ଓଡିଶାଲାଇଭ ବ୍ୟୁରୋ

ପୁରୁଷ ହକି ବିଶ୍ୱକପକୁ ଆଉ ରହିଲା ମାତ୍ର ୪ ଦିନ। ସୁରକ୍ଷା ପାଇଁ କଳିଙ୍ଗ ଷ୍ଟାଡିୟମରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଏଥିପାଇଁ ଆଉ ରହିଲା ମାତ୍ର ୪ ଦିନ। ୧୬ଟି ଦେଶର ଖେଳାଳି ରାଜଧାନୀରେ ପହଞ୍ଚିବା ଆରମ୍ଭ କଲେଣି। ଆର୍ଜେଣ୍ଟିନା, ଆଫ୍ରିକା, ଚୀନ, ଫ୍ରାନ୍ସ ଖେଳାଳିମାନେ ରାଜଧାନୀରେ ପହଞ୍ଚିସାରିଲେଣି। ଖେଳାଳିମାନଙ୍କର ଏବଂ ବିଦେଶୀ ଦର୍ଶକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କମିଶନରେଟ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରିଛି।

ବିଦେଶୀ ଖେଳାଳିଙ୍କ ପାଇଁ ୧୮୦ ଜଣ ଯବାନଙ୍କୁ ପିଏସଓ ଭାବେ ନିଯୁକ୍ତି କରାଯାଇଛି। ଖେଳାଳିମାନଙ୍କ ସହ ସେକାନେ ୨୪ ଘଣ୍ଟା ରହିବେ। ବିମାନବନ୍ଦରଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ଥାନରେ ପିଏସଓ ଖେଳାଳିମାନଙ୍କ ସାଙ୍ଗରେ ରହିବେ। ପାକିସ୍ତାନ ଖେଳାଳିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଦିଆଯିବ ବୋଲି କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

କଳିଙ୍ଗ ଷ୍ଟାଡିୟମ ଚାରିପଟେ ଡ୍ରୋନ କ୍ୟାମେରା ବୁଲିବ। ଡ୍ରୋନ କ୍ୟାମେରାରେ ଉତ୍ତୋଳନ କରୁଥିବା ସମସ୍ତ ଭିଡିଓ ପୋଲିସ କଣ୍ଟୋଲ ରୁମକୁ ପଠାଇ ଦିଆଯିବ। କୌଣସି ସ୍ଥାନରେ କିଛି ସନ୍ଦେହ ଉପୁଜିଲେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ।

କଳିଙ୍ଗ  ଷ୍ଟାଡିୟମରେ ଅଗ୍ନିଶମ ବିଭାଗ ମଧ୍ୟ ରହିବ। ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡ଼ି ଷ୍ଟାଡିୟମ ନିକଟରେ ରହିବ। ୩୦ ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ମୁତୟନ କରାଯିବ ବୋଲି ଅଗ୍ନିଶମ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଷ୍ଟାଡିୟମରେ ଏନ୍‌ଏସ୍‌ଜି ଟିମ, ଏସ୍‌ଓଜି ଟିମ ମୁତୟନ ହେବେ। ଏଥିସହ ସହରର ବିଭିନ୍ନ ସ୍ଥାନରେ ଏସ୍‌ଓଜି ଯବାନ ରହିବେ। କଳିଙ୍ଗ ଷ୍ଟାଡିୟମରେ ଅସ୍ଥାୟୀ ଭାବେ ପୋଲିସ କଣ୍ଟ୍ରୋଲ ରୁମ ଖୋଲାଯିବ।

ହକି ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଲାଇଟର, ଦିଆସିଲ ନେଇପାରିବେ ନାହିଁ।

ଏହାସହ କଳିଙ୍ଗ ଷ୍ଟାଡିୟମରେ ରହିଛି ୯ଟି ଗେଟ୍। ପ୍ରତି ଗେଟ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ୯ ନମ୍ବର ଗେଟ୍‌ରେ ମୁଖ୍ୟମନ୍ତ୍ରୀ, ଭିଭିଆଇପିମାନେ ଯିବାର ବ୍ୟବସ୍ଥା ରହିଛି। ୪ ନମ୍ବର ଗେଟ୍‌ରେ ଖେଳାଳିମାନେ ପ୍ରବେଶ କରିବେ। ୨ ନମ୍ବର ଗେଟ୍‌ରେ ଗଣମାଧ୍ୟମ ପ୍ରତିନିଧି, ଅଫିସିଆଲମାନେ ଯିବେ। ଅନ୍ୟ ଗେଟ୍‌ମାନଙ୍କରେ ସାଧାରଣ ଲୋକ ପ୍ରବେଶ କରିପାରିବେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Comment