ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ସ୍ଥାନୀୟ ଉଦିତନଗରସ୍ଥିତ ସିଟି ଅଡିଟୋରିୟମରେ ସିଟି ଲେଭଲ ଆଡଭାଇଜରି ଫୋରମ୍ (କ୍ଲାଫ୍) ବା ମହାନଗର ସ୍ତରୀୟ ଉପଦେଷ୍ଚା ମଣ୍ଡଳୀର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପରିଷଦର ସଦସ୍ୟମାନଙ୍କୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଥା ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ନିମନ୍ତେ ଚାଲିଥିବା ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ।

ବୈଠକରେ ଯୋଗଦେଇଥିବା ଉପଦେଷ୍ଟା ମଣ୍ଡଳୀର ସଦସ୍ୟମାନେ ରାଉରକେଲା ସ୍ମାର୍ଟ ସିଟିରେ ଅନ୍ୟ ପ୍ରତିଷ୍ଠିତ ସହରମାନଙ୍କ ଭଳି ଏକ ସାଂସ୍କୃତିକ ମହୋତ୍ସବ ଆୟୋଜନ କରିବା ଲାଗି ମତ ରଖିଥିଲେ।

ରାଉରକେଲାରେ ବିଭିନ୍ନ ରାଜ୍ୟ ତଥା ବିଭିନ୍ନ ଭାଷାଭାଷି ଲୋକ ରହୁଥିବା ଯୋଗୁଁ ଏହାକୁ ମିନି ଇଣ୍ଡିଆ ବୋଲି କୁହାଯାଏ। ତେଣୁ ଏହି ମହୋତ୍ସବରେ ଦେଶର ବିଭିନ୍ନ ରାଜ୍ୟର କଳା, ସଂସ୍କୃତି ଆଦିକୁ ଗୁରୁତ୍ୱ ଦେଇ ଏକ ସାଂସ୍କୃତିକ ମହୋତ୍ସବ ଆୟୋଜନ କରିବା ଲାଗି ସେମାନେ ମତପୋଷଣ କରିଥିଲେ। ବର୍ତ୍ତମାନ ରାଉରକେଲାରେ ବେଶ ଶୀତ ଅନୁଭୁତ ହେଉଥିବା ଯୋଗୁଁ ଜାନୁୟାରୀ ଶେଷ ସପ୍ତାହ ଆଡକୁ ଏହି ମହୋତ୍ସବ ଆୟୋଜନ ଲାଗି ପ୍ରସ୍ତାବ ଦିଆଯାଇଥିଲା।

ସାଂସ୍କୃତିକ ମହୋତ୍ସବ ଆୟୋଜନ ଲାଗି ମହାନଗର ସ୍ତରୀୟ ଉପଦେଷ୍ଟା ମଣ୍ଡଳୀ ସଦସ୍ୟମାନଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ପ୍ରସ୍ତାବ  ଉପରେ ଅଧିକ ତର୍ଜମା କରି ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ସିଇଓ ରଶ୍ମିତା ପଣ୍ଡା ମତବ୍ୟକ୍ତ କରିଥିଲେ।

ଏହି ବୈଠକରେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ୍, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ବରିଷ୍ଠ ଅଧିକାରୀ ସଞ୍ଜୟ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Comment