ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାହର ସାତ ମାସପରେ ଯୌତୁକ ନିର୍ଯାତନା ସହି ନପାରି ବୋହୂର ଆତ୍ମହତ୍ୟା।

ଯୌତୁକ ନିର୍ଯାତନାର ଅନ୍ୟ ଏକ କରୁଣ ରୂପ। ଭଲପାଇ ବିବାହ କରିବା ପରେ ଯୌତୁକ ପାଇଁ ନବବିବାହିତା ସ୍ତ୍ରୀକୁ ନିର୍ଯ୍ୟାତନା। ୧ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ହେବ ବୋଲି ଶାଶୁଘର ଲୋକଙ୍କ ବାରମ୍ବାର ଚାପ ସହି ପାରୁନଥିଲେ ଭାଗ୍ୟଶ୍ରୀ। ଶେଷରେ ନିର୍ଯାତନା ସହି ନପାରି ବୁଧବାର ଆତ୍ମହତ୍ୟା କରିଛନ୍ତି ଭାଗ୍ୟଶ୍ରୀ।

ଅନ୍ୟପକ୍ଷରେ ଶାଶୁଘର ଲୋକେ ମିଶି ଭାଗ୍ୟଶ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଭାଗ୍ୟଶ୍ରୀଙ୍କ ବାପା ମହେନ୍ଦ୍ର ପରିଡା। ଅଭିଯୋଗ କ୍ରମେ ପୋଲିସ ସ୍ୱାମୀ ପ୍ରୀର ସିଂହକୁ ଗିରଫ କରିଛି ।

କଟକ ଜିଲ୍ଲା ସାଲେପୁର ଥାନା ଜାଗୁଳାଇପଡା ଗାଁର ମହେନ୍ଦ୍ର ପରିଡାଙ୍କ ଝିଅ ଭାଗ୍ୟଶ୍ରୀ ଭଲପାଉଥିଲେ କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ବେଲରପା ଗାଁର ଗୌରାଙ୍ଗ ସିଂହଙ୍କ ପୁଅ ପ୍ରବୀର ସିଂହଙ୍କୁ। ପରଷ୍ପର ବିବାହ କରିବାକୁ ଇଛା ପ୍ରକାଶ କରିବାରୁ ଉଭୟଙ୍କ ପରିବାର ଏହି ବିବାହକୁ ଗ୍ରହଣ କରିନଥିଲେ।

ଶେଷରେ ପ୍ରବୀର ଭାଗ୍ୟଶ୍ରୀଙ୍କୁ ମନ୍ଦିରରେ ବିବାହ କରିଥିଲା। ଉଭୟ ପରିବାର ଲୋକଙ୍କ ଅଗୋଚରରେ ଏହି ବିବାହ ହୋଇଥିଲା। ପରେ ଗତ ଏପ୍ରିଲ ୨୪ ତାରିଖରେ ଉଭୟ ସାଲେପୁରରେ ନୋଟାରୀଙ୍କ ନିକଟରେ ସତ୍ୟପାଠ କରି ବିବାହ କରିବା ପରେ ଭାଗ୍ୟଶ୍ରୀଙ୍କୁ ଘରକୁ ନେଇ ଆସିଥିଲେ ପ୍ରବୀର।

ବାପା ମାଙ୍କ ଇଚ୍ଛା ବିରୁଦ୍ଧରେ ପ୍ରେମ ବିବାହ କରିବାରୁ ବାପା ମାଙ୍କ ଭାଗ୍ୟଶ୍ରୀଙ୍କ ସହିତ ପଡୁନଥିଲା। ପ୍ରବୀରଙ୍କ ପରିବାର ମଧ୍ୟ ଏହି ବିବାହକୁ ଗ୍ରହଣ କରୁନଥିଲେ। ବିବାହ ପରେପରେ ଶାଶୁଘର ଲୋକଙ୍କ ଯୌତୁକ ଜୁଲମ ଆରମ୍ଭ ହୋଇଥିଲା ।  ୧ଲକ୍ଷ ଟଙ୍କାର ଯୌତୁକ ପାଇଁ ଶାଶୁ ଘର ଲୋକେ ଭାଗ୍ୟଶ୍ରୀଙ୍କ ଉପରେ ବାରମ୍ବାର ଚାପ ପକାଉ ଥିଲେ।

ବାପା ମାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିଥିବାରୁ ବାପା ମାଙ୍କ ନିକଟରେ ଦାବି କରି ପାରୁନଥିଲେ ଭାଗ୍ୟଶ୍ରୀ। ଯେତେବେଳେ ଯୌତୁକ ନିର୍ଯାତନା ବଢିବାରେ ଲାଗିଲା ଭାଗ୍ୟଶ୍ରୀ ଘରକୁ ଫୋନ କରି କହିଥିଲେ। କିନ୍ତୁ ବାପାଘର ଲୋକେ ଝିଅର କଥାକୁ ଏତେ ଗୁରୁତ୍ତ୍ୱ ଦେଇନଥିଲେ।

ଶେଷରେ ଶାଶୁଘର ଲୋକେ ମିଳି ମିଶି ଭାଗ୍ୟଶ୍ରୀଙ୍କୁ ମାରିଦେଲେ ବୋଲି ଭାଗ୍ୟଶ୍ରୀଙ୍କ ବାପା ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି। ବୁଧବାର ଦିନ ୧୧ଟାରେ ଭାଗ୍ୟଶ୍ରୀଙ୍କ ଶାଶୁଘର ଲୋକ ଭାଗ୍ୟଶ୍ରୀଙ୍କୁ ଫ୍ୟାନରେ ଝୁଲୁଥିବାର ଦେଖିଲେ। ଏହାପରେ ସେମାନେ ଭାଗ୍ୟଶ୍ରୀଙ୍କ ବାପାଙ୍କୁ ଟେଲିଫୋନ କରି ଖବର ଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭାଗ୍ୟଶ୍ରୀଙ୍କୁ ଚିକିତ୍ସା ପାଇଁ ଶାଶୁଘର ଲୋକେ ନେଇ ଆସିବା ପରେ ସେଠାରେ ଭାଗ୍ୟଶ୍ରୀଙ୍କ ମୃତ୍ୟୁ ଘଟିଛି।

ଭାଗ୍ୟଶ୍ରୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ଡେରାବିଶ ଥାନା ପୋଲିସ ଭାଗ୍ୟଶ୍ରୀଙ୍କ ସ୍ୱାମୀ ପ୍ରବୀରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶବ ବ୍ୟବଚ୍ଛେଦ କରି ଏହା ଆତ୍ମହତ୍ୟା ନା ମର୍ଡର, ପୋଲିସ ତଦନ୍ତ ଜାରି ରଖିଛି।

Comment