ଓଡ଼ିଶାଲାଇଭ୍ ବ୍ୟୁରୋ
ସବର୍ଣ୍ଣ ବା ସାଧାରଣ ବର୍ଗର ଗରିବ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି।
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ନିର୍ବାଚନରେ ବାଜିମାତ କରିବାକୁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ପନ୍ଥା ଆପଣେଇଛନ୍ତି। ତେବେ ନିର୍ବାଚନ ପୂର୍ବରୁ ମୋଦି ସରକାର ଆଣିଥିବା ସବର୍ଣ୍ଣ ବା ସାଧାରଣ ବର୍ଗର ଗରିବ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି।
ସୋମବାର କେନ୍ଦ୍ର କ୍ୟାବିନେଟର ଏକ ସ୍ୱତନ୍ତ୍ର ବୈଠକରେ ଏହି ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରି ମିଳିଥଲା। ତେବେ ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ମଙ୍ଗଳବାର ସଂସଦର ଶୀତ ଅଧିବେଶନର ଶେଷ ଦିନରେ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରାଯାଇଛି। ଏହି ବିଲ୍ କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହେଲଟ ଆଗତ କରିଛନ୍ତି।
ସମ୍ବିଧାନର ଧାରା ୧୫ ଓ ୧୬ର ସଂଶୋଧନ ପାଇଁ ଏହି ବିଲ ଆଗତ କରାଯାଇଛି।
ଏହି ପ୍ରସଙ୍ଗରେ ଦିନ ୨ଟାରେ ଚର୍ଚ୍ଚା ହେବ।
ଏହି ସଂରକ୍ଷଣ ଜରିଆରେ ସରକାରୀ ଚାକିରି ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସାଧାରଣ ବର୍ଗର ଗରିବ ଲୋକ ଉପକୃତ ହେବେ। ବାର୍ଷିକ ୮ ଲକ୍ଷରୁ କମ୍ ଟଙ୍କା ରୋଜଗାର କରୁଥିବା ସାଧାରଣ ବର୍ଗର ଉଚ୍ଚ ଜାତିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ।


















