ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳର ସାବରିମାଲା ମନ୍ଦିରରେ ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା। ସାବରିମାଲା ମନ୍ଦିରରେ ପ୍ରବେଶ କଲେ ୨ ମହିଳା। ଏହା ଇତିହାସରେ ପ୍ରଥମ ଥର ପାଇଁ ହୋଇଛି।

କେରଳର ବହୁଚର୍ଚ୍ଚିତ ସାବରିମାଲା ମନ୍ଦିରରେ ୧୦ରୁ ୫୦ ବର୍ଷ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ବ୍ୟାନ୍‌ କରାଯାଇଥିଲା। ଏହି ବ୍ୟାନ୍‌କୁ ସୁପ୍ରିମ୍‌କୋର୍ଟ ହଟେଇ ଦେଇଥିଲେ। ଏହାପରେ ମଧ୍ୟ ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବ୍ୟାନ୍‌ କରାଯାଇଥିଲା।

ପୋଲିସ୍‌ ସୂଚନା ଅନୁଯାୟୀ, ପାଖାପାଖି ୪୦ ବର୍ଷ ବୟସର ଦୁଇ ମହିଳା ସାବରିମାଲା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଅଧରାତିରେ ଦୁଇ ମହିଳା ସିଢ଼ି ଚଢ଼ିବା ଆରମ୍ଭ କରିଥିଲେ ଏବଂ ସକାଳ ୩.୧୫ରେ ସ୍ୱାମୀ ଆୟାପ୍ପାଙ୍କ ଦର୍ଶନ କରିଥିଲେ। ସେମାନଙ୍କ ସହିତ କିଛି ସାଧା ପୋଷାକଧାରୀ ପୋଲିସ ଓ ଖାକିରେ ଥିବା ପୋଲିସ ମଧ୍ୟ ଥିଲେ। ଏହି ଦୁଇ ମହିଳାଙ୍କ ପ୍ରବେଶ ଯୋଗୁଁ ୨ ଦିନ ପର୍ଯ୍ୟନ୍ତ ମନ୍ଦିରକୁ ବନ୍ଦ କରିଦିଆଯାଇଛି।

ବର୍ଷ ବର୍ଷ ଧରି ପ୍ରଚଳିତ ପରମ୍ପରା ଅନୁସାରେ ମନ୍ଦିରକୁ ମହିଳାଙ୍କ ପ୍ରବେଶ ଅଧିକାର ଉପରେ କଟକଣା ଥିଲା। ୧୦ରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାମାନେ ମନ୍ଦିରର ଗର୍ଭଗୃହକୁ ଯାଇପାରିବେ ନାହିଁ ବୋଲି ନିୟମ ରହିଥିଲା। ଏହି ବୟସର ମହିଳାମାନଙ୍କର ଋତୁସ୍ରାବ ସମ୍ଭାବନା ଥିବାରୁ ସେମାନଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ବାରଣ କରାଯାଇଥିଲା। ଆରାଧ୍ୟ ଦେବତା ଆୟାପ୍ପା ‘ନୈଷ୍ଠିକ ବ୍ରହ୍ମଚାରୀ’ ହୋଇଥିବାରୁ ଏଭଳି ନିୟମ ରହିଥିବା କୁହାଯାଏ।

ସାବରିମାଲା ମନ୍ଦିରକୁ ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ପ୍ରବେଶ ଅଧିକାର ଉପରେ କଟକଣାକୁ ନାପସନ୍ଦ କରି ସୁପ୍ରିମକୋର୍ଟ ଏହାକୁ ମନମୁଖୀ ନିୟମ ବୋଲି କହିଥିଲେ। ୧୦ରୁ ୫୦ ବର୍ଷର ମହିଳାଙ୍କୁ ମନ୍ଦିର ପ୍ରବେଶ ମନା କରିବା କେବଳ ଯେ ମହିଳାଙ୍କ ସାମ୍ବିଧାନିକ ଅଧିକାରର ପରିପନ୍ଥୀ ତାହା ନୁହେଁ, ବରଂ ଏହା ଲିଙ୍ଗଗତ ଭେଦଭାବ ଏବଂ ଅସ୍ପୃଶ୍ୟତାକୁ ସୂଚାଇଥାଏ ବୋଲି କୋର୍ଟ କହିଥିଲେ।

ହେଲେ ଦକ୍ଷିଣପନ୍ଥୀ ସଂଗଠନଗୁଡ଼ିକ ଏହି ରାୟକୁ ପ୍ରତିବାଦ କରିଥିଲେ। ଏହାପରେ ବି ଆନ୍ଦୋଳନକାରୀ ମହିଳାଙ୍କୁ ପ୍ରବେଶ କରାଇ ଦେଉନଥିଲେ। କିନ୍ତୁ ଏହି ଦୁଇ ମହିଳା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି।

LEAVE A REPLY

Please enter your comment!
Please enter your name here