ ରଖି ଶୋଇଗଲେ ଓ ତାଙ୍କୁ କିସ୍‌ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ପୀଡ଼ିତା ସେଠାରୁ ଚାଲି ଯାଇଥିଲେ। ପୀଡ଼ିତାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ କାମ ଛାଡ଼ିନଥିଲେ।

କିନ୍ତୁ ଥରେ ରେକର୍ଡିଂରେ ବିଳମ୍ବ ହେବା ପରେ ତାଙ୍କୁ ରାସ୍ତା ସୁଭାଷ ଘାଇ ଡ୍ରିଙ୍କରେ ନିଶାଦ୍ରବ୍ୟ ମିଶାଇ ପିଆଇ ଥିଲେ। ତା’ ପରେ ହୋଟେଲକୁ ନେଇ ତାଙ୍କର ବଳାତ୍କାର କରିଥିଲେ। ସକାଳେ ଉଠିବା ପରେ ସୋଫାରେ ରକ୍ତର ଦାଗ ସେ ଦେଖିଥିଲେ।

ମଡେଲ୍‌ ଆକ୍‌ଟ୍ରେସ୍‌ କେଟ୍ ଶର୍ମାଙ୍କ ଅଭିଯୋଗ

ଶୋ’ ମ୍ୟାନ୍‌ ସୁଭାଷ ଘାଇ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗର ଚର୍ଚ୍ଚା ନ ସରୁଣୁ ଆଉ ଜଣେ ଅଭିନେତ୍ରୀ ତଥା ମଡେଲ ଏବେ ତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଏହି ଅଭିନେତ୍ରୀ ଜଣକ ହେଲେ କେଟ୍ ଶର୍ମା। ସେ ନିର୍ମାତା- ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ନାଁରେ ମୁମ୍ବାଇର ବର୍ସୋବା ପୋଲିସ ଥାନାରେ ଯୌନ ଶୋଷଣ ମାମଲା ଦାୟର କରିଛନ୍ତି।

ମଡେଲ୍ ତଥା ଅଭିନେତ୍ରୀ କେଟ୍‌ ଶର୍ମାଙ୍କ ଅଭିଯୋଗ ଅନୁଯାୟୀ, ଗତ ଅଗଷ୍ଟ ୬ ତାରିଖରେ ସୁଭାଷ ଘାଇ ଏକ ପାର୍ଟିରେ କେଟ୍‌ଙ୍କୁ ଆମନ୍ତ୍ରଣ କରିଥିଲେ। ସେହି ଦିନ ସୁଭାଷ ଘାଇ ତାଙ୍କ ପାଖକୁ ଡାକିଥିଲେ ଏବଂ ଦେହ ମାଲିସ କରିବା ଲାଗି କହିଥିଲେ। ସେତେବେଳେ ସେଠାରେ ୫-୬ ଜଣ ଲୋକ ବି ଥିଲେ।

କେଟ୍‌ ସମସ୍ତଙ୍କ ସାମ୍ନାରେ ସୁଭାଷ ଘାଇଙ୍କର ମାଲିସ୍‌ ବି କରିଥିଲେ। ଏହାପରେ କେଟ୍‌ ଶର୍ମା ହାତ ଧୋଇବା ପାଇଁ ୱାସରୁମ୍‌କୁ ଯାଇଥିଲେ। ସୁଭାଷ ଘାଇ ତାଙ୍କ ପଛେ ପଛେ ସେହି ପହଞ୍ଚିଥିଲେ। ସେଠି ତାଙ୍କୁ ଜବରଦସ୍ତି କିସ୍‌ କରିବା ଲାଗି ଉଦ୍ୟମ କରିଥିଲେ ସୁଭାଷ ଘାଇ।

ଏହାପରେ କେଟ୍‌ ଶର୍ମା ସେଠାରୁ ଚାଲି ଆସିଥିଲେ। କେଟ୍‌ କିନ୍ତୁ ସେତେବେଳେ ନିଜ ଭିତରେ ସାହସ ସଞ୍ଚାର କରି ପାରିନଥିଲେ। ହେଲେ ପରେ ଥାନାରେ ଏତଲା ଦେବା ସହିତ ସୋସିଆଲ୍‌ ମିଡିଆରେ ନିଜ ସହ ଘଟିଥିବା ଘଟଣାର ଖୁଲାସା କରିବା ସହିତ ସୁଭାଷ ଘାଇଙ୍କ ସହୟ ହୋଇଥିବା କଥାବାର୍ତ୍ତାର ସ୍କ୍ରିନ୍‌ ସଟ୍‌ ବି ସେୟାର କରିଛନ୍ତି।

ଏଥିରେ ସୁଭାଷ ଘାଇ ନିଜ ପ୍ରାଇଭେଟ୍ ପାର୍ଟିରେ ଉଠାଯାଇଥିବା ଫଟୋକୁ ସୋସିଆଲ୍‌ ମିଡିଆ ସେୟାର ନ କରିବାକୁ ପରାମର୍ଶ ଦେଇଥିଲେ।

Comment