ଓଡ଼ିଶାଲାଇଭ୍ ବ୍ୟୁରୋ

ଭଞ୍ଜନଗରରେ ହୋଇଥିବା ଏନ୍‌କାଉଣ୍ଟରରେ ବେଣୁ ବାରିକ ନାମକ ଜଣେ ଅପରାଧୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗଞ୍ଜାମ ପୋଲିସ ପୁଣି ଥରେ ଜଣେ ଅପରାଧୀଙ୍କୁ ମଙ୍ଗଳବାର ଏନ୍‌କାଉଣ୍ଟର କରିଛି। ଏହି ଏନ୍‌କାଉଣ୍ଟରରେ ବେଣୁ ବାରିକ ନାମକ ଜଣେ ଜଣାଶୁଣା ଅପରାଧୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ବେଣୁଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବେଣୁଙ୍କ ବାମ ଗୋଡ଼ରେ ଏହି ଗୁଳି ବାଜିଛି।

ପୋଲିସ କହିବାନୁସାରେ, ବେଣୁ ବାରିକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଜାମପାଟଣା ଗ୍ରାମର ବାସିନ୍ଦା। ତାଙ୍କ ନାମରେ ନୟାଗଡ଼ ଓ ଗଞ୍ଜାମ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଛି। ଏପରିକି ବେଣୁ ମାଣିତରା ବ୍ୟାଙ୍କ ଓ ଖୋର୍ଦ୍ଧା ବ୍ୟାଙ୍କ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ନେଇ ପୋଲିସ ଠୋସ ପ୍ରମାଣ ପାଇଛି।

ତେବେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରଚୁଲି ଗ୍ରାମ ନିକଟସ୍ଥ ରାମପାଦ ଜଙ୍ଗଲ ନିକଟରେ ସକାଳ ୭ଟା ବେଳେ ବେଣୁ ଯାଉଥିବା ସୂଚନା ପାଇ ବଗୁଡ଼ା ଥାନା ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା।

ହେଲେ ବେଣୁ ପୋଲିସକୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗୁଳି ଚାଳନା କରିଥିଲା। ସେହି ଗୁଳି ତାଙ୍କର ବାମଗୋଡ଼ରେ ବାଜିଥିଲା।

LEAVE A REPLY

Please enter your comment!
Please enter your name here