ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଫୁଟବଲ୍, ହକି, ଆଥଲେଟିକ୍ସ, ସୁଟିଂ, ସୁଇମିଂ, ବ୍ୟାଡମିଣ୍ଟନ, ରଗ୍‌ବୀ ଓ ଭାରୋତ୍ତଳନ ଭଳି କ୍ରୀଡ଼ାର ବିକାଶ ପାଇଁ କଳିଙ୍ଗ ଷ୍ଟାଡିୟମଠାରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

ଦୌଡ଼କୁଦ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଫୁଟବଲ ଏବଂ ସୁଇମିଂ ପାଇଁ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍, ବ୍ୟାଡମିଣ୍ଟନ ପାଇଁ ଡାଲମିୟା ଭାରତ ଗ୍ରୁପ, ଭାରୋତ୍ତଳନ ପାଇଁ ଆହାଲୁୱାଲିଆ ଗ୍ରୁପ୍, ବନ୍ଧୁକ ଚାଳନା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ଏବଂ ହକିର ବିକାଶ ପାଇଁ ଟାଟା ଗ୍ରୁପ୍ ସହ ରାଜ୍ୟ ସରକାର ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି।

ସେହିପରି କ୍ରୀଡ଼ା ମ୍ୟାନେଜମେଣ୍ଟ, କ୍ରୀଡ଼ା ମେଡିସିନ ଏବଂ ଫିଟନେସ୍ ସେଣ୍ଟର ପ୍ରତିଷ୍ଠା କରିବା ଲାଗି ଚୁକ୍ତି ହୋଇଛି।

“ଜଣେ ଖେଳାଳି ଅଲକମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦେଶର ଜାତୀୟ ପତାକାକୁ ଉପରକୁ ଉଠାଇବାରେ ସକ୍ଷମ ହୋଇଥାଏ। ଏହାଠାରୁ ବଡ଼ ଗୌରବର କଥା କିଛି ନାହିଁ। ଏଣୁ ସ୍ୱର୍ଣ୍ଣପଦକ ହାସଲ କରିବା ଭଳି ଖେଳାଳି ସୃଷ୍ଟି କରିବାକୁ ଓଡ଼ିଶା ଚାହେଁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ବଡ଼ ବଡ଼ ଶିଳ୍ପ ସଂସ୍ଥା ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ସଚିବ ବିଶାଲ ଦେବ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ, ବ୍ୟାଡମିଣ୍ଟନ ତାରକା ପୁଲୈଲା ଗୋପୀଚାନ୍ଦ, ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରା ପ୍ରମୁଖ ଉପସ୍ଥିତ ଥିଲେ।

Comment