ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲିଆପାଳର ଏକ ଆବାସିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି।

ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଆବାସିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ନାବାଳିକାଜଣଙ୍କ ଶନିବାର ସକାଳୁ ସ୍କୁଲରୁ ନିଖୋଜ ହୋଇ ଯାଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ଏନେଇ ତାଙ୍କ ପରିବାର ସଦସ୍ୟଙ୍କୁ ବିଦ୍ୟାଳୟର ଜଣେ କର୍ମଚାରୀ ଫୋନ କରି ଜଣାଇଥିଲେ।

ତେବେ ଶନିବାର ରାତି ପ୍ରାୟ ୧୧ଟା ବେଳେ ସ୍କୁଲ୍‌ ପରିସରରେ ତାଙ୍କୁ ଠାବ କରାଯାଇଥିଲା। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଘର ଲୋକଙ୍କୁ ଖବର ଦେଇଥିଲେ ଓ ତାଙ୍କୁ ଘରକୁ ନେଇ ଯିବା ପାଇଁ କହିଥିଲେ।

ବିଦ୍ୟାଳୟର କର୍ତ୍ତୃପକ୍ଷ କହିବାନୁସାରେ, ଆମେ ଛାତ୍ରୀଜଣଙ୍କୁ ପଚରାଉଚରା କରିଥିଲୁ। ଏହାପରେ ଛାତ୍ରୀଜଣଙ୍କ କହିଥିଲେ, ବାଲିଆପାଳ ଗାଁର ଜଣେ ଯୁବକ ତାକୁ ନେଇ ଯାଇଥିଲେ। ଏହାପରେ ତାକୁ ଆଣି ସ୍କୁଲ୍ ପରିସରରେ ଛାଡ଼ି ଦେଇଥିଲେ।

ନାବାଳିକାଜଣଙ୍କ ନିଜ ଘରେ ପହଞ୍ଚିବା ପରେ ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ପରିବାର ଲୋକ ବାଲିଆପାଳଗୋଷ୍ଠୀକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରୀକ୍ଷା କରିବା ପରେ ଡାକ୍ତର କହିଥିଲେ ଯେ, ତାଙ୍କୁ ଦୁଷ୍କର୍ମ କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ହେବା ଯୋଗୁଁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ।

ଏହି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ତାଙ୍କ ମା’ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Comment