ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳଚ୍ଚିତ୍ରରେ ଅଭିନେତା-ଅଭିନେତ୍ରୀମାନେ ଡାକ୍ତର, ଓକିଲ, ପୋଲିସଙ୍କ ପୋଷାକ ପିନ୍ଧିବା କିଛି ନୂଆ କଥା ନୁହେଁ। କିନ୍ତୁ ଏଭଳି ଏକ ମାମଲାରେ ଫସିଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ।

ଏଭରେଷ୍ଟ ମସଲା ପାଇଁ ଏକ ବିଜ୍ଞାପନ ଫିଲ୍ମରେ ଅଭିନୟ କଲାବେଳେ ଅମିତାଭ ବଚ୍ଚନ ଓକିଲଙ୍କ ପୋଷାକ ପିନ୍ଧିଥିବାରୁ ଭାରତୀୟ ଆଇନଜୀବୀ ପରିଷଦ ପକ୍ଷରୁ ତାଙ୍କୁ ନୋଟିସ ଜାରି ହୋଇଛି।

ଓକିଲ ପୋଷାକ ପିନ୍ଧି ବିଜ୍ଞାପନ ଦେବା ପୂର୍ବରୁ ଅମିତାଭ ବାର କାଉନସିଲ ଅନୁମତି ନେଇ ନଥିବାରୁ ଏହା ଅପରାଧ ବୋଲି ନୋଟିସରେ ଦର୍ଶାଯାଇଛି। ଏଥି ସହିତ ଏଭଳି ବିଜ୍ଞାପନ ପ୍ରସାରଣକୁ ତୁରନ୍ତ ବନ୍ଦ କରିବା ଏବଂ କୌଣସି ବିଜ୍ଞାପନ ଫିଲ୍ମରେ ଯେଭଳି ବିନା ଅନୁମତିରେ ଓକିଲଙ୍କ ପୋଷାକ ବ୍ୟବହାର ନହୁଏ ସେ ବାବଦରେ ବାର କାଉନସିଲ ଅଫ୍ଇଣ୍ଡିଆ ଓ ସମସ୍ତ ରାଜ୍ୟ ବାର କାଉନସିଲକୁ ଲିଖିତ ପ୍ରତିଶୃତି ଦେବା ପାଇଁ ନୋଟିସରେ ଉଲ୍ଲେଖ ରହିଛି।

ଆସନ୍ତା ୧୦ଦିନ ମଧ୍ୟରେ ଏହି ଲିଖିତ ପ୍ରତିଶ୍ରୁତି ଦାଖଲ କରିବାକୁ କୁହାଯାଇଛି। ଏଥିରେ ଖିଲାପ ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପୂର୍ବରୁ ଅମିତାଭ ବଚ୍ଚନ ଝିଅ ଶ୍ୱେତାଙ୍କ ସହ ଏକ ଗହଣା ବିଜ୍ଞାପନରେ ଅଭିନୟ କରି ଆଇନଗତ ଅଡୁଆର ସମ୍ମୁଖୀନ ହୋଇଥିଲେ।

Comment