ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ବେଲଟିକରିସ୍ଥିତ ସେଲଟର ହୋମ୍ ଯୌନ ନିର୍ଯାତନା ଘଟଣାରେ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଓଡ଼ିଶାରେ ଥିବା ସମସ୍ତ ସେଲଟର ହୋମ୍‌ର ସ୍ଥିତି କେମିତି ଅଛି ତାହା ଯାଞ୍ଚ କରିବା ପାଇଁ ମାନେକା ଶିଶୁ ସୁରକ୍ଷା ଅଧିକାରର ଜାତୀୟ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେଲଟର ହୋମ ଯୌନ ନିର୍ଯାତନା ଘଟଣାକୁ ନେଇ ମାନେକା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ସେ ଏହି ଚିଠିରେ ଦର୍ଶାଇଛନ୍ତି, “ଗୋ ନ୍ୟୁଜ ଇଣ୍ଡିଆ ପକ୍ଷରୁ ପରିଚାଳିତ ସେଲଟର ହୋମରେ ଯେଉଁ ଅଭାବନୀୟ ଘଟଣା ଘଟିଗଲା ତାହା ଦୁଃଖଦାୟକ। ଢେଙ୍କାନାଳ ଜିଲ୍ଲା ସଦରମହକୁମାଠାରୁ ୧୦ କିଲୋମିଟର ଦୂରରେ ଏହି ବେଆଇନ ସେଲଟର ହୋମ ଚାଲୁଥିବା ବେଳେ ଜିଲ୍ଲା ପ୍ରଶାସନ କେମିତି ଜାଣିପାରିଲା ନାହିଁ ? ଗତ ଦୁଇ ବର୍ଷ ହେଲା ଏହି ସଂସ୍ଥାର ଅଧିକାଂଶ ସେଲଟର ହୋମ୍ ବିନା ଲାଇସେନ୍ସରେ ଚାଲୁଥିଲା। ହେଲେ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ।”

ରାଜ୍ୟ ମହିଳା ଏବଂ ଶିଶୁମାନଙ୍କୁ ସୁରକ୍ଷା ଯୋଗାଇଦେବାରେ ସରକାର ବିଫଳ ବୋଲି କହିଛନ୍ତି ମାନେକା।

ସେଲଟର ହୋମରେ ଯୌନ ନିର୍ଯାତନା ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

Comment