ଓଡ଼ିଶାଲାଇଭ୍ ବ୍ୟୁରୋ

  • ମହିଳା ସଂରକ୍ଷଣ ବିଲ୍‌ ରାଜ୍ୟସଭାରେ ପାରିତ
  • ୨୧୫ ସାଂସଦଙ୍କ ସମର୍ଥନ ସହ ସର୍ବସମ୍ମତିରେ ବିଲ୍ ପାସ
  • ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ ପରିଣତ ହେବ ବିଲ୍

ମହିଳା ସଂରକ୍ଷଣ ବିଲ୍‌ ବା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ରାଜ୍ୟସଭାରେ ପାରିତ ହୋଇଛି। ଗୁରୁବାର ରାଜ୍ୟସଭାରେ ସର୍ବସମ୍ମତିରେ ଏହି ବିଲ୍ ପାସ ହୋଇଥିଲା। ରାଜ୍ୟସଭାରେ ଉପସ୍ଥିତ ସମସ୍ତ ୨୧୫ ଜଣ ସଂସଦ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ।

ଗୁରୁବାର ମହିଳା ସଂରକ୍ଷଣ ବିଲ୍‌ ଉପରେ ରାଜ୍ୟସଭାରେ ବିସ୍ତୃତ ଆଲୋଚନା ହୋଇଥିଲା। ୮ ଘଣ୍ଟାର ଏହି ଆଲୋଚନାରେ ରାଜ୍ୟସଭାର ୬୦ ଜଣ ସାଂସଦ ନିଜର ବକ୍ତବ୍ୟ ରଖିଥିଲେ। ସମସ୍ତେ ବିଲକୁ ସମର୍ଥନ କରିଥିଲେ।

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ସର୍ବସମ୍ମତିରେ ଗୃହୀତ ହେବାପରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାକୁ ଐତିହାସିକ ବୋଲି କହିଥିଲେ। ସେହିପରି ବିଲକୁ ସମର୍ଥନ କରିଥିବା ସବୁ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଥିଲେ।

ବୁଧବାର ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ବିଲ୍ ସପକ୍ଷରେ ୪୫୪ଟି ଭୋଟ୍‌ ପଡ଼ିଥିବାବେଳେ ବିରୋଧରେ ମାତ୍ର ୨ଟି ଭୋଟ୍‌ ପଡ଼ିଥିଲା। ରାଜ୍ୟସଭାରୁ ପାରିତ ହୋଇସାରିଥିବା ମହିଳା ସଂରକ୍ଷଣ ବିଲ୍ ଏବେ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଏହା ଆଇନରେ ପରିଣତ ହେବ।

ତେବେ ଆଇନରେ ପରିଣତ ହେଲା ମଧ୍ୟ ଏହା ଏବେ କାର୍ଯ୍ୟକାରୀ ହେବ ନାହିଁ। ୨୦୨୪ ମସିହା ନିର୍ବାଚନ ପରେ ଦେଶରେ ଉଭୟ ଜନଗଣନା ଓ ସଂସଦୀୟ କ୍ଷେତ୍ରର ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ହେବ। ଏହାପରେ ଲୋକସଭା ସମେତ ରାଜ୍ୟର ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ସଠିକ୍ ଭାବେ କାର୍ଯ୍ୟକାରୀ ହେବ।

Tags: #WomenReservationBill #Rajyasabha #Parliament #India

Comment