ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଂ ପ୍ରକାଶ ପାଇଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାର ଶୀର୍ଷରେ ଅଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ପୁଣି ଥରେ ଏକ ନମ୍ବର ଟେଷ୍ଟ ବୋଲର ହୋଇଛନ୍ତି।

ଆଇସିସି ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ତାଲିକା ଅନୁଯାୟୀ ବିରାଟ କୋହଲି ୯୩୫ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରି ନିଜର ରେଟିଂ ପଏଣ୍ଟରେ ଅଧିକ ସୁଧାର କରିବାକୁ ଚେଷ୍ଟା କରିବେ।

କୋହଲିଙ୍କ ତଳକୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ (୯୧୦) ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ହେଲେ କୋହଲିଙ୍କ ଶୀର୍ଷ ମାନ୍ୟତା ପ୍ରତି ଏବେ କୌଣସି ବିପଦ ନାହିଁ। କାରଣ ସ୍ମିଥ ଦଳରୁ ବର୍ଷକ ପାଇଁ ନିଲମ୍ବିତ ଅଛନ୍ତି।

କୋହଲିଙ୍କ ବ୍ୟତୀତ ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ ତାଲିକାରେ ଚେତେଶ୍ୱର ପୂଜାରା ଷଷ୍ଠ ସ୍ଥାନରେ ଅଛନ୍ତି। ଆଜିଙ୍କ୍ୟ ରାହାଣେ ଦୁଇଟି ସ୍ଥାନ ତଳକୁ ଖସି ୧୯ତମ ସ୍ଥାନରେ ପହଞ୍ଚିଛନ୍ତି।

ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନରେ ପରିବର୍ତ୍ତନ ହୋଇଛି। ଏଥିରେ ରାବାଡା ପୁଣି ଥରେ ଏକ ନମ୍ଵର ସ୍ଥାନକୁ ଫେରିଛନ୍ତି। ସେ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି। ଆଣ୍ଡରସନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍ ଖେଳିନଥିବାରୁ ତାଙ୍କର ମାନ୍ୟତା ପ୍ରଭାବିତ ହୋଇଛି। ଏଥିରେ ଆଣ୍ଡରସନଙ୍କୁ ୯ ପଏଣ୍ଟ କ୍ଷତି ସହିବାକୁ ପଡ଼ିଛି। ଏବେ ସେ ରାବାଡାଙ୍କଠୁ ୮ ପଏଣ୍ଟ ପଛରେ ଅଛନ୍ତି।

ଭାରତର ରବି ଚନ୍ଦ୍ରନ ଅଶ୍ଵିନ ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ଅଶ୍ଵିନ ମାନ୍ୟତାର ପଞ୍ଚମରେ ଅଛନ୍ତି। ପାକିସ୍ତାନର ୟାସିର ଶାହ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୪ ଓ୍ଵିକେଟ୍ ନେଇ ମାନ୍ୟତାରେ ବହୁତ ବଡ଼ ଲମ୍ପ ମାରିଛନ୍ତି।  ଏବେ ସେ ଦଶମରେ ପହଞ୍ଚିଛନ୍ତି। ବାଂଲାଦେଶର ତାଇଜୁଲ ଇସଲାମ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୨୧ମ ସ୍ଥାନରେ ପହଞ୍ଚିଛନ୍ତି।

Comment