ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ବାବୁସାନ ଓ ହଟ୍ ହିରୋଇନ୍‌ ରୀୟା ଦେ କିଛି ବର୍ଷ ହେବ ଏକାଠି ପରଦାକୁ ଆସିନାହାନ୍ତି। କାରଣ ଜାଣନ୍ତି?

ଓଲିଉଡର ସୁପରଷ୍ଟାର ବାବୁସାନ ଏକ ସାକ୍ଷାତକାରରେ ନାୟିକାମାନଙ୍କ ସମ୍ପର୍କରେ ନିଜର ମତ ରଖିଥିଲେ। ସେଥିରେ ସେ କହିଥିଲେ ଓଲିଉଡର ହଟ୍‌ ହିରୋଇନ୍‌ ରୀୟା ଦେଙ୍କ ସହିତ କାମ କରି ଖୁବ୍‌ ମଜା ପାଇଛନ୍ତି। ସେ ରୀୟାଙ୍କ ସହିତ ଖୁବ୍ କମ୍ଫର୍ଟବୁଲ୍ ମଧ୍ୟ ଫିଲ୍ କରନ୍ତି ବୋଲି କହିଥିଲେ ବାବୁସାନ।

ଏବେ ବାବୁସାନ୍‌ ଓ ରୀୟାଙ୍କ ଫ୍ୟାନ୍‌ମାନେ ପ୍ରଶ୍ନ କରୁଛନ୍ତି, ଏ ଦୁହେଁ କାହିଁକି ପୁଣି ଏକାଠି କାମ କରୁନାହାନ୍ତି? ଗତ ଦୁଇ ବର୍ଷ ହେଲା ବାବୁସାନ ନୂଆ ନୂଆ ନାୟିକାଙ୍କ ସହ ବେଶି କାମ କରୁଛନ୍ତି। ଠିକ୍‌ ସେହି କଥା ରୀୟା ଦେଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ।

ବାବୁସାନ ଏହି ସମୟ ଭିତରେ ଏଲିନା ସାମନ୍ତରାୟ, ଶିବାନୀ, ସୁପ୍ରିୟା, ଭୂମିକା ଓ ଦିବ୍ୟା ପ୍ରମୁଖ ନାୟିକାଙ୍କ ବିପକ୍ଷରେ ନାୟକ ବନିଛନ୍ତି। ଏଲିନାଙ୍କ ସହ ବାବୁସାନ ଲଭ ଷ୍ଟେସନ, ଶିବାନୀଙ୍କ ସହ ‘ସିଷ୍ଟର ଶ୍ରୀଦେବୀ’ ସୁପ୍ରିୟାଙ୍କ ବିପକ୍ଷରେ ‘ଲଭ ପାଇଁ କୁଛ୍‌ଭି କରେଗା’ ଏବଂ ‘ଓନ୍‌ଲି ପ୍ୟାର୍’ ଭୂମିକାଙ୍କ ସହିତ ‘ହିରୋ ନଂ୧’ ଓ ‘ଶ୍ରୀମାନ୍ ସୁରଦାସ’ ଏବଂ ଦିବ୍ୟାଙ୍କ ସହିତ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଆଦି ସିନେମାରେ କାମ କରିଛନ୍ତି।

କିନ୍ତୁ ଇତିମଧ୍ୟରେ ପାଖାପାଖି ଦୁଇ ବର୍ଷ ଦଶମାସ ବିତିବାକୁ ବସିଲାଣି। ହେଲେ ବାବୁସାନ ତାଙ୍କର ଅନ୍ୟତମ ପ୍ରିୟ ନାୟିକା ରୀୟାଙ୍କ ସହିତ କୌଣସି ସିନେମାରେ ସ୍କ୍ରିନ୍ ସେଆର୍‌ କରିନାହାନ୍ତି। ବିଗତ କିଛି ସମୟ ଧରି ରୀୟା ଦେ ନୂଆ ବା ଆପତତଃ ନୂଆ ନାୟକମାନଙ୍କ ସହିତ ଅଧିକ ସିନେମାରେ କାମ କରୁଥିବା ଲକ୍ଷ୍ୟ କରାଯାଉଛି।

ସେ ‘କଥା ଦେଲି ମଥା ଛୁଇଁ’ ସିନେମାରେ ନବାଗତ ଅମନ୍‌ ଓ ଅଭିଷେକ, ‘ଦିୱାନା ହେଲି ତୋ’ ପାଇଁ’ରେ ନୂଆ ନାୟକ ମୁନ୍ନାରେ ନଜର ଆସିଛନ୍ତି।

ଅନ୍ୟପକ୍ଷରେ ଏବେ ଫ୍ଲୋର୍‌ରେ ଥିବା ଯେଉଁ କେତୋଟି ସିନେମାରେ ରୀୟା କାମ କରୁଛନ୍ତି, ସେଥିରେ ସମ୍ବିତ, ଜ୍ୟୋତି ଏବଂ ଆର୍ଯ୍ୟନ୍ ଦାଶ କୁମାରଙ୍କ ସହିତ ଆସୁଛନ୍ତି। ରୀୟା ସମ୍ବିତଙ୍କ ସହିତ ‘ପ୍ରେମ ପାଇଁ ମହାଭାରତ’ ଓ ‘ଯୋଉଠି ଥିଲେ ବି ତୁ ମୋର’ ଏବଂ ଜ୍ୟୋତିଙ୍କ ସହିତ ‘ପ୍ରେମରେ ରଖିଚି ଶହେରୁ ଶହେ’ରେ କାମ କରୁଛନ୍ତି।

ବାବୁସାନ-ରୀୟାଙ୍କ ଫିଲ୍ମୋଗ୍ରାଫି

ରୀୟା ଦେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ୨୦୧୦ର ସିନେମା ‘ପ୍ରେମ ଅଢ଼େଇ ଅକ୍ଷର’ରେ। ଏଥିରେ ରୀୟାଙ୍କ ବିପକ୍ଷରେ ନାୟକ ବନିଥିଲେ ବାବୁସାନ। ଏହା ଥିଲା ବାବୁସାନ୍‌-ରୀୟା ଯୋଡ଼ିଙ୍କର ପ୍ରଥମ ସିନେମା। ଏହା ପରେ ୨୦୧୨ରେ ‘ଇଡିଅଟ୍’ ସିନେମାରେ ପୁଣି ଥରେ ନଜର ଆସିଥିଲେ ବାବୁସାନ୍‌ ରୀୟାଙ୍କ ହିଟ୍ ପେଆର୍‌। ଏତଦ୍ ବ୍ୟତୀତ ବାବୁସାନ୍‌ ଓ ରୀୟା ଦେଙ୍କ ଯୋଡ଼ି ‘ଲଭମାଷ୍ଟର’ ଏବଂ ‘ତୁ ଯେ ସେଇ’ ସିନେମାରେ ବି ନଜର ଆସିଥିଲେ।

୨୦୧୬ରେ ରିଲିଜ୍‌ ହୋଇଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ତୁ ଯେ ସେଇ’ ପରେ ବାବୁସାନ୍‌-ରୀୟାଙ୍କ ଯୋଡ଼ିକୁ ଆଉ ପରଦା ଉପରେ ଦେଖିବାକୁ ପାଇନାହାନ୍ତି ଦର୍ଶକ।

ଏ ସମ୍ପର୍କରେ ରୀୟାଙ୍କର ମତ ହେଲା ଯେ ପ୍ରଯୋଜକ/ ନିର୍ଦ୍ଦେଶକ ଚାହିଁଲେ ପୁଣି ପରଦାରେ ବାବୁସାନ୍‌-ରୀୟା ଯୋଡ଼ି ନଜର ଆସିବେ।

Comment