ଓଡ଼ିଶାଲାଇଭ ବ୍ୟୁରୋ

ଢେଙ୍କାନାଳ ବେଲଟିକିରି ସେଲଟର ହୋମ ନିର୍ଯାତନା ଘଟଣାରେ ତଦନ୍ତ ଜାରି ରଖିଛନ୍ତି ଜାତୀୟ ଶିଶୁ ସୁରକ୍ଷା ଆୟୋଗ। କେନ୍ଦ୍ରୀୟ ଟିମର ତଦନ୍ତରୁ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଏନସିପିସିଆର ସଦସ୍ୟ ୟଶୱନ୍ତ ଜୈନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ରାଜ୍ୟସରକାର ସଠିକ ଭାବେ କୌଣସି ଗାଇଡଲାଇନକୁ ପାଳନ କରିନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ”ବର୍ଷକ ତଳେ ଓଡ଼ିଶା ଆସି ରାଜ୍ୟସରକାରଙ୍କ ସହ ଏ ବାବଦରେ ଆଲୋଚନା କରିଥିଲି। ସେଲଟର ହୋମରେ ଶିଶୁଙ୍କ ସୁରକ୍ଷାକୁ ନେଇ ଗାଇଡଲାଇନ ଦେଇଥିଲୁ। ମାତ୍ର ସୁପାରିଶ ଅନୁସାରେ ଏଠାରେ ଗାଇଡଲାଇନ ପାଳନ କରାଯାଇନାହିଁ। ଏଠାରେ ଅଧିକାରୀ ମାନେ ଢିଲା ମାରିଛନ୍ତି। କାହାଦ୍ୱାରା ଏବଂ କେଉଁଠି ଛାତ୍ରାବାସ ଚାଲିଛି ସେ ନେଇ କିଛି ତଥ୍ୟନାହିଁ। ଆମ ଟିମ୍ ଯାଞ୍ଚ କରୁଛି ଯିଏ ଖିଲାପ କରିଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।“

ସୂଚନା ଅନୁସାରେ, ମୋଟ ୯ଟି ଟିମ୍ ଆସିବେ। ଆଉ ଏମାନେ ୧୯ଟି ଜିଲ୍ଲାରେ ପାଖାପାଖି ୫୬ଟି ସେଲଟର ହୋମ ବୁଲି ଦେଖିବେ। ଢେଙ୍କାନାଳ ବେଲଟିକିରି ସ୍ଥିତ ସେଲଟର ହୋମ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚାଞ୍ଚଲ୍ୟ ଖେଳିଥିଲା। ସେଲଟର ହୋମର ଡିନ୍ ଅନ୍ତେବାସୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ବି ହୋଇଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏନସିପିସିଆର ଟିମ୍ ତଦନ୍ତ କରି ରିପୋର୍ଟ କେନ୍ଦ୍ରସରକାରଙ୍କୁ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Comment