ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବଡିହି ଗାଁର ବସନ୍ତ ନାୟକ ହତ୍ୟାକାଣ୍ଡ ମାମଲା ଭିନ୍ନମୋଡ଼ ନେଇଛି। ପୋଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ ଗ୍ରାମବାସୀ ଶୁକ୍ରବାର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଗତ ସେପ୍ଟେମ୍ବର ୧୯ରେ ବସନ୍ତ ନାୟକ ନାମକ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ନିଶା ଖୁଆଇ ପଟ୍ଟାମୁଣ୍ଡାଇ ଥାନା ସଁକୁରୁପା ଗାଁ ନିକଟରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତ୍ରିକୋଣିୟ ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିଲା। ହତ୍ୟାକାଣ୍ଡକୁ ଦୁଇ ମାସ ପୂରିବାକୁ ଯାଉଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବଡିହି ଗ୍ରାମର ପର୍ଶୁରାମ ଦାସ ନାମକ ଜଣେ ଯୁବକ ବସନ୍ତକୁ ଘରୁ ଡାକି ନେଇଥିଲା। ରତନପୁର ଗାଁର ଧୁକୁଡି ବାଇ ସହିତ ପ୍ରେମ ଘଟଣାକୁ ନେଇ ବସନ୍ତର ପୁରୁଣା ବିବାଦ ଥିଲା। ହତ୍ୟାକାଣ୍ଡ ଘଟିବା ଦିନ ସେମାନେ ମିଶି ରାଜନଗରଠାରେ ମଦ୍ୟପାନ କରିଥିଲେ। ରାତିରେ ପର୍ଶୁରାମ ଘରକୁ ଫେରି ଆସିଥିବା ବେଳେ ବସନ୍ତ ଘରକୁ ଫେରି ନଥିଲା। ଏ ସମ୍ପର୍କରେ ପର୍ଶୁରାମକୁ ବସନ୍ତଙ୍କ ପରିବାର ଲୋକେ ପଚାରିବାରୁ ପର୍ଶୁରାମ ସେ ସଠିକ ଖବର ଦେଇପାରିନଥିଲା।

ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସଁକୁରୁପା ଗାଁ ନିକଟରୁ ଏକ ଯୋର ମଧ୍ୟରୁ ବସନ୍ତଙ୍କ ମୃତଦେହ ଠାବ କରିଥିଲେ ଗାଁ ଲୋକେ। ବସନ୍ତର କାନ ମୁଣ୍ଡାରୁ ରକ୍ତ କାହାରୁଥିବାରୁ ତାକୁ ହତ୍ୟା କରାଯାଇଥିବା ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା। ଏହା ପଛରେ ରତନପୁର ଗାଁର ଧୁକୁଡି ବାଇ ଓ ବଡିହି ଗାଁର ପର୍ଶୁରାମ ଦାସଙ୍କ ହାତ ରହିଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ।

ଘଟଣାକୁ ଇତି ମଧ୍ୟରେ ଦୁଇ ମାସ ଛୁଇଁବାକୁ ଯାଉଥିବା ବେଳେ ପୋଲିସ ଅପରାଧିମାନଙ୍କୁ ଗିରଫ କରୁନଥିବା ପ୍ରତିବାଦରେ ବଡିହି ଗାଁର ଶତାଧିକ ଲୋକେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ ଅଫିସ ମଧ୍ୟକୁ ଧସେଇ ପସିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଜିଲ୍ଲାପାଳ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରି ଆସନ୍ତା ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରିବା ସହିତ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି, “ଶବ ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟାକାଣ୍ଡର କୌଣସି ତଥ୍ୟ ମିଳୁନି। ଏଥିପାଇଁ ସାଇଣ୍ଟିଫିକ ପରୀକ୍ଷା କରାଯିବ। ହତ୍ୟାକାଣ୍ଡର ସୂଚନା ମିଳିଲେ ତଦନ୍ତ ଆଗେଇବ।”

LEAVE A REPLY

Please enter your comment!
Please enter your name here