ଡକ୍ଟର ଦେବୀଲାଲ୍ ମିଶ୍ର

ଏବେ ପ୍ରୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ପରକୀୟାପ୍ରୀତି ଆଉ ଅପରାଧ ନୁହେଁ ବୋଲି କହି ଅନେକ ଲୋକ ସାମାଜିକ ଗଣ ମାଧ୍ୟମରେ ନିଜ ମତ ରଖିବାରେ ବ୍ୟସ୍ତ। କିଛି ଲୋକ ମଧ୍ୟ ନିଜ ଖୁସି ଜାହିର କରିଛନ୍ତି। ଏକଥା ମଧ୍ୟ କିଛି ଲୋକଙ୍କୁ ଆନ୍ଦୋଳିତ କରୁଥିବ ନିଶ୍ଚୟ। ଭାରତୀୟ ସଂସ୍କୃତି ନାରୀର ସମ୍ମାନ ଓ ମର୍ଯ୍ୟାଦାକୁ ପ୍ରାଥମିକତା ଦେଇ ଆସିଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ନାରୀର ସ୍ୱାଧୀନତା ନାହିଁ। ପୁରୁଷ ଭଳି ନାରୀ ମଧ୍ୟ ସାମାଜିକ ଓ ବ୍ୟାବହାରିକ ସ୍ୱାଧୀନତା ପାଇଁ ହକ୍‌ଦାର। କିନ୍ତୁ ଏ ସବୁ ଭିତରେ ପ୍ରୀତି ବା ପ୍ରେମ ଏକ ସ୍ୱତନ୍ତ୍ର ପ୍ରସଙ୍ଗ।

ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରେମର ଦିବ୍ୟତା ଓ ପବିତ୍ରତା ଉପରେ ମୁଖ୍ୟତଃ ପର୍ଯ୍ୟବସିତ। ଭାରତୀୟ ସଂସ୍କୃତିରେ ପ୍ରେମର ଏକ ପ୍ରମୁଖ ସ୍ଥାନ ରହିଛି। ପବିତ୍ରତା, ସମର୍ପଣ, ତ୍ୟାଗ ଓ ବିଶାଳତା- ଏସବୁ ଉପାଦାନ ଭାରତୀୟ ପ୍ରେମକୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଥାଏ। ଆମ ସମାଜରେ ବିବାହ ଏକ ଧାର୍ମିକ ଅନୁଷ୍ଠାନ ଅଟେ। ବୈବାହିକ ପ୍ରେମ ଧର୍ମର ପରିସୀମା ଦ୍ୱାରା ଅନେକାଂଶରେ ନିୟନ୍ତ୍ରିତ। ଏଥିପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀକୁ ବେଳେବେଳେ ଅନେକ ମାନସିକ ଦ୍ୱନ୍ଦ ଓ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଥାଏ। ଏହାର ପରିଣାମ ମଧ୍ୟ ଅନେକ ସମୟରେ ଭୟଙ୍କର ହୁଏ। ଆଜିବି ଗଣମାଧ୍ୟମରୁ ଆମେ ଏମିତି ଅନେକ ଖବର ସଂସ୍ପର୍ଶରେ ଆସନ୍ତି ଯାହା ବିବାହ ପରର ପ୍ରୀତି ଉପରେ ପର୍ଯ୍ୟବସିତ।

ପ୍ରତ୍ୟେକ ମଣିଷର ମନସ୍ତତ୍ତ୍ୱ ସ୍ୱତନ୍ତ୍ର। ପ୍ରେମ କାହାପାଇଁ ଶକ୍ତି,ତ କାହାପାଇଁ ମୁକ୍ତି, ପୁଣି କାହା ପାଇଁ ତ୍ୟାଗ, ତ କାହା ପାଇଁ ଉପଭୋଗ। ଆମେ ରାମାୟଣରେ ରାମ-ସୀତା ଓ ଲକ୍ଷ୍ମଣ-ଉର୍ମିଳାଙ୍କ ବୈବାହିକ ଜୀବନ ସମ୍ବନ୍ଧରେ ଅବଗତ। ଆମ ଭିତରୁ ଅନେକ ଏହାକୁ ପୁରାଣର ପୁରୁଣା କାହାଣୀ ବୋଲି କହି ଅପ୍ରାସଙ୍ଗିକ କହିପାରନ୍ତି, କିନ୍ତୁ ଆମର ବୈବାହିକ ସଂସ୍କୃତି ଏମିତି କିଛି କାହାଣୀ ଦ୍ୱାରା ପ୍ରଭାବିତ ଓ ବ୍ୟବସ୍ଥିତ। ରାମ ଓ ସୀତାଙ୍କ ସଂପର୍କରେ ଥିବା ଏକନିଷ୍ଠତା, ପବିତ୍ରତା ଓ ମର୍ଯ୍ୟଦାର ମୁଲ୍ୟବୋଧ; ଏବଂ ଲକ୍ଷ୍ମଣ ଓ ଉର୍ମିଳାଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବେଦନାଶୀଳତା, ସମର୍ପଣ, ତ୍ୟାଗ ଓ କର୍ତ୍ତବ୍ୟବୋଧ ଭାରତୀୟ ସମାଜରେ ବୈବାହିକ ପ୍ରେମକୁ ଏକ ଭିନ୍ନ ସ୍ତରକୁ ନେଇ ଯାଇଛି।

ମଣିଷର ଚରିତ୍ର ତାର ଚେତନା ସ୍ତର ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଚେତନାରେ ଯଦି ପବିତ୍ରତା ରହିଛି, ଚରିତ୍ରରେ ପବିତ୍ରତା ରହିବା ସ୍ୱାଭାବିକ। ମନସ୍ତାତ୍ତ୍ୱିକ ଦିଗକୁ ବୁଝିବାକୁ ଗଲେ, ମଣିଷର ପ୍ରକୃତି, ମଣିଷର ବ୍ୟବହାରକୁ ପ୍ରଭାବିତ କରେ। ପ୍ରେମ, ପ୍ରୀତି ଓ ଭଲ ପାଇବା ଏସବୁ ଏକ ବ୍ୟକ୍ତିର ସଂପୂର୍ଣ୍ଣ ବ୍ୟକ୍ତିଗତ ପ୍ରକୃତି। ପ୍ରତ୍ୟେକ ବ୍ୟକ୍ତି ଭିତରେ ତାର ନୈତିକତା ଥାଏ। ଆଇନ କେବେ କାହା ଉପରେ ନୈତିକତାକୁ ଥୋପି ପାରିବ ନାହିଁ। ଭୟ ସୃଷ୍ଟି କରିବା ଓ ଚରିତ୍ର ସୃଷ୍ଟି କରିବା ଦୁଇଟି ଭିନ୍ନ ଭିନ୍ନ ଜିନିଷ। ଆମ ସମାଜରେ ପ୍ରଚଳିତ ଅନେକ ବ୍ୟବସ୍ଥା ବ୍ୟକ୍ତିକୁ ନୈତିକତା-ମୁଖୀ କରିବା ପାଇଁ ଉଦ୍ଧିଷ୍ଟ।

ବର୍ତ୍ତମାନ ସମୟରେ ପରକୀୟା ପ୍ରୀତିର ପ୍ରସଙ୍ଗ ଉପରେ ହେଉଥିବା ଆଲୋଚନା ନିଶ୍ଚିତଭାବେ ଅର୍ଥହୀନ। ଯଦି ସବୁରୀ ମୂଳରେ ବ୍ୟକ୍ତି-ପ୍ରକୃତି, ତେବେ ଆଇନ ରହିବା ବା ନ ରହିବା କୌଣସି ଫରକ ସୃଷ୍ଟିକରିପାରିବନି। ଅନ୍ୟକୁ ଗ୍ରହଣ କରିବାର ମାନସିକତା ସୃଷ୍ଟି ନହେଲେ, ସମ୍ପର୍କ ସୃଷ୍ଟି ହୋଇପାରେନା; ଅନ୍ୟକୁ ଗ୍ରହଣ କରିବାର ମାନସିକତା ସୃଷ୍ଟି ହୋଇଥାଏ ଅନ୍ୟ ଉପରେ ଥିବା ବିଶ୍ୱାସରୁ। ଅନ୍ୟ ଉପରେ ବିଶ୍ୱାସ ଆସେ ଯେତେବେଳେ ଆମେ ଅନ୍ୟକୁ ବୁଝିବାକୁ ସକ୍ଷମ ହୁଅନ୍ତି। ଏବଂ ଏହା ବୁଝାମୁଣା ସେତେବେଳେ ସମ୍ଭବ ହୁଏ ଯେତେବେଳେ ଏହା ପଛରେ ପ୍ରେମ ରହିଥାଏ।

ସଂକ୍ଷେପରେ କହିବାକୁ ଗଲେ ଯଦି ସମ୍ପର୍କର ଆଧାର ପ୍ରେମ ହୁଏ ତେବେ ତାହା ଚିରନ୍ତନ ସକାରାତ୍ମକ ପ୍ରଭାବ ସୃଷ୍ଟି କରେ। କିନ୍ତୁ ଯଦି ସମ୍ପର୍କର ଆଧାର ପ୍ରେମ ବିନା ଅନ୍ୟ କିଛି ବି ହୁଏ ତେବେ ତାହା କେବେ ବେଶି ସମୟ ତିଷ୍ଠି ରହିପାରେ ନାହିଁ। ଯଦି ଗୋଟିଏ ସମ୍ପର୍କରେ ପ୍ରେମ ଅଛି, ଯେମିତି ବି ପରିସ୍ଥିତି ଆସୁ ନା କାହିଁକି, ନିଶ୍ଚିତଭାବେ ସବୁ ଠିକ୍ ହେଇଯିବ। କିନ୍ତୁ ଯଦି ସମ୍ପକରେ ପ୍ରେମ ନାହିଁ, ତେବେ ହଜାର ଆଇନ ଗଢ଼ିଲେ ବା ଭାଙ୍ଗିଲେ ସେ ସମ୍ପର୍କକୁ ବଞ୍ଚାଇ ହେବନାହିଁ। ତେଣୁ ଏ ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ଭାବି କେହି ଖୁସି ହେବା ବା ଦୁଃଖୀ ହେବାର କୌଣସ କାରଣ ନାହିଁ। ନିଜେ ନିଜକୁ ଜାଣିବାକୁ ଚେଷ୍ଟା କରିବା ଦରକାର କାରଣ ଆମ ଛଡ଼ା ଆମକୁ ଆଉ କେହି ଭଲ ଭାବେ ଜାଣିପାରବେ ନାହିଁ।

ସୋସିଆଲ ମିଡିଆରେ ମତ ରଖିବାରେ କିଛି ଅସୁବିଧା ନାହିଁ, କିନ୍ତୁ ନିଜ ପ୍ରକୃତିକୁ ନ ବୁଛିପାରିଲେ ନିଜପାଇଁ ବହୁତ ଅସୁବିଧା ସୃଷ୍ଟି ହୋଇପାରେ। ଆମର କିଛି ବ୍ୟବହାର ଆଇନ୍ ଆଖିରେ ହୁଏତ ଅପରାଧ ନହୋଇପାରେ, କିନ୍ତୁ ନିଜ ଆଖିରେ ନିଜେ ଅନରାଧୀ ହେଲେ ତାହା ସବୁଠାରୁ ବଡ଼ ଅପରାଧ।

(ଲେଖକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକ)

Comment