ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବୀନଙ୍କ ନିଆରା ଷ୍ଟାଇଲ୍ ବିରୋଧୀଙ୍କୁ କରୁଛି ସାବାଡ୍!

ଆଉ ୪ ମାସ ପରେ ଓଡ଼ିଶାରେ ହେବ ବିଧାନସଭା ଏବଂ ଲୋକସଭା ନିର୍ବାଚନ। ନିର୍ବାଚନରେ ବିଜେଡିର ବିଜୟ ବାନା ଉଡ଼ାଇବା ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଜୋରଦାର ପ୍ରୟାସ କରୁଛନ୍ତି। ଲୋକଙ୍କ ସହ ଯୋଡ଼ି ହୋଇ ନବୀନ ତାଙ୍କ ନିଆରା ଷ୍ଟାଇଲର ପ୍ରମାଣ ଦେଇ ଆସୁଛନ୍ତି।

ଶିଶୁ ଦିବସରେ ଶିଶୁଙ୍କ ଗହଣରେ ଏବଂ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ ବେଳେ ବରିଷ୍ଠ ନାଗରିକଙ୍କ ପାଖରେ ବସି ବିରୋଧୀଙ୍କୁ କଡ଼ା ଜବାବ ଦେଇଥିବା ନବୀନଙ୍କୁ ଆଜି ଆଉ ଏକ ନିଆରା ଢଙ୍ଗରେ ଦେଖିବାକୁ ମିଳିଛି। ‘ମୋ ବସ୍’ ସେବା ଶୁଭାରମ୍ଭ କରି ନବୀନ ନିଜକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ଦେଇଛନ୍ତି।

ଏୟାରପୋର୍ଟ ନିକଟରେ ନବୀନ ସୋମବାର ଦିନ ସ୍ମାର୍ଟ ସିଟି ଭୁବନେଶ୍ୱରରେ ‘ମୋ ବସ୍’ ସେବା ଶୁଭାରମ୍ଭ କରିଛନ୍ତି। ଏହି ବସ୍‌ ସେବା ଶୁଭାରମ୍ଭକୁ ନେଇ ରାଜନୀତି ପାଣିପାଗ ଯେତିକି ଉଷ୍ମ ହୋଇନି ତାଠୁ ଅଧିକ ନବୀନଙ୍କ ବସ୍‌ ଯାତ୍ରାକୁ ନେଇ ଚର୍ଚ୍ଚା ହେଉଛି।

ନବୀନ ଯାତ୍ରୀଙ୍କ ଗହଣରେ ବସ୍‌ରେ ବସିବା, ଟିକେଟ କାଟିବା ଏବଂ ଯାତ୍ରୀଙ୍କ ସହ କଥା ହେବା ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ସରଗରମ କରିଛି।

ସୋମବାର ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ‘ମୋ ବସ୍‌’ ସେବା ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ପରେ ରାଜଧାନୀ ରାସ୍ତାରେ ଗଡ଼ିଥିବା ପ୍ରଥମ ବସ୍‌ରେ ନବୀନ ଚଢ଼ିଥିଲେ। ଅନ୍ୟ ଯାତ୍ରୀଙ୍କ ଭଳି ସେ ବସ୍‌ରେ ବସିଥିଲେ। ଏୟାରପୋର୍ଟରୁ ସଚିବାଳୟ ଯାଏଁ ଟିକେଟ କାଟିଥିଲେ।

ବସ୍ କଣ୍ଡକ୍ଟରଙ୍କୁ ନବୀନ ୧୦ ଟଙ୍କିଆ ନୋଟ ବଢ଼ାଇ ଦେଇଥିଲେ। କଣ୍ଡକ୍ଟର ୮ ଟଙ୍କା ରଖି ନବୀନଙ୍କୁ ୨ ଟଙ୍କା ଫେରାଇ ଦେଇଥିଲା। ଖାଲି ସେତିକି ନୁହେଁ ପାଖ ସିଟରେ ବସିଥିବା ଯାତ୍ରୀଙ୍କ ସହ ନବୀନ କଥା ହୋଇଥିଲେ।

ନବୀନଙ୍କୁ ପାଖରେ ପାଇ ଲୋକେ ଖୁସି ହୋଇଯାଇଥିଲେ। ଅଧିକାଂଶ ଯାତ୍ରୀ ନବୀନଙ୍କ ସହ ସେଲ୍‌ଫି ନେଇଥିଲେ।

୧୮ ବର୍ଷ ହେଲା ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହି ୧୮ ବର୍ଷ ଭିତରେ ନବୀନ ସାଧାରଣ ଲୋକଙ୍କ ସହ କଥା ହୁଅନ୍ତି ନାହିଁ କି ମିଶନ୍ତି ନାହିଁ ବୋଲି ବିରୋଧୀ ବାରମ୍ବାର ସମାଲୋଚନା କରି ଆସୁଥିଲେ। କିନ୍ତୁ ନବୀନ ବିରୋଧୀଙ୍କ ସମାଲୋଚନାର ଦୃଢ଼ ଜବାବ ଦେଇ ଆସୁଛନ୍ତି। ପ୍ରଥମ ଥର ପାଇଁ ନବୀନ ଆଜି ସୁରକ୍ଷା କର୍ମୀଙ୍କୁ ସାଙ୍ଗରେ ନନେଇ ବସ୍‌ ଯାତ୍ରା କରିଛନ୍ତି।

୨୦୧୭ ମାର୍ଚ୍ଚ ୧୦ ତାରିଖରେ ନବୀନଙ୍କୁ ପ୍ରଥମେ ଲୋକଙ୍କ ଗହଣରେ ଦେଖିବାକୁ ମିଳିଥିଲା। ଭଉଣୀ ଗୀତା ମେହଟ୍ଟାଙ୍କ ସହ ନବୀନ ଭୁବନେଶ୍ୱର ଜୟଦେବବିହାରସ୍ଥିତ ଅକ୍ସଫୋର୍ଡ ବହି ଦୋକାନକୁ ଯାଇ ନିଜକୁ ଲୋକଙ୍କ ନେତା ଭାବେ ପ୍ରତିପାଦନ କରିଥିଲେ। ସାଧାରଣ ଲୋକଙ୍କ ସାଙ୍ଗରେ ସେଲ୍‌ଫି ନେଇ ନବୀନ ସେତେବେଳେ ଚର୍ଚ୍ଚାରେ ରହିଥିଲେ।

୨୦୧୭ରେ ନଭମ୍ବେର ୧୪ରେ କ୍ୟାପିଟାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ ସ୍ତରୀୟ ଶିଶୁ ଦିବସ ମହୋତ୍ସବ। ଏଥିରେ ବି ନବୀନ ନିଜର ନିଆରା ଷ୍ଟାଇଲ୍ ଦେଖାଇଥିଲେ। ସବୁବେଳେ କମ୍ କଥା କହୁଥିବା ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ଗହଣରେ ବସି କଥା ହୋଇଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ଗତବର୍ଷ ନଭେମ୍ବର ୨୩ରେ ନବୀନ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ କରିଥିଲେ। ପତାକା ଦେଖାଇ ଯୋଜନା ଶୁଭାରମ୍ଭ କରିବା ପରେ ନବୀନ ସିଧା ଟ୍ରେନରେ ଚଢ଼ିଥିଲେ। ବରିଷ୍ଠ ନାଗରିକଙ୍କ ପାଖରେ ବସି କଥା ହୋଇଥିଲେ।

୨୦୧୯ ନିର୍ବାଚନରେ ବିଜେଡିକୁ ଘେରିବା ପାଇଁ ବିଜେପି ଏବଂ କଂଗ୍ରେସ ସୁଯୋଗ ଖୋଜୁଛନ୍ତି। କିନ୍ତୁ ଘେରିବା ପାଇଁ ନବୀନ ବିରୋଧୀଙ୍କୁ ସୁଯୋଗ ଦେଉ ନାହାନ୍ତି। ଲୋକଙ୍କ ସହ ମିଶି ଏବଂ ନୂଆ ଯୋଜନା ଶୁଭାରମ୍ଭ କରି ନବୀନ ବିରୋଧୀଙ୍କୁ ଚକିତ କରୁଛନ୍ତି।

‘ମୋ ବସ୍‌’ ସେବାରେ ଅଛି କ’ଣ?

ଏହି ସେବାରେ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇଛି। ବସ୍‌ରେ ଅତ୍ୟାଧୁନିକ ଜିପିଏସ୍, ସିସିଟିଭି କ୍ୟାମେରା, ୱାଇଫାଇ, ଅଟୋମେଟିକ ସେନ୍ସର, ଅଡିଓ ଭଏସ୍ ସୁବିଧା ଉପଲବ୍ଧ ରହିଛି। ମୋ ବସ୍‌ ସେବାରେ ନିଯୁକ୍ତ କଣ୍ଡକ୍ଟରମାନଙ୍କୁ ଗାଇଡ ଭାବେ ଡକାଯିବ। ୫୦ ପ୍ରତିଶତ ମହିଳାଙ୍କୁ ଏହି ବସ୍‌ରେ ଗାଇଡ ଭାବେ ନିଯୁକ୍ତ କରାଯିବ। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ସଂସ୍ଥା ଦ୍ୱାରା ଏହି ବସ୍‌ ସେବା ଶୁଭାରମ୍ଭ ହୋଇଛି।

ଏହି ଯୋଜନାରେ ୨୦୦ଟି ବସ୍ କିଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବସ୍ ଚାଲିଛି। ହକି ବିଶ୍ୱକପ୍ ପୂର୍ବରୁ ସମସ୍ତ ବସ୍ ରାଜଧାନୀରେ ଗଡ଼ିବ।

Comment