ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡରେ ୨୦୧୮ରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହେଲା। ପ୍ରତିବର୍ଷ ଭଳି ଏ ବର୍ଷ ବି ନାୟକମାନଙ୍କ ମଧ୍ୟରେ ଜବରଦସ୍ତ ଟକ୍କର୍ ଦେଖିବାକୁ ମିଳିଥିଲା। ଏହି ବର୍ଷ ବାବୁସାନ୍ ନୁହଁନ୍ତି ଜ୍ୟୋତିଙ୍କର ସବୁଠୁ ବେଶି ସିନେମା ରିଲିଜ୍ ହୋଇଛି। ୨୦୧୬ ଓ ୨୦୧୭ରେ ନାୟକମାନଙ୍କ ଭିତରେ ବାବୁସାନ୍‌ଙ୍କର ସବୁଠାରୁ ଅଧିକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା।

ଜ୍ୟୋତି

୨୦୧୮ରେ ଜ୍ୟୋତିଙ୍କର ଚାରିଟି ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ଏହି ସିନେମାଗୁଡ଼ିକ ହେଲା- ହାପିଲକି, ଓଲେ ଓଲେ ଦିଲ୍ ବୋଲେ, ଲଭ୍ ଅଲଗା ପ୍ରକାର ଏବଂ ସାଥୀ ତୁ ଫେରିଆ’। ଏଥିମଧ୍ୟରୁ ‘ଲଭ୍ ଅଲଗା ପ୍ରକାର’ ଓ ‘ସାଥୀ ତୁ ଫେରିଆ’ ଏକା ତାରିଖ (ନଭେମ୍ବର ୨୩ ତାରିଖ)ରେ ରିଲିଜ୍ ହୋଇଥିଲା। ଅପରପକ୍ଷରେ ବାବୁସାନ୍‌ଙ୍କୁ ତିନିଟି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଥିଲା। ଏହି ସିନେମାଗୁଡ଼ିକ ହେଲା ‘ଓନ୍‌ଲି ପ୍ୟାର୍‌’, ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଓ ‘ଶ୍ରୀମାନ୍ ସୁରଦାସ’।

ଏଲିନା ସାମନ୍ତରାୟ 

୨୦୧୭ ଭଳି ୨୦୧୮ରେ ବି ଏଲିନାଙ୍କୁ ଦର୍ଶକ ଏକାଧିକ ଓଡ଼ିଆ ସିନେମାରେ ଦେଖିବାକୁ ପାଇଲେ। ୨୦୧୮ରେ ଏଲିନାଙ୍କ ଅଭିନୀତ ଚାରିଟି ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ଏହି ଫିଲ୍ମଗୁଡ଼ିକ ହେଲା- ‘ହାପି ଲକି’, ‘ଫୋର୍ ଇଡିଅଟ୍‌ସ’, ‘ଟୋକାଟା ଫସିଗଲାରେ’ ଏବଂ ‘ଇଶ୍କ ପୁଣି ଥରେ’

ଏଥିମଧ୍ୟରୁ ‘ହାପି ଲକି’ରେ ଏଲିନା ପ୍ରଥମ ଥର ପାଇଁ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ବନିଥିଲେ। ଅପରପକ୍ଷରେ ସବ୍ୟସାଚୀଙ୍କ ସହ ସେ ‘ଫୋର୍ ଇଡିଅଟ୍‌ସ’ ଓ ‘ଟୋକାଟା ଫସିଗଲାରେ’ରେ ନଜର ଆସିଥିଲେ ଏଲିନା। ଠିକ୍ ସେହିପରି ଅରିନ୍ଦମଙ୍କ ବିପକ୍ଷରେ ପ୍ରାୟ ତିନି ବର୍ଷ ବ୍ୟବଧାନରେ ୨୦୧୮ରେ ମୁକ୍ତିଲାଭ କରିଥିବା ସିନେମା ‘ଇଶ୍କ ପୁଣି ଥରେ’ରେ ଦେଖା ଦେଇଥିଲେ ଏଲିନା ସାମନ୍ତରାୟ।

ଝିଲିକ

୨୦୧୮ରେ ଓଲିଉଡର ଜଣାଶୁଣା ନାୟିକା ଝିଲିକଙ୍କର ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ଏଥିମଧ୍ୟରୁ ପ୍ରଥମଟି ହେଲା ‘ଓଲେ ଓଲେ ଦିଲ୍ ବୋଲେ’ ଓ ଅନ୍ୟଟି ‘ଲଭ୍ ଅଲଗା ପ୍ରକାର’। ଉଭୟରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକାଭାବେ ନଜର ଆସିଥିଲେ ଝିଲିକ୍।

 

Comment