ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଡୁମୁରିଗୁଡା ପଞ୍ଚାୟତର ତୋଟାଙ୍ଗୀ ନିକଟରେ ତେଲୁଗୁ ଦେଶମ ଦଳର ଆରକୁ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ମାଓବାଦୀ।
ମାଓବାଦୀମାନେ ଆରକୁ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ କୀଡାରି ସର୍ବେଶ୍ୱର ରାଓ ଓ ପୂର୍ବତନ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସିବେରି ସୋମାଙ୍କୁ ସେପ୍ଟେମ୍ବର ମାସ ୨୩ ତାରିଖରେ ସଂଘବଦ୍ଧ ରୂପେ ଆକ୍ରମଣ କରି ହତ୍ୟା କରିଥିଲେ।
ଏହି ଉଭୟ ନେତା ଆରକୁ ନିର୍ବାଚନ ମଣ୍ଡଳୀରେ ଗତ ବହୁ ବର୍ଷ ଧରି ନିଜର ବେଆଇନ ଖଣି ଚଳାଇଆସୁଥିଲେ। ଆରକୁ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ କୀଡାରି ସର୍ବେଶ୍ୱର ରାଓ ନିଜର ବେଆଇନ କଳାପଥର କୁଆଁରୀ ଚଳାଉଥିବା ବେଳେ ଏଥିରେ ପୂର୍ବତନ ପ୍ରାର୍ଥୀ ସିବେରି ସୋମା ମଧ୍ୟ ସାମିଲ ଥିଲେ।

ଉଭୟ ନେତାଙ୍କ ବେଆଇନ ଖଣି ଉପରେ ରୋକ ଲଗାଇବା ପାଇଁ ଜନସାଧାରଣ ରାସ୍ତାକୁ ଓହ୍ଲାଇଥିଲେ। ଏମାନଙ୍କୁ ମାଓବାଦୀଙ୍କ ତରଫରୁ ବେଆଇନ ଖଣି ବନ୍ଦ କରିବାକୁ ଧମକ ବି ଦିଆଯାଇଥିଲା। ଏମାନେ ସମସ୍ତଙ୍କ କଥାର ଅବମାନନା କରି ନିଜର ବେଆଇନ ମାଇନିଂ ଚଲେଇଥିଲେ। ଏଥିପାଇଁ ଦିନ ଦିପହରରେ ମାଓବାଦୀ ମାନେ ସଂଘବଦ୍ଧ ଆକ୍ରମଣ କରି ଉଭୟ ନେତାଙ୍କୁ ହତ୍ୟା କରିଥିଲେ।
ବର୍ତ୍ତମାନ ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶର ଆରକୁ ସହ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ବେନାମୀ ଖଣି ମାଫିଆଙ୍କ ଓ ଏହି କାର୍ଯ୍ୟରେ ଲିପ୍ତ ରହିଥିବା କିଛି ସ୍ଥାନୀୟ ନେତାଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ସେମାନେ ନିଜ ପରିବାର ସୁରକ୍ଷା ପାଇଁ ନିଜର ମାତୃଭୂମି ଛାଡି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଉଥିବା ଜଣାପଡିଛି।

ଏହି ସମ୍ପର୍କରେ ସିପିଏମ ଦଳର ଆରକୁ ନେତା କିଲୋ ସୁରେନ୍ଦ୍ର କହିଛନ୍ତି, “କିଛି ସ୍ଥାନୀୟ ବାସିନ୍ଧା ବିଶାଖାପାଟଣାର ଆଦିବାସୀ ଅଞ୍ଚଳରେ କଳାପଥର କୁଆଁରୀ ଓ ଅନ୍ୟ ଖଣି ପାଇଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ଠାରୁ ସ୍ୱୀକୃତି ପାଇଛନ୍ତି। ସେମାନେ ସ୍ଥାନୀୟ ନେତାଙ୍କ ସହାୟତାରେ ସରକାରଙ୍କ ନୀତି ନିୟମ ଭଙ୍ଗ କରିବା ସହ ବେଆଇନ ରୂପେ ଖଣି କରୁଛନ୍ତି ଏବଂ ସ୍ୱୀକୃତି ପ୍ରାପ୍ତ ଜାଗାଠାରୁ ଅଧିକ ଜାଗାରେ ଖଣି କରୁଛନ୍ତି।
ଗତ ମାସରେ ସେମାନଙ୍କୁ ମାଓବାଦୀ ମାନେ ହତ୍ୟା କରିବା ପରେ ଶତକଡା ୯୦ ଭାଗ ଖଣି ବର୍ତ୍ତମାନ ବନ୍ଦ ହୋଇଯାଇଥିବା ଜଣାପଡିଛି। କୀଡାରି ସର୍ବେଶ୍ୱର ରାଓ ଆରକୁ ନିର୍ବାଚନ ମଣ୍ଡଳୀର ହୁକୂମପେଟା ପଞ୍ଚାୟତର କୁଲାପାଡୁ, ଗୁଡା ଓ ଅନ୍ୟ କିଛି ଜାଗାରେ ନିଜ ଶାଳକ ବି.ରାଜେନ୍ଦ୍ରଙ୍କ ନାମରେ ବେଆଇନ ମାଇନିଂ ଆରମ୍ଭ କରିଥିଲେ ଏବଂ ଏଠାରେ ସରକାରଙ୍କ ତରଫରୁ କୌଣସି କଳାପଥର କୁଆଁରୀ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇନଥିଲା।
୨୦୧୪ ମସିହାରେ କୀଡାରି ସର୍ବେଶ୍ୱର ରାଓ ୱାଇଏସଆର କଂଗ୍ରେସ ଦଳରୁ ଆରକୁ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ରୂପେ ତେଲୁଗୁ ଦେଶମ ଦଳର ସିବେରି ସୋମାଙ୍କ ପରାଜିତ କରି ବିଜୟୀ ହୋଇଥିଲେ। ସେତେବେଳେ ସେ ଆଦିବାସୀଙ୍କ ସପକ୍ଷରେ କାର୍ଯ୍ୟ କରିବେ କହି ନିର୍ବାଚନ ଜିତିଥିଲେ ଏବଂ ସେତେବେଳେ ସେ କୌଣସି ବେଆଇନ ଖଣି କାର୍ଯ୍ୟରେ ଲିପ୍ତ ନଥିଲେ କିନ୍ତୁ ୨ ବର୍ଷ ପରେ ଅର୍ଥାତ ୨୦୧୬ ମସିହାରେ ସେ ୱାଇଏସଆର କଂଗ୍ରେସ ଦଳରୁ ଇସ୍ତଫା ଦେଇ ତେଲୁଗୁ ଦେଶମ ଦଳରେ ଯୋଗ ଦେଇଥିଲେ।

ସେବେଠାରୁ କୀଡାରି ସର୍ବେଶ୍ୱର ରାଓ ଆଦିବାସୀଙ୍କ ବିରୋଧରେ ଓ ନିଜର ବେଆଇନ ଖଣି କାର୍ଯ୍ୟକଳାପ ଆରମ୍ଭ କରିଥିଲେ। ନିଜର ସମସ୍ତ ବେଆଇନ କାର୍ଯ୍ୟକଳାପକୁ ସୁରକ୍ଷିତ କରିବାପାଇଁ ସେ ସିବେରି ସୋମାଙ୍କୁ ନିଜର ପାର୍ଟନର କରିବା ସହ ତେଲୁଗୁ ଦେଶମ ଦଳର ଯୋଗ ଦେଇଥିଲେ।
ଆନ୍ଧ୍ରପ୍ରଦେଶ ଓ ଓଡିଶା ସୀମାନ୍ତରେ ଏହି ଘଟଣା ସମସ୍ତ ଖଣି ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।


















