ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର କମେଡି କିଙ୍ଗ୍ ପପୁ ପମ୍‌ପମ୍‌ ଏବେ ପୁଣି ଓଲିଉଡ ପରଦାକୁ ଫେରୁଛନ୍ତି। ଏଥର ସେ ଆସୁଛନ୍ତି ‘ଶଙ୍କରା’ ନାଁରେ…

ପପୁ ପମ୍‌ପମ୍‌ ନାଁଟି ମନୋରଞ୍ଜନ ଜଗତର ଏକ ଚର୍ଚ୍ଚିତ ନାମ। ସେ ସିନେମା, ଏଫ୍‌ଏମ୍‌, ଟେଲିଭିଜନ୍ ଓ ମଞ୍ଚ ଭଳି ବିଭିନ୍ନ ପ୍ଲାଟଫର୍ମରେ ନଜର କମାଲ୍ ଦେଖାଇଛନ୍ତି। ବଡ଼ପରଦାରେ ପପୁ ପମ୍‌ପମ୍‌ଙ୍କୁ ଦର୍ଶକ ଅଧିକାଂଶ ସିନେମାରେ ନାୟକର ସାଙ୍ଗ ଭୂମିକାରେ ଦେଖିବାକୁ ପାଇଛନ୍ତି।

ଏବେ ସେ ପୁଣି ଆସୁଛନ୍ତି ଏକ ନୂଆ ଓଡ଼ିଆ ସିନେମାରେ। ଏହି ସିନେମାର ଟାଇଟଲ୍ ହେଲା ‘ପଗ୍‌ଲୁ’। ‘ପଗ୍‌ଲୁ’ ଫିଲ୍ମରେ ପପୁ ପମ୍‌ପମ୍‌ ନବାଗତ ନାୟକ ଅଭିଷେକଙ୍କ ସାଙ୍ଗ ଭୂମିକାରେ ନଜର ଆସିବେ। ଏଥିରେ ତାଙ୍କୁ ଦର୍ଶକ ଏକ ନୂଆ ଅବତାରରେ ଦେଖିବାକୁ ପାଇବେ।

ତାଙ୍କ ଚରିତ୍ରର ନାଁ ରହିଛି ଶଙ୍କରା। ଶଙ୍କରା ହେଉଛି ନାୟକର ସାଙ୍ଗ। ନାୟକ ରିକ୍ସା ଚଳାଏ, ଏଣେ ଶ୍ରୀମନ୍ଦିରରେ ସେବାୟତ କାମ ବି କରେ। ଶଙ୍କରା ବି ସେହି କାମ କରିଥାଏ। ‘ପଗ୍‌ଲୁ’ରେ ଅଭିଷେକ ଓ ପପୁ ପମ୍‌ପମ୍‌ଙ୍କର ଅନେକଗୁଡ଼ିଏ କମେଡ଼ି ସିନ୍‌ ଅଛି, ଯାହାକୁ ଦେଖି ଦର୍ଶକ ହସି ହସି ବେଦମ୍ ହୋଇଯିବେ ବୋଲି କୁହାଯାଉଛି।

‘ପଗ୍‌ଲୁ’ ହେଉଛି ନାୟକର ନାଁ ଏହା ପ୍ରଯୋଜକ ହେଲେ ଜଗନ୍ନାଥ ପାଟଯୋଶୀ ମହାପାତ୍ର। ଏହି ସିନେମାର ନିର୍ଦ୍ଦେଶକ ହେଲେ ରାମ ପ୍ରସାଦ ସାମଲ। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର। ‘ପଗ୍‌ଲୁ’ର ଅନ୍ୟ ମୁଖ୍ୟ କଳାକାର ହେଲେ ମିହିର ଦାସ, ଅପରାଜିତା, ପ୍ରକୃତି ମିଶ୍ର ଓ ଦୈତାରି ପଣ୍ଡା ପ୍ରମୁଖ।

ଏମାନଙ୍କ ମଧ୍ୟରୁ ଖଳନାୟକ ଭୂମିକାରେ ଅଛନ୍ତି ଦୈତାରି ପଣ୍ଡା। ଫିଲ୍ମର କାହାଣୀ ଅନୁଯାୟୀ ଉପରୋକ୍ତ ସବୁ କଳାକାରଙ୍କ ଭୂମିକା ଦମ୍‌ଦାର୍‌। ପପୁ ପମ୍‌ପମ୍‌ ବେଶ୍ କିଛି ଦିନ ପରେ ପୁଣି ପରଦାକୁ ଫେରୁଥିବା ନିଶ୍ଚିତ ରୂପେ ଦର୍ଶକଙ୍କ ପାଇଁ ଖୁସି ଖବର।

ଆସନ୍ତୁ ଜାଣିବା ଆଗରୁ ପପୁ ପମ୍‌ପମ୍‌ କେଉଁ ସବୁ ସିନେମାରେ ଓଲିଉଡରେ କେଉଁ ନାୟକଙ୍କ ସାଙ୍ଗ ଭୂମିକାରେ ଆସି ଜମେଇ ଦେଇଛନ୍ତି…

ବାବୁସାନଙ୍କ ସହ ପପୁ

ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ସହ ବେଶ୍‌ କେତୋଟି ଫିଲ୍ମରେ ନଜର ଆସିଛନ୍ତି ପପୁ। ହେଲେ ସେଥିମଧ୍ୟରୁ ‘ଲଭ୍‌ଷ୍ଟେସନ’ରେ ବାବୁସାନଙ୍କ ସହିତ ପପୁ ପମ୍‌ପମ୍‌ଙ୍କର ଯୋଡ଼ି ସବୁଠୁ ବେଶି ଜମିଥିଲା। ଏଭଳି କୁହାଯିବା ପଛର କାରଣ ହେଲା ‘ଲଭ୍‌ଷ୍ଟେସନ’ ସୁପରହିଟ୍ ହୋଇଥିଲା।

ଏହି ଫିଲ୍ମରେ ପ୍ରଥମେ ବାବୁସାନ ଓ ପପୁ ପମ୍‌ପମ୍‌ ପରସ୍ପରକୁ ଚିହ୍ନି ନଥିଲେ, ହେଲେ ପରେ ଦୁହେଁ ଯୋଡ଼ି ହୋଇଗଲେ। ତା’ ଛଡ଼ା ‘ସୁନା ପିଲା ଟିକେ ସ୍କୃ ଢ଼ିଲା’ ଓ ‘ସଞ୍ଜୁ ଆଉ ସଞ୍ଜନା’ରେ ପପୁ ପମ୍‌ପମ୍‌ ବାବୁସାନଙ୍କ ସାଙ୍ଗ ଭୂମିକାରେ ବି ନଜର ଆସିଥିଲେ। ଏଥିରେ ବି ଉଭୟଙ୍କର ଭୂମିକା ଜବରଦସ୍ତ ଥିଲା।

ସବ୍ୟସାଚୀଙ୍କ ସହ ପପୁ

ସବ୍ୟସାଚୀଙ୍କ ସାଙ୍ଗ ଭୂମିକାରେ ଅଭିନୟ କରି ପପୁ ପମ୍‌ପମ୍‌ ତାଙ୍କ କମାଲ ଦର୍ଶକଙ୍କୁ ଦେଖାଇ ଦେଇଥିଲେ। ୨୦୧୫ର ସବୁଠୁ ବଡ଼ ହିଟ୍ ସିନେମା ହେଉଛି ‘ପିଲାଟା ବିଗିଡ଼ି ଗଲା’ରେ। ଏହି ଫିଲ୍ମରେ ସବ୍ୟସାଚୀ ଓ ପପୁ ଦୁହେଁ ସାଙ୍ଗ ଭୂମିକାରେ ନଜର ଆସିଥିଲେ।

ଠିକ୍ ସେହିପରି ଏ ଦୁହେଁ ’ଟୋକାଟା ଫସିଗଲା’ରେ ମଧ୍ୟ ଆସିଥିଲେ। ‘ପିଲାଟା ବିଗିଡ଼ିଗଲା’ରେ ଦୁହେଁ ସାଙ୍ଗ ହୋଇଥିଲେ ଓ ପ୍ରେମରେ ଫସିବା ପରେ କିଭଳି ସ୍ଥିତି ଘଟିଥିଲା, ତାହା ଦର୍ଶକଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା।

ଅନ୍ୟପକ୍ଷରେ ‘ଟୋକାଟା ଫସିଗଲା’ରେ ନିଜ ଶାଳୀର ବାହାଘର ଭାଙ୍ଗିବା ପାଇଁ ପପୁ ପମ୍‌ପମ୍‌ କିପରି ସାଙ୍ଗ ସବ୍ୟସାଚୀ ଉପଯୋଗ କରିଥିଲେ, ତାହା ମୁଖ୍ୟ ବିଷୟ ଥିଲା।

ସମ୍ବିତଙ୍କ ସହ ପପୁ

ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତଙ୍କ ସାଙ୍ଗ ଭୂମିକାରେ ପପୁ ପମ୍‌ପମ୍‌ ନଜର ଆସିଥିଲେ ‘ଚଉକା ଛକା’ ଫିଲ୍ମ। ଏଥିରେ ପପୁ କମେଡ଼ି ପରିବେଷଣ କରିବା ସହିତ ଦମ୍‌ଦାର୍ ଭୂମିକାରେ ନଜର ଆସିଥିଲେ। ପପୁ ପମ୍‌ପମ୍‌ ଓ ସମ୍ବିତଙ୍କ ଯୋଡ଼ିକୁ ଦର୍ଶକ ଏହି ଫିଲ୍ମରେ ପସନ୍ଦ କରିଥିଲେ।

ଅନୁଭବଙ୍କ ସହ ପପୁ

ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ସହ ବି ପପୁ ପମ୍‌ପମ୍‌ ‘ପ୍ରଥମ ପ୍ରେମ’ ମୋଷ୍ଟ ୱାଣ୍ଟେଡ୍‌ ଓ ‘କାବୁଲା ବାରବୁଲା’ ଆଦି ସିନେମାରେ ଅଭିନୟ କରିଛନ୍ତି।

Comment