ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ହକି ପୁରୁଷ ବିଶ୍ୱକପର ତୃତୀୟ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ। ଶୁକ୍ରବାର ଅପରାହ୍ନ ୫ଟା ଓ ୭ଟାରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବ ୪ଟି ଟିମ୍। ପୁଲ୍–ବିରେ ଅଷ୍ଟ୍ରେଲିଆ-ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ-ଚୀନ ମଧ୍ୟରେ ମୁକାବିଲା ହେବ।

ପୁରୁଷ ବିଶ୍ୱକପର ପଞ୍ଚମ ମ୍ୟାଚରେ ଅଷ୍ଟ୍ରେଲିଆ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବ। ଅପରାହ୍ନ ୫ଟାରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଏହି ଦୁଇ ଟିମ୍। ପୁଲ-ବିରେ ଡିପେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଚୀନ ଓ ଆୟରଲାଣ୍ଡ ସ୍ଥାନ ପାଇଛନ୍ତି।

ଗ୍ରୁପ ଚାମ୍ପିଅନ ସହ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ ଲାଗି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଲଢ଼େଇ ହେବ। ବିଶ୍ୱର ୧ନଂ ଦଳର ଅଧିନାୟକ ଆରେନ ଜେଲେସ୍କିଙ୍କ ନେତୃତ୍ୱରେ ଖେଳିବ। ଦଳର ବର୍ତ୍ତମାନ ପ୍ରଦର୍ଶନକୁ ଦେଖିଲେ ଗ୍ରୁପରେ ଏକକ ରାଜୁତି ହିଁ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି। ୩ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଗ୍ରୁପ ଚାମ୍ପିଅନ ପଥରେ ଇଂଲଣ୍ଡ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି।

ଅନ୍ୟପଟେ ଆୟର୍ଲାଣ୍ଡ ମଧ୍ୟ ଲିଗ୍ରେ ଭଲ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଛନ୍ତି। ବିଶ୍ୱ ମାନ୍ୟତାର ୧୦ନମ୍ବର ସ୍ଥାନରେ ଥିବା ଆୟର୍ଲାଣ୍ଡ ମଧ୍ୟ ଛୋଟିଆ ନୁହେଁ। ଅଧିନାୟକ ଡେିଭଡ୍ ହାର୍ଟ ଓ ପ୍ରଶିକ୍ଷକ ଆଲେକଜାଣ୍ଡର କ୍ରସ୍‌ଙ୍କ ନେତୃତ୍ୱରେ ଆୟର୍ଲାଣ୍ଡ ଓଲଟପାଲଟ କରିବାର ଲକ୍ଷ୍ୟ ରଖିଛି।

ଅଷ୍ଟ୍ରେଲିଆ ହେଉଛି ବିଶ୍ୱକପ୍ ଇତିହାସର ତୃତୀୟ ସଫଳତମ ଦଳ। ୧୩ ଥର ପଦାର୍ପଣ କରି ଏହି ଦଳ ୧୦ ଥର ପଦକ ଜିତିବାରେ ଗୌରବ ପାଇଛି। ୨୦୧୬ରେ ରିଓ ଅଲିମ୍ପିକ୍ସରେ ଷଷ୍ଠ ସ୍ଥାନ। ୨୦୧୭ରେ ଜୋହାନ୍ସବର୍ଗ ବିଶ୍ୱ ଲିଗ୍ ସେମିଫାଇନାଲରେ ବ୍ରୋଞ୍ଜ୍ ପଦକ ଜିତିଥିଲା। ୨୦୧୦ରେ ନୂଆଦିଲ୍ଲୀ ଏବଂ ୨୦୧୪ରେ ହଲାଣ୍ଡର ହଗ୍‌ରେ ନିଜକୁ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ କରି ବିଜେତା ହୋଇଥିଲା। ଭୁବନେଶ୍ୱରରେ ଏହି ଦଳ ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ ଲକ୍ଷ୍ୟରେ ରହିବ।

ସେହିପରି ଆୟର୍ଲାଣ୍ଡ କଥା କହିବାକୁ ଗଲେ, ଏହି ଦଳ ମଧ୍ୟ ଛୋଟିଆ ନୁହେଁ। ବିଶ୍ୱ ହକି ଲିଗ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତାର ଭଲ ପ୍ରଦର୍ଶନ କରି ଆୟର୍ଲାଣ୍ଡ ଯୋଗ୍ୟତା ଅର୍ଜନ କରିଛି। ଏହି ସବୁଜ ଦଳ କିନ୍ତୁ ବିଗତ କିଛି ବର୍ଷ ଭିତରେ ଅନେକଙ୍କୁ ପ୍ରଭାବିତ କରିଛି। ୧୯୭୮ ଏବଂ ୧୯୯୦ରେ ଦୁଇଥର ବିଶ୍ୱକପ୍ ଖେଳିଥିଲେ ମଧ୍ୟ ଉଭୟ ଥର ଦ୍ୱାଦଶ ସ୍ଥାନରେ ସନ୍ତୁଷ୍ଟ ରହିଥିଲା।

ବିଗତ ଦୁଇ ବର୍ଷ ମଧ୍ୟରେ କିନ୍ତୁ ଆୟର୍ଲାଣ୍ଡ ହକି ଦଳ ଢେର ଅଗ୍ରଗତି କରିଛି ଏବଂ ବିଶ୍ୱ ମାନ୍ୟତାରେ ଉନ୍ନତି ଆଣିଛି। ୨୦୧୫ ମସିହା ବିଶ୍ୱ ହକି ଲିଗ୍ ସେମିଫାଇନାଲ ପର୍ଯ୍ୟାୟରୁ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏହା ପରେ ୟୁରୋ ହକିରେ ବ୍ରୋଞ୍ଜ୍ ପଦକ ମଧ୍ୟ ଏହି ଦେଶ ପାଇଁ ଐତିହାସିକ ସଫଳତା ଥିଲା। କ୍ରେଗ୍ ଫୁଲଟନଙ୍କ ଦଳ ଏବେ ବିଶ୍ୱ ମାନ୍ୟତାରେ ନବମ ସ୍ଥାନରେ ଥିଲେ ମଧ୍ୟ ବିଶ୍ୱ ହକିର ଏକ ଉଦିତ ଶକ୍ତି ଭାବେ ଉଭା ହେଉଛି।

Comment