ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ କେତୋଟି ଓଡ଼ିଆ ଫିଲ୍ମର ଟାଇଟଲ ଏମିତି, ଯେଉଁ ଟାଇଟଲରେ ହିନ୍ଦୀ ସିନେମା ବି ତିଆରି ହୋଇଛି।

ଓଲିଉଡର ଲୋକପ୍ରିୟ ନାୟକ ଅନୁଭବ ମହାନ୍ତିଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଆଇ ଲଭ ୟୁ’। ୨୦୦୪ରେ ଏହା ରିଲିଜ୍‌ ହୋଇଥିଲା। ଏହା ଏକ ବ୍ଲକବଷ୍ଟର ଫିଲ୍ମ ଥିଲା। ଏହା ପରେ ଅନୁଭବ ଆଗକୁ ମାଡ଼ି ଚାଲିଛନ୍ତି। ସେ ଏମିତି କିଛି ଫିଲ୍ମରେ ପରେ ଅଭିନୟ କରିଛନ୍ତି, ଯେଉଁ ଟାଇଟଲ୍‌ରେ ଆଗରୁ ହିନ୍ଦୀ ଭାଷାରେ ନିର୍ମିତ ହୋଇଥିଲା। ସେହି ଟାଇଟଲଗୁଡ଼ିକ ଜାଣିବା ଓ ହିନ୍ଦୀ ଫିଲ୍ମ ଭାଷାରେ କିଏ ଅଭିନୟ କରିଥିଲେ, ଆସନ୍ତୁ ନଜର ପକାଇବା

ଅର୍ଜୁନ୍:- ‘ଅର୍ଜୁନ’ ହେଉଛି ଅନୁଭବଙ୍କ ଅଭିନୀତ ଏକ ଓଡ଼ିଆ ସିନେମା, ଯାହା ୨୦୦୫ରେ ମୁକ୍ତିଲାଭ କରିଥିଲା। ଶୈଳବାଳା ଲେଙ୍କାଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ବନିଥିଲେ ଗାର୍ଗୀ ମହାନ୍ତି। ଏଥିରେ ଅର୍ଜୁନ ବନିଥିଲେ ଅନୁଭବ।

‘ଅର୍ଜୁନ’ ଟାଇଟଲରେ ଏକ ହିନ୍ଦୀ ସିନେମା ରିଲିଜ୍ ହୋଇଥିଲା ୧୯୮୫ରେ। ରାହୁଲ୍ ରାୱେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସନ୍ନି ଦେଓଲ ଥିଲେ ଟାଇଟଲ୍‌ ରୋଲ୍‌ରେ। ଫିଲ୍ମଟି ସୁପରହିଟ୍‌ ହୋଇଥିଲା। ତେବେ ଏ ଦୁଇ ଫିଲ୍ମ ‘ଅର୍ଜୁନ’ର କାହାଣୀ ଥିଲା ଭିନ୍ନ।

ଅଭିମନ୍ୟୁ:- ୨୦୦୯ରେ ପରଦାକୁ ଆସିଥିଲା ସୁପରଷ୍ଟାର ଅନୁଭବଙ୍କ ଅଭିନୀତ ସୁପରହିଟ୍‌ ଓଡ଼ିଆ ସିନେମା ‘ଅଭିମନ୍ୟୁ’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି। ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ପ୍ରିୟା।

ତେଣେ ୧୯୮୯ ମସିହାରେ ‘ଅଭିମନ୍ୟୁ’ ଟାଇଟଲରେ ଏକ ହିନ୍ଦୀ ସିନେମା ନିର୍ମିତ ହୋଇଥିଲା। ଏଥିରେ ଅନୀଲ କପୁର ଥିଲେ ଟାଇଟଲ ରୋଲ୍‌ରେ।  କିମି କାଟକର ଓ ପୁନମ୍ ତିଲୋଁ ନାୟିକା ଭୂମିକାରେ ଥିଲେ। ଅଭିମନ୍ୟୁ କିନ୍ତୁ ଫ୍ଲପ୍‌ ହୋଇଥିଲା।

‘ଡନ୍‘:- ‘ଡନ୍’ ଏପରି ଏକ ଟାଇଟଲ୍, ଯେଉଁ ଟାଇଟଲରେ ହିନ୍ଦୀ ଭାଷାରେ ଏକାଧିକବାର ସିନେମା ତିଆରି ହୋଇଛି। ହିନ୍ଦୀରେ ଥରେ ଅମିତାଭ ବଚ୍ଚନ ଓ ଆଉ ଥରେ ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ନିର୍ମିତ ‘ଡନ୍’ ହୋଇଥିଲା। ଏ ଦୁଇଟି ଯାକ ଫିଲ୍ମ ସୁପରହିଟ୍ ବି ହୋଇଥିଲା। ଓଡ଼ିଆରେ ବି ଫିଲ୍ମ ‘ଡନ୍’ ତିଆରି ହୋଇଥିଲା। ୨୦୧୦ରେ ରିଲିଜ୍‌ ହୋଇଥିବା ‘ଡନ୍’ ଫିଲ୍ମରେ ଅନୁଭବ ମହାନ୍ତି ନାୟକ ଭୂମିକାରେ ନଜର ଆସିଥିଲେ। ଓଡ଼ିଆ ‘ଡନ୍’କୁ କିନ୍ତୁ ଆଶାନୁରୂପ ବ୍ୟାବସାୟିକ ସଫଳତା ମିଳିନଥିଲା।

ଦିୱାନା:- ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତି ଅନୁଭବଙ୍କୁ ନେଇ ‘ ଦିୱାନା’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିଥିଲେ। ଏହା ୨୦୧୦ରେ ପରଦାକୁ ଆସିଥିଲା। ଏଥିରେ ବର୍ଷା ପ୍ରିୟଦର୍ଶିନୀ ଥିଲେ ନାୟିକା ଭୂମିକାରେ।

ଅପରପକ୍ଷରେ ‘ ଦିୱାନା’ ଟାଇଟଲରେ ଏକାଧିକବାର ହିନ୍ଦୀ ସିନେମା ତିଆରି ହୋଇଛି। ପ୍ରଥମେ ୧୯୫୨ ମସିହାରେ ‘ ଦିୱାନା’ ରିଲିଜ୍‌ ହୋଇଥିଲା। ଏଥିରେ ସୁରେୟା, ସୁମିତ୍ରା ଓ ସୁରେଶ ମୁଖ୍ୟ ଭୂମିକାରେ ଥିଲେ। ୧୯୬୭ ମସିହାରେ ସେହି ‘ ଦିୱାନା’ ଟାଇଟଲରେ ଆଉ ଏକ ହିନ୍ଦୀ ସିନେମା ପରଦାକୁ ଆସିଥିଲା, ଯେଉଁଥିରେ ରାଜ କପୁର ଓ ସାୟରାବାନୋ ଲିଡ୍ ରୋଲ୍‌ରେ ଥିଲେ। ୧୯୯୨ ମସିହାରେ ‘ ଦିୱାନା’ ଟାଇଟଲରେ  ଅନ୍ୟ ଏକ ସିନେମା ମୁକ୍ତିଲାଭ କରିଥିଲା ଯେଉଁଥିରେ ଋଷି କପୁର, ଶାହାରୁଖ୍‌ ଖାନ୍‌ ଓ ଦିବ୍ୟା ଭାରତୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ବେବି:-୨୦୧୭ରେ ଅନୁଭବଙ୍କ ଅଭିନୀତ ଏକ ଚର୍ଚ୍ଚିତ ସିନେମା ‘ବେବି’ ପରଦାକୁ ଆସିଥିଲା। ଏଥିରେ ଅନୁଭବ ନାୟକ ଭୂମିକାରେ ନଜର ଆସିଥିଲେ। କେ. ମୂରଲୀ କ୍ରୀଷ୍ଣା ଏହାର ନିର୍ଦ୍ଦେଶନା ଦେଇଥିଲେ।

ହେଲେ ‘ବେବି’ ଟାଇଟଲରେ ୨୦୧୫ରେ ରିଲିଜ୍‌ ହୋଇଥିବା ଏକ ହିନ୍ଦୀ ସିନେମା ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ନୀରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଏହି ସୁପରହିଟ୍ ଫିଲ୍ମରେ ଅକ୍ଷୟ କୁମାର ନାୟକ ଭୂମିକାରେ ଅଭିନୟ କରିଥିଲେ।

ଓଡ଼ିଆ ଭାଷାରେ ନିର୍ମିତ ‘ବେବି’ ଏକ ପାରିବାରିକ ସିନେମା ହୋଇଥିବା ବେଳେ ହିନ୍ଦୀରେ ତିଆରି ହୋଇଥିବା ‘ବେବି’ ଏକ ଆକ୍ସନ୍‌ ଥ୍ରିଲର୍‌ ଥିଲା।

Comment