ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପୁଣିଥରେ ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ ଉପରେ ଆଲୋଚନା ହୋଇପାରେ। ସୋମବାର କେନ୍ଦ୍ର ସରକାରଙ୍କ ତରଫରୁ ଏହି ବିଲ୍କୁ ଗୃହୀତ କରିବା ଲାଗି ଉଦ୍ୟମ କରାଯାଇଥିଲେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ଯେଉଁଥିପାଇଁ ୨ତାରିଖ ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ।
କେନ୍ଦ୍ର ସରକାର ସୋମବାର ଗୃହରେ ବିଲ୍ ଉପସ୍ଥାପନ କରିବା କ୍ଷଣି କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନସିପି, ଟିଡିପି, ଜେଡିଏସ୍, ସିପିଆଇ, ସିପିଆଇଏମ୍ ଓ ଆପ୍ ପକ୍ଷରୁ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ଧାରା ୧୨୫ ଅନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ନୋଟିସ୍ ଦେଇଥିଲେ।
ପୂର୍ବରୁ ବିରୋଧୀଙ୍କ ହୋ ହଲ୍ଲା ମଧ୍ୟରେ କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଟ୍ରିପଲ୍ ତଲାକ୍ ବିଲ୍କୁ ଲୋକସଭାରେ ପାରିତ କରିଥିବା ବେଳେ ଏହା ଏବେ ରାଜ୍ୟସଭାରେ ଅଟକିଛି। ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଏହି ବିଲ୍ ପାସ୍ କରିବାକୁ ଚାହୁଁଥିବା ବେଳେ ଏଥିରେ ଥିବା କିଛି ବ୍ୟବସ୍ଥାରେ ସଂଶୋଧନ ପାଇଁ ବିରୋଧୀ ଦଳଗୁଡ଼ିକ ଅଡ଼ି ବସିଛନ୍ତି।













