ଓଡ଼ିଶାଲାଇଭ୍ ବ୍ୟୁରୋ

- ନିଯୁକ୍ତି ଅପେକ୍ଷାରେ ୮୫ ଲକ୍ଷ ଯୁବକ
- ୧୮ ବର୍ଷରେ ବଢ଼ିଛି ରାଜ୍ୟର ଋଣଭାର
- ଶିଳ୍ପ ସଂସ୍ଥାରେ ତାଲା
- ଚାଷଜମିକୁ ନାହିଁ ଜଳସେଚନର ସୁବିଧା
ବିଜୁ ଜନତା ଦଳକୁ ୨୧ ବର୍ଷ ପୂରିଛି। ଭୁବନେଶ୍ୱର ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରୁଛନ୍ତି ବିଜେଡିର ନେତା ଓ କର୍ମୀ।
୧୮ ବର୍ଷର ଶାସନ ଭିତରେ ହୋଇଥିବା ବିକାଶ ସମ୍ପର୍କରେ ତୃଣମୂଳ ସ୍ତରର ଲୋକଙ୍କୁ ଅବଗତ କରୁଛନ୍ତି ନେତା ଓ କର୍ମୀ। ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ‘ବିକାଶ’କୁ ତାତ୍ସଲ୍ୟ କରିଛନ୍ତି। ନବୀନ ଗୋଟିଏ ପ୍ରାଇଭେଟ ଦଳର ନେତା କହିବାକୁ ପଛାଇ ନାହାନ୍ତି ପିସିସି ସଭାପତି।
“ବିଜୁ ଜନତା ଦଳ ହେଉଛି ପ୍ରାଇଭେଟ ଲିମିଟେଡ କମ୍ପାନି। ଏହି ପ୍ରାଇଭେଟ ଦଳର ନେତୃତ୍ୱ ନେଉଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ଶାସନ ଅମଳରେ ଓଡ଼ିଶାର ବିକାଶ ହୋଇନାହିଁ”, କହିଛନ୍ତି ନିରଞ୍ଜନ ପଟ୍ଟନାୟକ।
ନିରଞ୍ଜନ ଆହୁରି କହିଛନ୍ତି, “ଓଡ଼ିଶାର ଯୁବକମାନଙ୍କୁ ରାଜ୍ୟ ସରକାର କର୍ମ ନିଯୁକ୍ତି ଯୋଗାଇ ଦେବାରେ ବିଫଳ। ପ୍ରାୟ ୮୫ ଲକ୍ଷ ଯୁବକ ନିଯୁକ୍ତି ଅପେକ୍ଷାରେ। ସେମାନଙ୍କୁ ନିଯୁକ୍ତି ମିଳିବ କି ନାହିଁ ସନ୍ଦେହ। ୨୦୦୦ ମସିହାରେ ଓଡ଼ିଶାର ଋଣଭାର ଥିଲା ୧୮ ହଜାର କୋଟି। ଏହା ଏବେ ବଢ଼ି ୯୩ ହଜାର କୋଟିରେ ପହଞ୍ଚିଲାଣି। ୧୮ ବର୍ଷ ଭିତରେ ୬୫ ଭାଗ ଲୋକ ବିପିଏଲ ତାଲିକାରେ ରହିଛନ୍ତି। ଏହା କ’ଣ ବିକାଶ?”
ରାଜ୍ୟରେ ଚାଷୀ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଚାଷଜମିକୁ ଜଳସେଚନର ସୁବିଧା ନାହିଁ। ଶିଳ୍ପ ସଂସ୍ଥା ଖୋଲିବା ବଦଳରେ ବନ୍ଦ ହୋଇ ଚାଲିଛି। ୧୮ ବର୍ଷର ଶାସନ ଭିତରେ ଗୋଟିଏ ବି ନୂଆ ଶିଳ୍ପ ପ୍ରତିଷ୍ଠା କରିପାରିଲେ ନାହିଁ ରାଜ୍ୟ ସରକାର। ଏହା କେଉଁ ପ୍ରକାରର ବିକାଶ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।

















