ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘କସୌଟି ଜିନ୍ଦେଗି କେ’ ଫେମ୍‌ ଶ୍ୱେତା ତିୱାରୀ ଘରୋଇ ହିଂସାର ଶିକାର ହେବା ସହ ଦୁଇ ଥର ବିବାହ କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅଧିକ କିଛି…

ଲୋକପ୍ରିୟ ଟେଲି ତାରକା ଶ୍ୱେତା ତିୱାରୀ ୨୦୦୧ରେ ଟେଲିଭିଜନ ଶୋ’ ‘କହିଁ କିସି ରୋଜ୍’ରୁ ଡେବ୍ୟୁ କରିଥିଲେ। ଏହା ତାଙ୍କୁ ସାଧାରଣ ଭାବେ ପରିଚୟ ଦେଇଥିଲା। ତା’ପରେ ଟେଲି କୁଇନ୍ ଏକତା କପୁରଙ୍କ ମେଗା ସିରିଆଲ୍ ‘କସୌଟି ଜିନ୍ଦେଗି କି’ରେ ଫିମେଲ୍ ଲିଡ୍‌ରେ ନଜର ଆସିଥିଲେ। ଏହି ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗି କି’ରେ ପ୍ରେରଣା ଭୂମିକାରେ ଅଭିନୟ କରି ଜଣେ ବିଗ୍‌ଷ୍ଟାର୍‌ ବନିଥିଲେ। ଏହା ପରେ ଶ୍ୱେତା ତିୱାରୀ ଘରେ ଘରେ ପ୍ରେରଣା ନାଁରେ ପରିଚିତ ହେଲେ।

ଶ୍ୱେତା ତିୱାରୀ ‘କସୌଟି ଜିନ୍ଦେଗି କି’ ପରେ ଅନ୍ୟ କେତେକ ମେଗା ସିରିଆଲ୍‌ରେ ମଧ୍ୟ ନଜର ଆସିଛନ୍ତି। ଏଥିମଧ୍ୟରେ ‘ଜାନେ କ୍ୟା ବାତ୍‌ ହୁଇ’, ଅଦାଲତ୍, ସଜନ୍‌ରେ ଝୁଠ୍ ମତ୍‌ ବୋଲୋ ଓ ପରିବରିଶ୍‌ ଆଦି ଉଲ୍ଲେଖଯୋଗ୍ୟ। ଏହାଛଡ଼ା ସେ କେତେକ ରିଆଲିଟି ଶୋ’ରେ ମଧ୍ୟ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଏହି ରିଆଲିଟି ଶୋ’ଗୁଡ଼ିକ ମଧ୍ୟରେ ରହିଛି ‘ନଚ୍ ବଲିଏ’, ଇସ୍ ଜଙ୍ଗଲ ସେ ମୁଝେ ବଚାଓ, କମେଡ଼ି ସର୍କସ୍ ଓ ଝଲକ୍‌ ଦିଖ୍‌ଲାଯା ଆଦି ଅନ୍ତର୍ଭୁକ୍ତ।

ଟେଲିଭିଜନରେ ଲୋକପ୍ରିୟତା ହାସଲ କରିବା ପରେ ଶ୍ୱେତା ତିୱାରୀ ଫିଲ୍ମରେ ପାଦ ଦେଇଥିଲେ। ଶ୍ୱେତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ମଦ୍‌ହୋଶି’। ଏଥିରେ ସେକେଣ୍ଡ ଲିଡ୍ ରୋଲ୍‌ରେ ନଜର ଆସିଥିଲେ ସେ। ଏହାପରେ ଶ୍ୱେତାଙ୍କୁ ‘ଆବ୍‌ରା ଡାବ୍‌ରା’ ଓ ‘ମିଲେନା ମିଲେ ହମ୍, ଭଳି ସିନେମାରେ ଦେଖିବାକୁ ମିଳିଛି। ଏହାଛଡ଼ା ଶ୍ୱେତା ବହୁ ଭୋଜପୁରୀ ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି।

ଶ୍ୱେତା ତିୱାରୀଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ବିବାଦୀୟ। ଖାସ୍‌ କରି ନିଜର ବୈବାହିକ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଶ୍ୱେତା। ସେ ୧୯୯୮ ମସିହା ଡିସେମ୍ବର ୨୩ ତାରିଖରେ ମାତ୍ର ୧୯ ବର୍ଷ ବୟସରେ ଅଭିନେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। ବିବାହର ଦୁଇ ବର୍ଷ ପରେ ଶ୍ୱେତାଙ୍କ ଝିଅ ପଲକଙ୍କର ଜନ୍ମ ହୋଇଥିଲା।

୨୦୦୧ରେ ଛୋଟ ପରଦାର ବୋହୂ ଭାବେ ବେଶ୍‌ ଲୋକପ୍ରିୟ ହୋଇ ଉଠିଲେ ଶ୍ୱେତା। ଏଣେ ତାଙ୍କ ସ୍ୱାମୀ ରାଜା ଚୌଧୁରୀ ନିଜ କ୍ୟାରିଅର୍‌ରେ ଆଦୌ ସଫଳ ହେଲେ ନାହିଁ। ସେ ଏକ ପ୍ରକାରର ମାନସିକ ଅବସାଦଗ୍ରସ୍ତ ହୋଇ ଉଠିଲେ। ରାଜା ତା’ପରେ ପ୍ରତିଦିନ ପ୍ରଚୁର ମଦ୍ୟପାନ କରି ଘରକୁ ଫେରୁଥିଲେ ଓ ଶ୍ୱେତା ତିୱାରୀଙ୍କୁ ମାରପିଟ କରୁଥିଲେ ବୋଲି ଚର୍ଚ୍ଚା ହେଲା।

ପରେ ଶ୍ୱେତା ତିୱାରୀ ଅଭିଯୋଗ କରିଥିଲେ ଯେ, ରାଜା କେବଳ ତାଙ୍କୁ ମାଡ଼ ମାରୁ ନଥିଲେ ଝିଅ ପଲକ ଉପରେ ବି ହାତ ଉଠାଉଥିଲେ। ଏପରିକି ପଲକକୁ ହତ୍ୟା କରିବାର ଷଡ଼ଯନ୍ତ୍ର ବି କରୁଥିଲେ ରାଜା।

ପ୍ରଥମ ବିବାହକୁ ନିଜ ଜୀବନର ସବୁଠାରୁ ବଡ଼ ଭୁଲ୍ ନିଷ୍ପତ୍ତି ବୋଲି କହନ୍ତି ଶ୍ୱେତା। ଘରୋଇ ହିଂସା ମାମଲା ରୁଜୁ କଲେ ଶ୍ୱେତା। ବିବାହର ପ୍ରାୟ ନଅ ବର୍ଷ ପରେ ଶ୍ୱେତା ରାଜାଙ୍କୁ ଛାଡ଼ପତ୍ର ଦେଇଥିଲେ।

୨୦୧୩ରେ ଶ୍ୱେତା ତିୱାରୀ ଅଭିନବ କୋହଲିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଶ୍ୱେତା ଦ୍ୱିତୀୟ  ଥର ପାଇଁ ମାଆ ହେଲେ। ଏଥର ତାଙ୍କର ପୁଅ ରେୟାଂଶ ଜନ୍ମ ହୋଇଥିଲେ। ମଝିରେ ଚର୍ଚ୍ଚା ଜୋର ଧରିଥିଲା କି ଶ୍ୱେତା ଓ ଅଭିନବଙ୍କ ଭିତରେ ଭଲ ସମ୍ପର୍କ ନାହିଁ। କିନ୍ତୁ ଏ ଖବରକୁ ଗୁଜବ ବୋଲି କହିଛନ୍ତି ଶ୍ୱେତା। ସମ୍ପ୍ରତି ଶ୍ୱେତାଙ୍କ ଝିଅ ପଲକ୍‌ ବଲିଉଡରେ ହିରୋଇନ୍‌ ଭାବେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି।

Comment