ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ହଟ୍ସ୍ପଟ୍ର ଶୁଭାରମ୍ଭ କରିଛନ୍ତି।
ସ୍ମାର୍ଟସିଟିରେ ଆରମ୍ଭ ହେବାକୁ ଯାଉଛି ସିଟି ୱାଇଫାଇ ପ୍ରକଳ୍ପ। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ବିଏମସି ଅଞ୍ଚଳରେ ଲୋକଙ୍କୁ ମାଗଣାରେ ମିଳିବ। ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ‘ଭୁବନେଶ୍ୱର ମି ୱାଇଫାଇ’ ପ୍ରକଳ୍ପ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି।
ଭୁବନେଶ୍ୱର ୮୦ କିମି ଲମ୍ବ ମୁଖ୍ୟ ରାସ୍ତାରେ ଲୋକଙ୍କୁ ୱାଇଫାଇ ସେବା ମିଳିବ। ଏହି ଦୂରତା ମଧ୍ୟରେ ୧୦୦ଟି ୱାଇଫାଇ ସିଗନାଲ ଆକ୍ସେସ୍ ପଏଣ୍ଟ ରହିଛି। ପ୍ରତ୍ୟେକ ଆକ୍ସେସ୍ ପଏଣ୍ଟ ମଧ୍ୟରେ ୧୦୦ ରୁ ୩୦୦ମିଟର ଦୂରତା ରହିଛି।
“ଯୁବପିଢ଼ୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ସହାୟକ ହେବା ସହ ସହରକୁ ସ୍ମାର୍ଟ କରିବା କ୍ଷେତ୍ରରେ ନୂଆ ପଦକ୍ଷେପ। ଅଧିକ ସ୍ମାର୍ଟ ହେବ ଭୁବନେଶ୍ୱର”, କହିଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ସ୍ପଟ୍ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟବିହାରରୁ ଏଜି ଛକ, ଶିଶୁ ଭବନରୁ ବାଣୀବିହାର, କଳ୍ପନାରୁ ରସୁଲଗଡ଼ ଛକ, ନାଲକୋ ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ୱାଇଫାଇ ସେବା ଉପଲବ୍ଧ ହେବ।
ଏହି ସେବା ଦ୍ୱାରା ଗ୍ରାହକମାନଙ୍କୁ ଦିନକୁ ମାଗଣାରେ ୨୫୦ ଏମବି ଡାଟା ଉପଲବ୍ଧ ହେବ।

















