ଓଡ଼ିଶାଲାଇଭ୍‌ ବ୍ୟୁରୋ

୩ ବର୍ଷ ପରେ ଆସିଲା ବ୍ରହ୍ମ ବିଭ୍ରାଟ ରିପୋର୍ଟ। ୧୧ ସେବାୟତଙ୍କୁ ନୋଟିସ ଦେଲା ଶ୍ରୀମନ୍ଦିର ପ୍ରଶାସନ।

ବ୍ରହ୍ମ ବିଭ୍ରାଟ ପଛରେ ରହିଛି କାହାର ହାତ? ଏନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇ ଉଠିଛି। ୩ ବର୍ଷ ପରେ ଶ୍ରୀମନ୍ଦିର ପ୍ରଶାସନ ୧୧ ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏମାନଙ୍କ ଭିତରେ ୧୦ ଜଣ ଦଇତାପତି ରହିଥିବା ବେଳେ ଜଣେ ମହାରଣା ସେବାୟତ ଅଛନ୍ତି।

ସବ୍ କମିଟି ବ୍ରହ୍ମବିଭ୍ରାଟ ରିପୋର୍ଟ ତର୍ଜମା କରିବା ପରେ ଏହି ନୋଟିସ୍ ଜାରି କରିଛି।

ଯେଉଁ ୧୧ ଜଣ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି ସେମାନେ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେବାୟତଙ୍କ ଉତ୍ତର ସନ୍ତୋଷଜନକ ହେବ ନାହିଁ ତାହାଲେ ୩ ମାସ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରାଯାଇଛି। ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି।

୨୦୧୫ରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କ ନବକଳେବର ହୋଇଥିଲା। ଜୁନ୍ ୧୫ ରାତିରେ ବ୍ରହ୍ମ ସଂସ୍ଥାପନ ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। କିନ୍ତୁ ସେତେବେଳେ ବିଶୃଙ୍ଖଳା ଦେଖାଦେଇଥିଲା। ୧୬ ତାରିଖ ଦିନ ବେଳେ ବ୍ରହ୍ମ ସଂସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ସାରା ଓଡ଼ିଶା ଉଠିଥିଲା ପଡ଼ିଥିଲା। ବ୍ରହ୍ମ ବିଭ୍ରାଟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଥିଲା। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବା ପାଇଁ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ତଦନ୍ତ ବେଳେ ବାଡ଼ଗ୍ରାହୀ, ବିଶ୍ୱାବସୁ, ଦଇତାପତି ନିଯୋଗ, ଉପଦଳପତିଙ୍କୁ ପଚରା ଉଚରା କରାଯାଇଥିଲା। ଏହାସହ ବରିଷ୍ଠ ସେବାୟତ କାଶୀନାଥ ଦାସମହାପାତ୍ର ଏବଂ ଜୟକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା।

ତତ୍କାଳୀନ ମୁଖ୍ୟ ପ୍ରଶାସକ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଥିଲେ ମଧ୍ୟ ଏହାକୁ ଖୁଲାସା କରାଯାଇ ନଥିଲା। ଶେଷରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ପ୍ରସଙ୍ଗ ପଡ଼ିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ତଦନ୍ତ ରିପୋର୍ଟ ତର୍ଜମା କରିବା ପାଇଁ ଏକ ସବ୍‌ କମିଟି ଗଠନ କରାଯାଇଥିଲା।

ସିଦ୍ଧେଶ୍ୱର ମହାପାତ୍ର, ମହିମୋହନ ତ୍ରିପାଠୀ ଏବଂ ସିଦ୍ଧେଶ୍ୱର ମହାରାଜଙ୍କୁ ନେଇ ଗଠିତ ସବ୍‌ କମିଟି ବ୍ରହ୍ମ ବିଭ୍ରାଟ ରିପୋର୍ଟ ତର୍ଜମା କରିବା ପରେ ୧୧ ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Comment