ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ମହାକାଳପଡ଼ା ବ୍ଲକର ସରୁମୁହିଁଠାରେ ସର୍ବ ବୃହତ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମହକାଳପଡ଼ା ଓ ମାର୍ଶାଘାଇ ବ୍ଲକର ବହୁ ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଦୂଷିତ ପାଣି ପିଇ ରୋଗଗ୍ରସ୍ତ ହେଉଥିଲେ। ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ଏହି ପ୍ରକଳ୍ପ ନିର୍ମାଣ କରୁଛନ୍ତି।

ଏହି ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମହାକାଳପଡ଼ା ବିଧାୟକ ଅତନୁସବ୍ୟସାଚୀ ନାୟକ ଯୋଗଦେବେ।

ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୨୪୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାର୍ଶାଘାଇ ବ୍ଲକର ୧୦ଟି ଗ୍ରାମପଞ୍ଚାୟତ ଓ ମହାକାଳପଡ଼ା ବ୍ଲକର ୨୨ଟି ଗ୍ରାମପଞ୍ଚାୟତର ୨୦୦ଟି ଗାଁର ପ୍ରାୟ ୨ ଲକ୍ଷ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ।

ଗୋଟିଏପଟେ ଲୁଣା ନଦୀର ମାଣତିରୀ ଓ ଅନ୍ୟପଟରେ ଚିତ୍ରୋତ୍ପଳା ନଦୀର ତାଳସଙ୍ଗାଠାରେ ଥିବା ଜଳ ଉତ୍ସକୁ ଏହି ପ୍ରକଳ୍ପରେ ବ୍ୟବହାର କରାଯିବ।  ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ସମସ୍ତ ଯୋଜନା ପ୍ରସ୍ତୁତି ଶେଷ ହୋଇଛି।

ଏହି ମେଗା ପ୍ରକଳ୍ପର ଶୁଭ ଉଦଘାଟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଶିଳାନ୍ୟାସ କରିବାକୁ ଆସୁଥିବାରୁ ଜିଲା ବିଜେଡି କର୍ମୀ ଓ ନେତାମାନେ ଉତ୍ସାହିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ବିଜେଡି କସରତ ଆରମ୍ଭ କରିଛି। ମହାକାଳପଡା ବିଧାୟକଙ୍କ ପାଇଁ ଏହି ସଭା ସମ୍ମାନର ପ୍ରଶ୍ନ ହୋଇଥିବାରୁ ବିଧାୟକ ସାରା ନିର୍ବାଚନମଣ୍ଡଳୀରେ ନିଜର ନେଟୱର୍କକୁ ବଢ଼ାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାରେ ସହ ଶେଷ କରିବା ପାଇଁ ଜିଲ୍ଲା ଏସ୍ ପି ଏବଂ ଜିଲ୍ଲାପାଳଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି।

LEAVE A REPLY

Please enter your comment!
Please enter your name here