ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ତେବେ ଅଧିବେଶନ ଆରମ୍ଭରୁ ସଂସଦରେ ବିରୋଧୀ ନେତାମାନଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଏଥିପାଇଁ ଅଧିବେଶନକୁ କିଛି ସମୟ ପାଇଁ ମୁଲତବୀ କରାଯାଇଥିଲା।

ତେବେ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ବିଜୟରେ ବିଜେପିର ସାଂସଦମାନେ ଉଭୟ ଗୃହରେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଲୋକସଭାରେ ଅଧିବେଶନ ଆରମ୍ଭରେ ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।       

ଅନ୍ୟପଟେ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଗୃହରେ ବିରୋଧୀ ନେତାମାନଙ୍କ ସହଯୋଗ କାମନା କରିଥିଲେ। ଏହାସହ ନିର୍ବାଚନ ଫଳାଫଳକୁ ଭୁଲି ସକାରାତ୍ମକ ଚିନ୍ତାଧାରା ସହ ଅଧିବେଶନରେ ସାମିଲ ହେବାକୁ ସେ ବିରୋଧୀ ଦଳମାନଙ୍କୁ ପରାମର୍ଶ ଦେଇଥିଲେ।

ଚଳିତ ଲୋକସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୯ ଦିନ ଧରି ହେବାକୁଥିବା ଏହି ଅଧିବେଶନରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ୧୯ଟି ବିଧେୟକ ଓ ୨ଟି ବିତ୍ତୀୟ ଚିଠା ରହିଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। 

ଦେଶରେ ଆଇପିସି, ସିଆରପିସିକୁ ବଦଳାଇ ନୂଆ ଆଇନ ଆଣିବା ପାଇଁ ପ୍ରସ୍ତାବିତ ବିଲ୍ ଏହି ଅଧିବେଶନରେ ଆସିବାର ସମ୍ଭାବନା ରହିଛି। ପୂର୍ବରୁ ଏହା ସଂସଦୀୟ କମିଟି ଦ୍ୱାରା ଅନୁମୋଦନ ହୋଇସାରିଛି।

ତେବେ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଠିକ୍ ପରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ନିର୍ବାଚନର ପ୍ରଭାବ ଅଧିବେଶନ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି।  

Tags: #Parliament #WinterSession #LokSabha #RajyaSabha #India

Comment