ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶହେ କୋଟି କ୍ଲବରେ ବଲିଉଡ ଫିଲ୍ମ ସାମିଲ ହେବା ଏବେ ମାମୁଲି କଥା। ଚଳିତବର୍ଷ ୧୦ଟି ଫିଲ୍ମ ଶହେ କୋଟି କ୍ଲବରେ ସାମିଲ ହୋଇଛି।

ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ବଲିଉଡ ଫିଲ୍ମ ଏତେ ସଫଳତା ପାଇପାରି ନାହିଁ। ୨୦୧୮ରେ ମାତ୍ର ୧୦ଟି ଫିଲ୍ମ ଶହେ କୋଟି କ୍ଲବରେ ସାମିଲ ହୋଇଛି।

ଚଳିତ ବର୍ଷ ଜୁନ ୨୯ରେ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ସଞ୍ଜୁ’ ରିଲିଜ୍ ହୋଇଥିଲା।  ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ କରିଥିଲା। ଶହେ କୋଟି ନୁହେଁ ୩୪୨.୫୩ କୋଟି ଆୟ କରି ଧମାଲ ମଚାଇଥିଲା। ଚଳିତବର୍ଷ ଏହା ସର୍ବାଧିକ କଲେକ୍ସନ କରିଥିବା ଫିଲ୍ମ। ଏହାର ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ହିରାନୀ। ଏଥିରେ ରଣବୀର କପୁର, ଅନୁଷ୍କା ଶର୍ମା, ପରେଶ ରାୱଲ, ସୋନମ କପୁର ଏବଂ ଦିୟା ମିର୍ଜା ଅଭିନୟ କରିଥିଲେ।

ଜାନୁଆରୀରେ ୨୫ରେ ରିଲିଜ ହୋଇଥିବା ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ୍’ ରେକର୍ଡ କରିଥିଲା। ଫିଲ୍ମଟି ମୋଟ୍ ୩୦୨.୧୫ କୋଟି ଟଙ୍କା ଆୟ କରି ଚଳିତବର୍ଷର ଦ୍ୱିତୀୟ ସ୍ଥାନରେ ରହିଛି। ଫିଲ୍ମରେ ଦୀପିକା ପାଦୁକୋନ, ସାହିଦ କପୁର, ରଣବୀର ସିଂହ ଅଭିନୟ କରିଥିଲେ।  ଫିଲ୍ମରେ ଦୀପିକା ରାଣୀ ପଦ୍ମାବତୀ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମ ନିର୍ମାଣରେ ୧୮୦ରୁ ୧୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ଆକ୍ସନ ଥ୍ରୀଲର ଫିଲ୍ମ ‘ରେସ୍ ଥ୍ରୀ’ ୧୬୬.୪୦ କୋଟି କଲେକ୍ସନ କରି ଚଳିତବର୍ଷ ଶହେ କୋଟି କ୍ଲବର ତୃତୀୟ ସ୍ଥାନରେ ରହିଛି। ଜୁନ ୧୫ରେ ଫିଲ୍ମଟି ରିଲିଜ ହୋଇଥିଲା। ଫିଲ୍ମର ଲିଡ ରୋଲରେ ସଲମାନ ଖାନ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ, ବବି ଦେୱଲ, ଅନୀଲ କପୁର ଏବଂ ଡେଜି ଶାହ ପ୍ରମୁଖ ଥିଲେ।

ବଲିଉଡ୍ ଆକ୍ସନ ରୋମାଣ୍ଟିକ ଫିଲ୍ମ ‘ବାଗୀ-୨’ ମଧ୍ୟ ଶହେ କୋଟି କ୍ଲବରେ ସାମିଲ ହୋଇ ଚତୁର୍ଥ ସ୍ଥାନରେ ରହିଛି। ଫିଲ୍ମଟି ମୋଟ୍ ୧୬୪.୩୮ କୋଟି ଟଙ୍କା ଆୟ କରିଥିଲା। ମାର୍ଚ୍ଚ ୩୦ରେ ଫିଲ୍ମ ପରଦାକୁ ଆସିଥିଲା। ଟାଇଗର ଶ୍ରଫ ଏବଂ ଦିଶା ପଟ୍ଟାନୀ ଲିଡ୍ ରୋଲ ଭୂମିକା ନିଭାଇଥିଲେ। ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ବାଗୀ’ର ସିକ୍ୱେଲ ବାଗୀ-୨’।

ହରର୍‌-ଡ୍ରାମା ଫିଲ୍ମ ‘ସ୍ତ୍ରୀ’ ମଧ୍ୟ ଶହେ କୋଟି କ୍ଲବରେ ସାମିଲ ହୋଇ ପଞ୍ଚମ ସ୍ଥାନରେ ରହିଛି। ଫିଲ୍ମଟି ବକ୍ସ ଅଫିସରେ ୧୨୯.୯୦ କୋଟି ଟଙ୍କା କଲେକ୍ସନ କରିଥିଲା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମର କୌଶିକ୍। ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ଶହେ କୋଟି କ୍ଲବର ଷଷ୍ଠ ସ୍ଥାନରେ ରହିଛି ବଲିଉଡ୍ ମୁଭି ‘ରାଜୀ’। ଚଳିତ ବର୍ଷ ମେ’ ୧୧ରେ ରିଲିଜ ହୋଇଥିଲା ଫିଲ୍ମ। ଡ୍ରାମା ଏବଂ ଥ୍ରୀଲର ଫିଲ୍ମ ଥିବା ‘ରାଜୀ’ ୧୨୩.୮୪ କୋଟି ଟଙ୍କା ଆୟ କରିଥିଲା। ମେଘନା ଗୁଲଜାର ନିର୍ଦ୍ଦେଶନା ଦେଇଥିବାବେଳେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆଲିଆ ଭଟ୍ଟ, ଭିକି କୌଶଲ ଏବଂ ଅମୃଥା ଖାନଭିଲିକର।

କମେଡି ଏବଂ ରୋମାନ୍ସ ମୁଭି ‘ସୋନୁ କେ ଟିଟୁ କି ସ୍ୱିଟି’ ଫେବ୍ରୁଆରୀ ୨୩ରେ ପରଦାକୁ ଆସିଥିଲା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲଭ୍ ରଞ୍ଜନ। କାର୍ତ୍ତିକ ଆରିୟାନ, ନୁସରହତ ଏବଂ ସନ୍ନି ସିଂହ ପ୍ରମୁଖ ଅଭିନୟ କରିଛନ୍ତି। ବକ୍ସ ଅଫିସରେ ୧୦୮.୯୫ କୋଟି କଲେକ୍ସନ କରି ଶହେ କୋଟି କ୍ଲବର ସପ୍ତମ ସ୍ଥାନରେ ରହିଛି ଫିଲ୍ମ।

ଚଳିତବର୍ଷ ଅଗଷ୍ଟ ୧୫ରେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ‘ଗୋଲ୍ଡ’ ଶହେ କୋଟି କ୍ଲବରେ ସାମିଲ ହୋଇ ଅଷ୍ଟମ ସ୍ଥାନରେ ରହିଛି। ଫିଲ୍ମଟି ସ୍ପୋର୍ଷ୍ଟ-ଡ୍ରାମା ଭିତ୍ତିକ ହୋଇଥିବାବେଳେ ଲିଡରେ ଅଛନ୍ତି ଅକ୍ଷୟ କୁମାର, ମୌନି ରୟ, କୁନାଲ କପୁର, ଅମିତ ସାଢ଼।

ମାର୍ଚ୍ଚ ୧୬ରେ ରିଲିଜ ହୋଇଥିବା ଆକ୍ସନ-ଥ୍ରୀଲର-କ୍ରାଇମ ଫିଲ୍ମ ‘ରେଡ୍’। ୧୦୩ କୋଟି କଲେକ୍ସନ କରି ଶହେ କୋଟି କ୍ଲବରେ ସାମିଲ ହୋଇଛି।  ରାଜ କୁମାର ଗୁପ୍ତା ନିର୍ଦ୍ଦେଶନା ଦେଇଥିବାବେଳେ ଲିଡରେ ଅଜୟ ଦେବଗନ, ଇଲିଆନା ଡି କ୍ରୁଜ, ସାନନ୍ଦ ବର୍ମା ଏବଂ ଶୁଭ୍ର ଶୁଳ୍କା ଅଭିନୟ କରିଛନ୍ତି।

ଅକ୍ଟୋବରରେ ୧୮ରେ ପରଦାକୁ ଆସିଥିଲା କମେଡି ଫିଲ୍ମ ‘ବଧାଇ ହୋ’ । ଅମିତ ରବ୍ରିନ୍ଦନାଥ ନିର୍ଦ୍ଦେଶନା ଦେଇଥିବାବେଳେ ଲିଡରେ ଆୟୁଷ୍ମାନ ଖୁରାନା, ସନ୍ୟା ମାଲହୋତ୍ରା, ଗଜରାଜ୍ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ଶହେ କୋଟି ଟଙ୍କା ରୋଜଗାର କରି ଚଳିତବର୍ଷର ଦଶମ ସ୍ଥାନରେ ରହିଛି।

Comment