ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଚାଲୁଥିବା ପୁରୁଷ ହକି ୱାର୍ଲ୍ଡକପରେ ବୁଧବାର ଦୁଇଟି ମ୍ୟାଚ୍ ଖେଳାଯିବ। ପୁଲ୍-ଡି’ର ୪ଟି ଟିମ୍ ଏହି ମୁକାବିଲାରେ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ୍ ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ ମଧ୍ୟ ଖେଳାଯିବ। ସଂଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପଟେ ଦ୍ୱିତୀୟ ମ୍ୟାଚ୍ ମାଲେସିଆ-ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ।
ଡିସେମ୍ବର ୧ରେ ଖେଳାଯାଇଥିବା ମ୍ୟାଚରେ ନେଦରଲ୍ୟାଣ୍ଡ ପ୍ରଥମ ମୁକାବିଲାରେ ମାଲେସିଆକୁ ୭-୦ ଗୋଲରେ ମାତ୍ ଦେଇଥିଲା। ସେହିପରି ଜର୍ମାନୀକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ପାକିସ୍ତାନ ୦-୧ ଗୋଲରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। ପୁଲ-ଡିରେ ୩ ପଏଣ୍ଟ ସହ ଜବରଦସ୍ତ ଗୋଲ ଅନ୍ତର ପାଇଁ ନେଦରଲ୍ୟାଣ୍ଡ ଶୀର୍ଷରେ ଥିବାବେଳେ ସମାନ ପଏଣ୍ଟ ପାଇଁ ଜର୍ମାନୀ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ପାକିସ୍ତାନ ତୃତୀୟ ସ୍ଥାନରେ ଥିବାବେଳେ ନେଗେଟିଭ୍ ଗୋଲ ପାଇଁ ମାଲେସିଆ ସର୍ବନିମ୍ନ ସ୍ଥାନରେ ରହିଛି।
ବର୍ତ୍ତମାନର ଫର୍ମ ଦେଖିଲେ ବୁଧବାର ମ୍ୟାଚରେ ନେଦରଲ୍ୟାଣ୍ଡ ଏବଂ ଜର୍ମାନୀ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଦୁଇ ଦଳ ସମାନ ପଏଣ୍ଟ ପାଇଥିବାରୁ ମ୍ୟାଚ ଜିତି ସିଧା କ୍ୱାର୍ଟର ଫାଇନାଲ ଖେଳିବା ଲକ୍ଷ୍ୟରେ ରହିବେ। ଅନ୍ୟପଟେ ଦୁର୍ବଳ ପ୍ରଦର୍ଶନ ସତ୍ୱେ ପାକିସ୍ତାନ ଓ ମାଲେସିଆ ନିଜର ପ୍ରଦର୍ଶନ ଦୋହରାଇଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଓ ଇତିହାସ ରଚିପାରିବେ।