ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗରେ ହକି ବିଶ୍ଵକପ୍। ଲିଗ୍ ପର୍ଯ୍ୟାୟ ପ୍ରଥମ ମ୍ୟାଚରେ ଭାରତ ଏକତରଫା ଭାବେ ବିଜୟୀ ହେଲା।

ଦମଦାର ବିଜୟ ସହିତ ଭାରତୀୟ ହକି ଟିମ୍ ବିଶ୍ଵକପ୍ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ଵକପର ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଭାରତ ଏକତରଫା ଭାବେ ଦକ୍ଷିଣ ଆଫ୍ରିକାକୁ ୫-୦ରେ ଗୋଲରେ ପରାସ୍ତ କରିଛି।

ଭାରତ ପକ୍ଷରୁ ସିମରନଜିତ ସିଂହ ଦୁଇଟି ଗୋଲ ଦେଇଥିବା ବେଳେ ମନ୍‌ଦୀପସିଂହ, ଆକାଶ ଦୀପ ସିଂହ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ ଦେଇ ଭାରତକୁ ବିଜୟୀ କରାଇଛନ୍ତି। ପୂରା ମ୍ୟାଚରେ ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲା। ମ୍ୟାଚରେ ଭାରତ ଗୋଲ ବର୍ଷା କରିଥିଲା। ଦୁଇଟି ଗୋଲ୍ ଦେଇଥିବା ସିମରନଜିତ ସିଂହ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ଖେଳ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଉପରେ ଚାପ ପକାଇଥିଲା। ଖେଳର ୧୦ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା, ଯାହାକୁ ମନଦୀପ ସିଂହ ସଫଳତାର ସହ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମ କ୍ଵାର୍ଟରର ଖେଳ ଜାରି ରହିଥିବା ବେଳେ ଭାରତ ଦ୍ଵିତୀୟ ଗୋଲ ଦେଇଥିଲା। ୧୨ତମ ମିନିଟରେ ଆକାଶଦୀପ ସିଂହ ଚମତ୍କାର ଗୋଲ୍ ଦେଇ ଭାରତକୁ ୨-୦ରେ ଅଗ୍ରଣୀ କରାଇଥିଲେ।

ଦ୍ଵିତୀୟ କ୍ଵାର୍ଟରରେ ଭାରତକୁ ଦ୍ଵିତୀୟ ପେନାଲ୍ଟି କର୍ଣ୍ଣର ମିଳିଥିଲା।  ମାତ୍ର ଦଳ ଏଥର ଗୋଲ ଦେବାରେ ସଫଳ ହୋଇନଥିଲା। ଦକ୍ଷିଣ ଆଫ୍ରିକା ଭାରତର ଆକ୍ରମଣକୁ ରୋକିବାରେ ସଫଳ ହୋଇଥିଲା। ହାପ ଟାଇମ୍ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା।

ତୃତୀୟ କ୍ଵାର୍ଟରରେ ଦକ୍ଷିଣ ଆଫ୍ରିକା ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ଉଦ୍ୟମ କରିଥିଲା। ଦ୍ଵିତୀୟ କ୍ଵାର୍ଟର ଗୋଲ ଶୂନ୍ୟ ରହିଥିବା ବେଳେ ତୃତୀୟ କ୍ଵାର୍ଟରରେ ଭାରତ ଦୁଇଟି ଗୋଲ ଦେଇଥିଲା।

ଏହି କ୍ଵାର୍ଟରରେ  ଭାରତ ଅଧିକ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ୪୩ତମ ମିନିଟରେ ସିମରନଜିତ ସିଂହ ଦମଦାର ଗୋଲ ଦେଇ ଭାରତକୁ ୩-୦ରେ ଆଗୁଆ କରାଇଥିଲେ। ୪୫ ତମ ମିନିଟରେ ଲଳିତ ଉପାଧ୍ୟାୟ ଗୋଲ ଦେଇ ଭାରତକୁ ୪-୦ରେ ଅଗ୍ରଣୀ କରାଇଥିଲେ। ଦଳ ତୃତୀୟ କ୍ଵାର୍ଟରେ ୪-୦ରେ ଆଗୁଆ ରହିଥିଲା।

ସେହିପରି ଚତୁର୍ଥ କ୍ଵାର୍ଟରରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ୪୬ତମ ମିନିଟରେ ସିମରନଜିତ ସିଂହ ମ୍ୟାଚରେ ବ୍ୟକ୍ତିଗତ ଦ୍ଵିତୀୟ ଗୋଲ ଦେଇ ଭାରତକୁ ୫-୦ରେ ଅଗ୍ରଣୀ କରାଇଥିଲେ। ଖେଳ ଶେଷ ଯାଏଁ ଭାରତ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଶେଷରେ ଭାରତ ୫-୦ରେ ବିଜୟୀ ହୋଇଥିଲା।

Comment